ହିନ୍ଦୁ ଧର୍ମରେ ଅମାବାସ୍ୟା ତିଥିକୁ ବେଶ୍ ଭଲ ବୋଲି ବିବେଚନା କରାଯାଏ । ବର୍ଷକୁ ୧୨ ଟା ଅମାବାସ୍ୟା ତିଥି ପଡ଼ିଥାଏ । ଫାଲ୍ଗୁନ ମାସରେ ପଡ଼ୁଥିବା ଅମାବାସ୍ୟାକୁ ଫାଲଗୁନ ଅମାବାସ୍ୟା ବୋଲି କୁହାଯାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ବିଧି ରହିଛି । ଏଥି ସହିତ ଏହି ଦିନ ତର୍ପଣ ଓ ପିଣ୍ଡଦାନ ମଧ୍ୟ କରାଯାଇଥାଏ ।
ଧାର୍ମିକ ମାନ୍ୟତା ଅନୁସାରେ , ଅମାବାସ୍ୟା ଦିନ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ଯାହାଦ୍ବାରା ପିତୃପୁରୁଷ ମୋକ୍ଷ ପ୍ରାପ୍ତ କରିବା ସହ ପ୍ରସନ୍ନ ହୋଇ ଆଶୀର୍ବାଦ ଦେଇଥାନ୍ତି । ଏହିଦିନ ପିଣ୍ଡଦାନ ଓ ତର୍ପଣ କରିବା ଦ୍ବାରା ପିତୃ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ । ପିତୃ ପୁରୁଷଙ୍କ ଆଶୀର୍ବାଦରୁ ଘରେ ସୁଖ ଶାନ୍ତି ବଜାୟ ରହେ। ଫାଲଗୁନ ଅମାବାସ୍ୟା ଦିନ ସ୍ନାନ ଓ ଦାନର ମଧ୍ୟ ବିଶେଷ ମହତ୍ତ୍ବ ରହିଛି । ବିଶ୍ବାସ ରହିଛି ଯେ, ଏହି ଦିନ ପବିତ୍ର ନଦୀରେ ସ୍ନାନ-ଦାନ କରିବା ଦ୍ବାରା ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଫାଲଗୁନ ଅମାବାସ୍ୟା କେବେ ଓ ଏହିଦିନ ସ୍ନାନ-ଦାନ କରିବା ର ଶୁଭ ମୁହୁର୍ତ୍ତ କଣ ରହିଛି ।
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଫାଲଗୁନମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିର ଆରମ୍ଭ ୨୭ ଫେବୃଆରୀ ସକାଳ ୮ ଟା ୫୪ ମିନିଟରୁ ଆରମ୍ଭ ହେବ । ସେହିପରି ଏହି ତିଥି ୨୮ ଫେବୃଆରୀ ଅର୍ଥାତ୍ ପରଦିନ ୬ଟା ୧୪ ମିନିଟରେ ଶେଷ ହେବ । ଏନେଇ ଫାଲଗୁନ ଅମାବାସ୍ୟା ୨୭ ଫେବୃଆରୀରେ ପାଳନ କରାଯିବ । ଏହି ଦିନ ସ୍ନାନ-ଦାନ ମଧ୍ୟ କରାଯିବ । ଫାଲଗୁନ ଅମାବାସ୍ୟାା ଦିନ ବ୍ରହ୍ମ ମୁହୁର୍ତ୍ତ ସକାଳ ୫ଟା ୯ ମିନିଟରୁ ଆରମ୍ଭ ହୋଇ ୫ ଟା ୫୮ ମିନିଟରେ ଶେଷ ହେବ । ଗୌଧୁଲି ମୁହୁର୍ତ୍ତ ସନ୍ଧ୍ୟା ୬ଟା ୭ ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ୪୨ ମିନିଟରେ ଶେଷ ହେବ । ଫାଲଗୁନ ଅମାବାସ୍ୟାରେ ସ୍ନାନ ପାଇଁ ସବୁଠୁ ଶୁଭ ବ୍ରହ୍ମ ମୁହୁର୍ତ୍ତ । ଧାର୍ମିକ ମାନ୍ୟତା ଅନୁସାରେ , ଏହି ଦିନ ବ୍ରହ୍ମ ମୁହୁର୍ତ୍ତରେ ପବିତ୍ର ନଦୀରେ ବୁଡ଼ ପକାଇବାଦ୍ବାରା ଅଧିକ ଓ ବିଶେଷ ପୁଣ୍ୟ ମିଳିଥାଏ । ତେଣୁ ଏହି ଦିନ ବ୍ରହ୍ମ ମୁହୁର୍ତ୍ତରେ ପବିତ୍ର ନଦୀରେ ସ୍ନାନ କରିବା ଆବଶ୍ୟକ । ସେହିପରି ସ୍ନାନ କରିବା ପରେ ଦାନ- ପୁଣ୍ୟ କରିବା ଆବଶ୍ୟକ । ଫାଲଗୁନ ଅମାବାସ୍ୟା ଦିନ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ୍ । ଧାର୍ମିକ ମାନ୍ୟତା ଅନୁସାରେ, ଏହି ଦିନ ବ୍ରହ୍ମ ମୁହୁର୍ତ୍ତରେ ସ୍ନାନ- ଦାନ କରୁଥିବା ଲୋକେ ସବୁ ପାପରୁ ମୁକ୍ତି ପାଇଥାନ୍ତି ।