ନୂଆଦିଲ୍ଲୀ, ୦୪/୦୪ : ଇରାନ ଯୁଦ୍ଧକୁ ମାସେରୁ ଅଧିକ ସମୟ ହୋଇଗଲାଣି । ଏହା ଥମିବାର ନାଁ ଧରୁନାହିଁ । ଏହାଦ୍ୱାରା ବିଶ୍ୱବ୍ୟାପୀ ଖାଦ୍ୟପାନୀୟ ସାମଗ୍ରୀ ଦର ମାର୍ଚ୍ଚରେ ବଡ଼ ମାତ୍ରାରେ ବଢ଼ିଯାଇଛି । ଏହା ଗତବର୍ଷ ସେପ୍ଟେମ୍ବର ପରେ ସବୁଠାରୁ ଉଚ୍ଚ ସ୍ତରରେ ପହଞ୍ଚିଯାଇଛି । ଏହାର କାରଣ ହେଉଛି ଇତିମଧ୍ୟରେ ତେଲ ଏବଂ ଗ୍ୟାସ ଦରରେ ଦ୍ରୁତ ବୃଦ୍ଧି । ମିଳିତ ଜାତିସଂଘର ସଂସ୍ଥା ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍ଏଓ)ର କହିବାନୁସାରେ, ଯଦି ଇରାନ ଯୁଦ୍ଧ ଜାରି ରୁହେ ତେବେ ଖାଦ୍ୟ ପାନୀୟ ଦର ଆଗକୁ ଆହୁରି ବଢ଼ିପାରେ ।
ଏଫ୍ଏଓର ମୁଖ୍ୟ ଅର୍ଥନୀତିଜ୍ଞ ମେକ୍ସିମୋ ତୋରେରୋ କହିଛନ୍ତି ଯେ, ଇରାନ ଯୁଦ୍ଧ ଆଉ ୪୦ ଦିନ ଲମ୍ବିଲେ ଏବଂ ଅଶୋଧିତ ସାମଗ୍ରୀ ତଥା ସାର ଦର ଅଧିକ ରହିଲେ ଚାଷୀ ବିହନ ବୁଣା କାର୍ଯ୍ୟକୁ ଅଟକାଇପାରନ୍ତି । ଏଭଳି ଫସଲ ଆଡ଼କୁ ଏମାନେ ମନ ବଳାଇପାରନ୍ତି ଯେଉଁଥିରେ ସାର ବ୍ୟବହାର କମ୍ ହୋଇଥାଏ । ତୋରେରୋ କୁହନ୍ତି, ଯଦି ଚାଷୀ ଏହା କରନ୍ତି ତେବେ ଭବିଷ୍ୟତରେ ଉତ୍ପାଦନ ଉପରେ ପ୍ରଭାବ ପଡ଼ିବ ଏବଂ ଆଗାମୀ ଦିନରେ ଖାଦ୍ୟ ଯୋଗାଣ ଏବଂ କମୋଡିଟି ଦର ପ୍ରଭାବିତ ହୋଇପାରେ ।
ଏଫ୍ଏଓର ଖାଦ୍ୟ ମୂଲ୍ୟ ସୂଚକାଙ୍କ ଫେବ୍ରୁଆରୀ ତୁଳନାରେ ମାର୍ଚ୍ଚରେ ୨.୪% ବୃଦ୍ଧି ପାଇଛି । ଏହା ଗତବର୍ଷ ତୁଳନାରେ ୧% ଅଧିକ । ଯଦିଓ ଏହା ୨୦୨୨ ମାର୍ଚ୍ଚର ସର୍ବୋଚ୍ଚ ସ୍ତର ତୁଳନାରେ ପ୍ରାୟ ୨୦% କମ୍ ରହିଛି । ୟୁକ୍ରେନ ଯୁଦ୍ଧ ଆରମ୍ଭରେ ଏହା ଉଚ୍ଚ ସ୍ତରରେ ପହଞ୍ଚିଥିଲା । ମାର୍ଚ୍ଚରେ ଖାଦ୍ୟ ଏବଂ ପାନୀୟ ଦରରେ ବଡ଼ ବୃଦ୍ଧି ଘଟିଛି । ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ସାର ସଂକଟ ବଢ଼ିଛି । ଫଳରେ ଚାଷୀ ବିକଳ୍ପ ଫସଲ ଆଡ଼କୁ ଯାଉଛନ୍ତି । ଶସ୍ୟ ଦର ସୂଚାଉଥିବା ସୂଚକାଙ୍କ ଫେବ୍ରୁଆରୀ ତୁଳନାରେ ମାର୍ଚ୍ଚରେ ୧.୫% ବଢ଼ିଛି । ଏହାର କାରଣ ହେଉଛି ଅନ୍ତର୍ଜାତୀୟ ସ୍ତରରେ ଗହମ ଦରରେ ୪.୩% ବୃଦ୍ଧି ।
ଏହି ଖବରଟିକୁ ପଢନ୍ତୁ- ହୋର୍ମୁଜ ପାଖରେ ଆମେରିକାର ଆଉ ଏକ ଫାଇଟର ଜେଟ୍ ଖସାଇଲା ଇରାନ, ଟ୍ରମ୍ପ କହିଲେ ଏହା ଯୁଦ୍ଧ...