ସୁନ୍ଦରଗଡ଼, ୧୭।୨: ପରିବାର ଚଳିବା ପାଇଁ ଯାହା ସବୁ ଆବଶ୍ୟକ ପ୍ରାୟ ସାମଗ୍ରୀ ଆଦାୟ ହେଉଛି ଜମିରୁ । ତୈଳବୀଜଠାରୁ ଆରମ୍ଭ କରି ସବୁଜ ପନିପରିବା ପ୍ରଚୁର ଉତ୍ପାଦନ ହେଉଛି । ଘର ଚଳିବା ପରେ ଯେତକି ବିକ୍ରିବଟା ହେଉଛି ସେଥିରୁ ବର୍ଷକୁ ରୋଜଗାର ହେଉଛି ୬ ଲକ୍ଷରୁ ଅଧିକ ଟଙ୍କା । ପାହାଡ଼ିଆ ଜମିରେ ଝାଳବୁହା ପରିଶ୍ରମ କରି ଉଦାହରଣ ସୃଷ୍ଟି କରିଛନ୍ତି ମହିଳା ଚାଷୀ ଏନେମ୍ ଖାଖା । ମାତ୍ର ୩୮ ବର୍ଷ ବୟସରେ ଜୈବିକ ଚାଷରେ ସେ ହାସଲ କରିଥିବା ଅଭୂତପୂର୍ବ ସଫଳତାର ଗୁଣଗାନ ଏବେ ପ୍ରଶାସନ ମଧ୍ୟ କରୁଛି । ଫସଲ ହେବ । କିନ୍ତୁ ବ୍ୟବହାର ହେବନି କୌଣସି ରାସାୟନିକ ସାର କି କୀଟନାଶକ । ପାରମ୍ପରିକ ଧାନ ଚାଷକୁ ବାଦ୍ ଦେଇ ଓ କିଛି ନିଆରା କରିବାର ଲକ୍ଷ୍ୟରେ ଆଗକୁ ବଢିଥିଲେ ଏନେମ୍ । ଯାହା ମାତ୍ର ବର୍ଷ କେଇଟାରେ ସଫଳ ରୂପ ନେଇଛି । ଜିଲ୍ଲାର ଲକ୍ଷପତି ଚାଷୀଙ୍କ ମଧ୍ୟରେ ସେ ନିଜକୁ ସାମିଲ କରି ଆଣିଛନ୍ତି ଈର୍ଷଣୀୟ ସଫଳତା । ଏନେମ୍‌ଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବେହେରାଡ଼ିହି କେନ୍ଦାଯୋର ପଡ଼ାରେ ।

ଏହା ବି ପଢ଼ନ୍ତୁ... ସୁରକ୍ଷା ଲୋଡ଼ୁଛି ଖଣ୍ଡଗିରି-ଉଦୟଗିରି; ଐତିହ୍ୟକୁ ବିକୃତ କରୁଛନ୍ତି, ଶିଳାକୁ ତାଡ଼ି ନାଁ ଲେଖୁଛନ୍ତି

ସ୍ୱାମୀ ଏଲେରେନ ଖାଖା, ଝିଅ ରଶ୍ମିତା ଓ ପୁଅ ବିଳାପଙ୍କୁ ନେଇ ତାଙ୍କ ପରିବାର । ଆଦିବାସୀ ବହୁଳ ବଣପାହାଡ଼ ଘେରା ଏହି ଗାଁ ବିକାଶଠୁ ଯୋଜନ ଦୂରରେ । ପାହାଡ଼ିଆ ଜମିରେ କଠିନ ପରିଶ୍ରମ କରି ଏଲେରେନ୍ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ । ବିବାହ ପରେ ସନ୍ତାନଙ୍କ ବୋଝ ଏବଂ ପରିବାରର ସ୍ଥିତିକୁ ସହଜରେ ବୁଝି ନେଇଥିଲେ ଏନେମ୍ । ନିଜ ଆଡ଼ୁ ସ୍ୱାମୀଙ୍କ ସହ ଓହ୍ଲାଇଥିଲେ ଚାଷ କ୍ଷେତ୍ରକୁ । ପାରମ୍ପରିକ ଧାନର ଝିନଝଟ୍କୁ ଛାଡ଼ି କିଛି ଅଲଗା କରିବାକୁ ନିଷ୍ପତ୍ତି ନେଇଥିଲେ । ତୈଳବୀଜ, ଡାଲିଜାତୀୟ ଫସଲ ଓ ପରିବା ସମ୍ପୂର୍ଣ୍ଣ ଦେଶୀୟ ପଦ୍ଧତିରେ ଚାଷ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିଥିଲେ ଖାଖା ଦମ୍ପତି । ଏଥିରେ ସହଯୋଗର ହାତ ବଢ଼ାଇଥିଲେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସେବକ’ ଏବଂ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) କର୍ତ୍ତୃପକ୍ଷ । ଏନେମ୍ ଏବେ ପ୍ରାୟ ଅଢ଼େଇ ଏକର ଜମିରେ ଲଙ୍କା, ବିଲାତି, ବାଇଗଣ, ଫୁଲକୋବି ଓ ମଟର ଚାଷ କରୁଛନ୍ତି । ସପ୍ତାହକୁ ପାଖାପାଖି ୫ କୁଇଣ୍ଟାଲ ଯାଏ ସବୁଜ ପରିବା ଉତ୍ପାଦନ କରୁଛନ୍ତି । ବାର୍ଷିକ ୬.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ଜୈବିକ କୃଷି ସମେତ ଏନେମ୍ ଅଞ୍ଚଳର ମହିଳାଙ୍କୁ ସଙ୍ଗଠିତ କରି ବିବିଧ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ସେ ଝରଣା ଉତ୍ପାଦକ ଗୋଷ୍ଠୀ ଜଣେ ସକ୍ରିୟ ସଦସ୍ୟା । କମ୍ପାନିର ବୋର୍ଡ ସଭ୍ୟା ଏବଂ ଉଦ୍ୟୋଗ ମିତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଳନ କରୁଛନ୍ତି । ରୋଜଗାର ଅର୍ଥରେ ଝିଅକୁ ସୁନ୍ଦରଗଡ଼ ନର୍ସିଂ କଲେଜ ଓ ପୁଅକୁ ଗୁରୁକୁଳ ଯୁକ୍ତ ୨ କଲେଜରେ ପଢ଼ାଉଛନ୍ତି । ଉଦ୍ୟାନ କୃଷିରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା-୨୦୨୫ରେ ଶ୍ରେଷ୍ଠ ଚାଷୀ ଭାବେ ଜିଲ୍ଲା ପ୍ରଶାସନ ଦ୍ୱାରା ପୁରସ୍କୃତ ହୋଇଛନ୍ତି ଏନେମ୍ । ଅନୁନ୍ନତ ଅଞ୍ଚଳରେ ଚାଷ କ୍ଷେତ୍ରରେ ବ୍ୟାପକ ରୋଜଗାର ସୁବିଧା ରହିଛି । ଉନ୍ନତ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କରି ଚାଷରେ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିବ ବୋଲି ଏନେମ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।