ଉତ୍ତରପ୍ରଦେଶ୧୩/୦୫: ଉତ୍ତରପ୍ରଦେଶସ୍ଥିତ ଏମ୍ସ ଗୋରଖପୁରର ଡାକ୍ତରମାନେ ନିକଟରେ ମାନବିକତାର ଏକ ଉଜ୍ଜ୍ୱଳ ନିଦର୍ଶନ ପ୍ରଦର୍ଶନ କରିଛନ୍ତି । କୀଟନାଶକ ପିଇ ଦେଇଥିବା ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ପରିଜନ ସେଠାକୁ ଆଣିଥିଲେ । ହସ୍ପିଟାଲରେ ଝିଅଟି ଜୀବନ-ମରଣ ସ୍ଥିତି ସହ ସଂଘର୍ଷ କରୁଥିବାବେଳେ ତାଙ୍କୁ ମୃତ ବୋଲି ମନେ କରି ପରିଜନ ଛାଡ଼ି ପଳାଇଥିଲେ । ଏଭଳିସ୍ଥିତିରେ ଏମ୍ସର ଡାକ୍ତରମାନେ କିନ୍ତୁ ହାର ମାନିନଥିଲେ । ୯୮ ଦିନ ଧରି ମାଗଣା ଚିକିତ୍ସା କରି ସେମାନେ ଯୁବତୀଙ୍କର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ସେଥିମଧ୍ୟରୁ ୪୮ ଦିନ ଯୁବତୀ ଭେଣ୍ଟିଲେଟରରେ ରହିଥିଲେ ।
ସୂଚନା ଅନୁସାରେ, କୁଶୀନଗରର ଜଣେ ୨୦ ବର୍ଷୀୟା ଯୁବତୀ କୌଣସି କାରଣରୁ ଚାଷଜମିରେ ସିଞ୍ଚନ କରାଯାଉଥିବା କୀଟନାଶକ ଖାଇ ଦେଇଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଜିଲ୍ଲା ହସ୍ପିଟାଲ ନେଇଥିଲେ । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଏମ୍ସ ଟ୍ରମା ସେଣ୍ଟରକୁ ରେଫର କରାଯାଇଥିଲା । ଜାନୁଆରୀ ୧୯ରେ ଏମ୍ସର କାଜୁଆଲ୍ଟି ୱାର୍ଡରେ ପହଞ୍ଚିବାବେଳକୁ ଯୁବତୀଙ୍କର ରକ୍ତଚାପ ବହୁତ କମ୍ ଥିଲା । ଶ୍ୱାସକ୍ରିୟା ଅତି ଧୀରେ ହେଉଥିଲା । ଡାକ୍ତରମାନେ ତାଙ୍କୁ ତୁରନ୍ତ ସିପିଆର ଦେଇଥିଲେ । ଯୁବତୀଙ୍କର ଏଭଳିସ୍ଥିତି ଦେଖି ପରିଜନ ଭୟଭୀତ ହୋଇଗଲେ । ସେମାନେ ତାଙ୍କୁ ମୃତ ବୋଲି ଭାବି ପୁଲିସ କେସ୍ ହେବା ଭୟରେ ସେଠାରୁ ପଳାଇଗଲେ । କିନ୍ତୁ ଏମ୍ସ ଡାକ୍ତରମାନେ ହାର ମାନିଲେ ନାହିଁ । ଟ୍ରମା ସେଣ୍ଟରର ମେଡିକାଲ ଆଇସିୟୁରେ ଭର୍ତ୍ତି କରି ଯୁବତୀଙ୍କ ଚିକିତ୍ସା ଜାରି ରଖିଲେ । ପ୍ରାୟ ୪୮ ଦିନ ଧରି ସେ ଭେଣ୍ଟିଲେଟରରେ ରହିଲେ । ଚିକିତ୍ସା ସମୟରେ ତାଙ୍କୁ ୩ ଜଣ ହୃଦ୍ଘାତ ହେଲା । କିନ୍ତୁ ପ୍ରତି ଥର ଡାକ୍ତରମାନେ ସିପିଆର ଦେଇ ତାଙ୍କର ଜୀବନ ବଞ୍ଚାଇଲେ । ୯୮ ଦିନ ଚିକିତ୍ସା ଚାଲିବା ପରେ ଯୁବତୀ ସଂପୂର୍ଣ୍ଣ ସୁସ୍ଥ ହେଲେ । ଏପ୍ରିଲ ୨୬ ତାରିଖରେ ସେ ଘରକୁ ଫେରିଛନ୍ତି ।
ଆହୁରି ପଢ଼ନ୍ତୁ...ଛାଡପତ୍ର ଗୁଜବ ମଧ୍ୟରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ କଲେ ସୂରଜ, ବିବାହ ଫଟୋ ହଟାଇଲେ ମୌନି