ଚଣ୍ଡିଗଡ଼, ୮।୬: ସାଧାରଣତଃ ଚୋରି ହେଲେ ଲୋକେ ଥାନାକୁ ଯାଆନ୍ତି ନଚେତ୍ ଚୋରକୁ ଗୋଡ଼ାଇ ଗୋଡ଼ାଇ ପିଟନ୍ତି । ହେଲେ ପଞ୍ଜାବର ଫରିଦକୋଟ ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଚୋରଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ଏବେ ଗ୍ରାମବାସୀ ଚୋରଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି ଏବଂ ଏକ ନିଆରା ଗୁହାରି କରିଛନ୍ତି । ଚାଷୀମାନେ କହିଛନ୍ତି- "ଚୋର ଭାଇ, ଆମ ମୋଟର ଚୋରି କରନି, ବରଂ ଗାଁରେ ନିଜର QR କୋଡ୍ ଲଗାଇ ଦିଅ, ଆମେ ସବୁ ଗ୍ରାମବାସୀ ମିଶି ତୁମ ଆକାଉଣ୍ଟକୁ ଟଙ୍କା ପଠାଇ ଦେବୁ !"
ଗୋଟିଏ ରାତିରେ ଚୋରି ହେଲା ୨୫ଟି ଚାଷ ମୋଟର:
ମିଳିଥିବା ସୂଚନା ମୁତାବକ, ଫରିଦକୋଟ ଜିଲ୍ଲାର 'ପକ୍ଖୀ କଲାଁ' ଗାଁରେ ଗତ କିଛିଦିନ ହେବ ଚୋରଙ୍କ ଆତଙ୍କ ଦେଖାଦେଇଛି । ପୂର୍ବରୁ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ମୋଟର ଚୋରି ହେଉଥିବା ବେଳେ, ଗତ ରାତିରେ ଚୋରମାନେ ସବୁ ସୀମା ପାର୍ କରିଦେଇଛନ୍ତି । ଗୋଟିଏ ରାତିରେ ସମଗ୍ର ଗାଁର ବିଭିନ୍ନ ବିଲରୁ ପ୍ରାୟ ୨୫ଟି ପାଣି ମୋଟର ତାଡ଼ି ନେଇଛନ୍ତି ଚୋର । ଏହି ଘଟଣା ପରେ ଚାଷୀମାନେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି । ବର୍ତ୍ତମାନ ଧାନ ବୁଣା ବା ରୁଆ ସମୟ ଚାଲିଥିବାରୁ ବିଲକୁ ପାଣି ମାଡ଼ିପାରୁ ନାହିଁ । ମୋଟରଗୁଡ଼ିକ ବହୁତ ଦାମୀ ହୋଇଥିବାରୁ ଗରିବ ଚାଷୀମାନେ ବାରମ୍ବାର ନୂଆ ମୋଟର କିଣିବାକୁ ଅସମର୍ଥ ପ୍ରକାଶ କରିଛନ୍ତି । "ଆମର ଏହି ଦାମୀ ମୋଟରଗୁଡ଼ିକୁ ଚୋରମାନେ ତାଡ଼ି ନେଇ କବାଡ଼ି ଦୋକାନରେ ମାତ୍ର କେଇଟା ଟଙ୍କାରେ ବିକ୍ରି କରିଦେଉଛନ୍ତି । ଏହାଦ୍ୱାରା ଆମର ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେଉଛି । ନା ସରକାର କୌଣସି ପଦକ୍ଷେପ ନେଉଛନ୍ତି, ନା ପୋଲିସ ଚୋରଙ୍କୁ ଧରିପାରୁଛି ।" ବୋଲି ପକ୍ଖୀ କଲାଁ ଗାଁର ଚାଷୀ କହିଛନ୍ତି ।
ଚୋରଙ୍କୁ QR କୋଡ୍ ମାଗିଲେ ଚାଷୀ: ପୋଷ୍ଟର ଲଗାଇ କଲେ ଅନୁରୋଧ
ପୁଲିସ ଓ ପ୍ରଶାସନ ଉପରୁ ଭରସା ତୁଟିଯିବା ପରେ ଚାଷୀମାନେ ନିଜ ସମସ୍ୟାର ସମାଧାନ ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି । ସେମାନେ ଗାଁରେ ଏକ ପୋଷ୍ଟର ଲଗାଇ ଚୋରମାନଙ୍କୁ ଆବେଗଭରା ଅପିଲ୍ କରିଛନ୍ତି । ପୋଷ୍ଟରରେ ଲେଖାଅଛି, ଆମ କ୍ଷେତରୁ ପାଣି ମୋଟର ଚୋରି କରନ୍ତୁ ନାହିଁ । ଏବେ ଧାନ ଚାଷର ସମୟ ଚାଲିଛି, ମୋଟର ବିନା ଚାଷ ନଷ୍ଟ ହୋଇଯିବ । ଆପଣ ନିଜର QR କୋଡ୍ ବା ସ୍କାନର ଗାଁର କୌଣସି ସ୍ଥାନରେ ଲଗାଇ ଦିଅନ୍ତୁ, ଆମେ ଗ୍ରାମବାସୀ ଚାନ୍ଦା ଆଦାୟ କରି ସିଧାସଳଖ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଦେବୁ, ହେଲେ ଆମ ମୋଟର ଫେରାଇ ଦିଅନ୍ତୁ ।
