ମାଲକାନଗିରି,୧୩/୯(ଆପ୍ର ) :  ଚାଷ ଜମିରେ କାମ କରି ଘରକୁ ଫେରୁ ଥିବା ବେଳେ ବଜ୍ରପାତରେ ଜଣେ ଚାଷୀର ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣକ ହେଲେ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଗ୍ରାମ ପଞ୍ଚାୟତ ତାଳପଦର ଗ୍ରାମର ଉଙ୍ଗା କାର୍ତ୍ତମି।

ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ଗ୍ରାମ ପଞ୍ଚାୟତସ୍ଥ ତାଳପଦର ଗ୍ରାମର ଉଙ୍ଗା କାର୍ତ୍ତମି (୪୫) ନିଜ ପତ୍ନୀ ଗାଙ୍ଗୀ ଓ ପୁଅ ଦେବା ସହ ଚାଷ ଜମିକୁ ଶୁକ୍ରବାର ଯାଇଥିଲେ। ସେମାନେ କାମ ସାରି ସନ୍ଧ୍ୟା ରେ ନିଜ ଘରକୁ ଫେରୁ ଥିବା ବେଳେ ହଠାତ ବର୍ଷା ସହ ବଜ୍ରପାତ ହୋଇଥିଲା।  ତେବେ ଉଙ୍ଗା ପରିବାର ସହ ଜମି ନିକଟରେ ଥିବା ଏକ କୁଡ଼ିଆକୁ ଚାଲି ଯାଇଥିଲେ। ଉଙ୍ଗା ଉପରେ ଚଡ଼କ ମାଡ଼ ହେବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ପରିବାର ଲୋକେ ସାମନ୍ୟ ଆହତ ହୋଇଥିଲେ। ଖବର ପାଇ ଗ୍ରାମବାସୀ ପହଞ୍ଚି ଉଙ୍ଗାଙ୍କ ମୃତଦେହକୁ ଉଦ୍ଧାର କରି ଘରକୁ ଆଣିଥିଲେ। ଏନେଇ ମାଲକାନଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।