ପାଟଣାଗଡ଼,୧୧/୧୨ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଞ୍ଚଳରେ ନକଲି ଡାକ୍ତରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ଏକ ନକଲି ଡାକ୍ତର ଜଣଙ୍କ ଜଣେ ଗରିବ ନିରୀହ ଚର୍ମ ରୋଗୀଙ୍କୁ ବାରମ୍ବାର ଚିକିତ୍ସା କରି ଖର୍ଚ୍ଚାନ୍ତରେ ସର୍ବଶାନ୍ତ କରି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ବ୍ଲକ ଅଞ୍ଚଳରେ। ଅଭିଯୋଗ ଅନୁସାରେ ପାଟଣାଗଡ଼ ବ୍ଲକ ଗୁଲାମୁଣ୍ଡା ଗାଁର ଆଦିବାସୀ ପରିବାରର ସୁଦର୍ଶନ ଭୁଏ(୫୫)ଙ୍କ ଡାହାଣ ଗୋଡ଼ରେ ଚର୍ମ ରୋଗ ଆରମ୍ଭ ହୋଇଥିଲା । ସେ ଜୁରିଆ ଗାଁରେ ଡାକ୍ତର ସାଜିଥିବା ବେଆଇନ କ୍ଲିନିକରେ ଛଅ ମାସ ପୂର୍ବେ ଚିକିତ୍ସା ହେବା ପାଇଁ ଯାଇଥିଲେ। ନକଲି ଡାକ୍ତର ଜଣକ ପ୍ରଥମେ ଚିକିତ୍ସା କରି ବିଭିନ୍ନ ପ୍ରକାର ମଲମ, ଟ୍ୟାବଲେଟ ଆଦି ଔଷଧ ଦେଇ ସୁସ୍ଥ ହୋଇଯିବ ବୋଲି କହିଥିଲେ । ପରେ ଔଷଧ ଖାଇ ମଧ୍ୟ ରୋଗୀଙ୍କର ରୋଗ ଠିକ୍ ହେବା ବଦଳରେ ଓଲଟା ବଢ଼ିବାରୁ ପୁଣି ଚିକିତ୍ସା ପାଇଁ ତାଙ୍କ ପାଖକୁ ଯାଇଥିଲେ । ସେ ତାଙ୍କ ବେଆଇନ ପାଥୋଲ୍ୟାବରେ ବିଭିନ୍ନ ଟେଷ୍ଟ ମାନ କରାଇ ତାଙ୍କ ଦୋକାନରୁ ଔଷଧ ଦେଇ ଏଥରକ ସମ୍ପୂର୍ଣ୍ଣ ଠିକ୍ ହୋଇଯିବ ବୋଲି କହିଥିଲେ।
ରୋଗୀଙ୍କ ରୋଗ ଠିକ ନ ହୋଇ ବଢ଼ିବାରେ ଲାଗିବାରୁ କାଳେ ରୋଗ ଠିକ ହୋଇଯିବ ଭାବି ବାରମ୍ବାର ମାସ ମାସ ଧରି ନକଲି ଡାକ୍ତରଙ୍କ ପାଖକୁ ଯାଉଥିବାବେଳେ ରୋଗ ଠିକ୍ ହେବା ବଦଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚାନ୍ତ କରି ରୋଗୀ ଜଣଙ୍କ ସର୍ବଶାନ୍ତ ହୋଇପଡ଼ିଥିବା ସହ ପୂର୍ବପେକ୍ଷା ତାଙ୍କ ଚର୍ମ ରୋଗ ଆହୁରି ବଢିଥିବା ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ନକଲି ଡାକ୍ତର ଜଣକ ବେଆଇନ ଭାବେ ଡାକ୍ତର ସାଜି କିଭଳି ତାଙ୍କ ଔଷଧ ଦୋକାନରୁ ଔଷଧ ବିକ୍ରି କରିଛନ୍ତି ଓ ବେଆଇନ ଭାବେ ପାଥୋଲ୍ୟାବ ଖୋଲି ରୋଗୀଙ୍କ ବିଭିନ୍ନ ଟେଷ୍ଟ କରି ବେଆଇନ ଚିକିତ୍ସା ମାଧ୍ୟମରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗର ତଦନ୍ତ ପାଇଁ ରୋଗୀ ଜଣକ ଦାବି କରିଛନ୍ତି । ତେବେ ଏଭଳି ନକଲି ଡାକ୍ତରମାନଙ୍କ ପାଇଁ ଅନେକ ସମୟରେ ସ୍ୱାସ୍ଥ୍ୟ ବିଭାଗ ବଦନାମ ମୁଣ୍ଡାଉଥିବାବେଳେ ଜୁରିଆ ଗାଁରେ ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏଭଳି ଏକ ବେଆଇନ କ୍ଲିନିକ ଉପରେ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ନ ନେଇ କାହିଁକି ଚୁପ ରହିଛି ତାହା ସ୍ୱାସ୍ଥ୍ୟ ବିଭାଗର ନିରପେକ୍ଷତା ଉପରେ ସିଧା ସଳଖ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ଏ ସମ୍ପର୍କରେ ଡାକ୍ତରଙ୍କୁ ପଚାରିବାରୁ ଚିକିତ୍ସା କରିଥିବା କଥାକୁ ସ୍ୱୀକାର କରିବା ସହ ଅନେକ ରୋଗୀଙ୍କ କ୍ଷେତ୍ରରେ ତାହା ଘଟେ ବୋଲି କହିଥିଲେ । ଏ ବିଷୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବା ପାଇଁ ଦାବି ହେଉଛି।