ଗାଁରେ ୧୦-୧୨ ଜଣିଆ ଗ୍ୟାଙ୍ଗ୍ ସକ୍ରିୟ:
ଗାଁର ଜଣେ ସ୍ଥାନୀୟ ଚାଷୀ ସିମରନଜୀତ ସିଂହ ବରାର୍ ଗଣମାଧ୍ୟମକୁ ନିଜର ଦୁଃଖ ଜଣାଇ କହିଛନ୍ତି ଯେ, ପୂର୍ବରୁ ଚାଷୀ ଏବଂ ଶ୍ରମିକମାନେ ରାତିରେ ବିଲରେ ଥିବା କୋଠରୀରେ ରହି ମୋଟର ଜଗୁଥିଲେ । କିନ୍ତୁ, ଏବେ ଚୋରମାନଙ୍କର ଏକ ସଙ୍ଗଠିତ ଗ୍ୟାଙ୍ଗ୍ ସକ୍ରିୟ ଅଛି, ଯେଉଁଥିରେ ୧୦ ରୁ ୧୨ ଜଣ ସଦସ୍ୟ ରହୁଛନ୍ତି । ସବୁଠାରୁ ବଡ଼ କଥା ହେଲା ସେମାନଙ୍କ ପାଖରେ ମାରାତ୍ମକ ଅସ୍ତ୍ରଶସ୍ତ୍ର ମଧ୍ୟ ରହୁଛି । ତେଣୁ ଜୀବନ ବିକଳରେ କେହି ବି ବିଲରେ ରାତି ଅନିଦ୍ରା ହୋଇ ଜଗିବାକୁ ସାହସ କରୁନାହାନ୍ତି । ଜୀବନ ହାରିବା ଅପେକ୍ଷା ନିଜର ଅସହାୟତାକୁ ପୋଷ୍ଟର ମାଧ୍ୟମରେ ପ୍ରକାଶ କରିବା ସେମାନେ ଶ୍ରେୟସ୍କର ମଣିଛନ୍ତି ।
ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିବା ପରେ ସ୍ଥାନୀୟ ପୁଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ସ୍ଥାନୀୟ ଡିଏସପି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କୋଟକପୁରା ପୁଲିସ ରାତିରେ ମୋଟର ଚୋରି କରୁଥିବା ଦୁଇଜଣ ଚୋରଙ୍କୁ ଗିରଫ କରିଛି । ବର୍ତ୍ତମାନ ସେମାନଙ୍କୁ ପଚରାଉଚରା କରାଯାଉଛି ଯେ ସେମାନେ ଏହି ପକ୍ଖୀ କଲାଁ ଗାଁର ୨୫ଟି ମୋଟର ଚୋରି ଘଟଣାରେ ସାମିଲ ଅଛନ୍ତି କି ନାହିଁ । ପୁଲିସ ଦାବି କରିଛି ଯେ ସେମାନଙ୍କ ସୂଚନା ଆଧାରରେ ଖୁବଶୀଘ୍ର ଏହି ସମ୍ପୂର୍ଣ୍ଣ ଗ୍ୟାଙ୍ଗକୁ କାବୁ କରାଯିବ ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ହେବ । ତେବେ ପୁଲିସର ପ୍ରତିଶ୍ରୁତି ସତ୍ତ୍ୱେ, ଚୋରଙ୍କ ନିକଟରେ ଚାଷୀଙ୍କର ଏହି 'QR କୋଡ୍' ଅପିଲ୍ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି, ଯାହା ପ୍ରଶାସନିକ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଆହୁରି ପଢ଼ନ୍ତୁ... NEET Re-Exam: NEET ପେପର ଲିକ୍ ରୋକିବାକୁ ସେନା ପ୍ରସ୍ତୁତ, ବାୟୁସେନାର Mi-17 ହେଲିକପ୍ଟରରେ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର !