କଳାହାଣ୍ଡି, ୯/୨ : ସରୁନି ଚାଷୀଙ୍କ ଚିନ୍ତା । ଗୋଟିଏ ପଟେ ମଣ୍ଡିରୁ ଧାନ ଉଠି ପାରୁନଥିବାବେଳେ ଆଉ ଗୋଟିଏ ପଟେ ରବି ଚାଷ ପାଇଁ ସମୟ ହୋଇଗଲାଣି । କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । କେତେବେଳେ ମିଲର୍ସଙ୍କ ଆନ୍ଦୋଳନ ତ ପୁଣି କେତେବେଳେ ଟୋକନ ସମସ୍ୟାରେ ପେଷି ହେଉଛନ୍ତି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଧାନ ମଣ୍ଡିରେ ଏବେ ମଧ୍ୟ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ । ଅନ୍ୟପଟେ ବ୍ଲକରେ ରବିଚାଷ ପାଇଁ ଉଠା ଜଳସେଚନ କେନାଲରୁ ଗତ ଜାନୁଆରୀ ମାସରୁ ଜଳସେଚନ ଆରମ୍ଭ ହୋଇଥିବା ବେଳେ ରବିଚାଷ ପାଇଁ ଚାଷି ପ୍ରସ୍ତୁତ ହେବାକୁ ସମୟ ନାହିଁ ।

ଗୋଟିଏପଟେ ଶୀତ କାକର ପରେ ଏବେ ଟାଣ ଖରାରେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀ ଜଗି ରହିଛନ୍ତି । କୋକସରା ବ୍ଲକରେ ଆମପାଣି ପେକ୍ସ ଅଧୀନରେ ଥିବା ବରାଡୋଙ୍ଗା,ବଡ଼ ପୋଡ଼ାଗୁଡା, କାଉଡୋଳା ଉପମଣ୍ଡି, କୋକସରା ପେକ୍ସ ଅଧୀନରେ ଥିବା ଝରିଆଗୁଡା ଉପମଣ୍ଡି, ଡହଗାଁ ପେକ୍ସ ଅଧୀନରେ ଥିବା ଡାଲଗୁମା,ମୁଷାପାଲି, ଖୁଣ୍ଟିଆ ଉପମଣ୍ଡି, କାଶିବାହାଲ ପେକ୍ସ ଅଧିନ ରେ ଥିବା ଧନସରା,ଫୁଫଗାଁ, କନ୍ଦାବୁଟ୍ରା, ତୁନଗାଁ ଉପମଣ୍ଡି ସମେତ ଟେମରା ପେକ୍ସ ଅଧୀନରେ ଥିବା ଡେଙ୍ଗାଗୁଡା, ଗୋତମୁଣ୍ଡା,ଡୁଡୁକାଠେଙ୍ଗା ଉପମଣ୍ଡି, ଲଡୁଗାଁ ପେକ୍ସ ଅଧୀନରେ ଥିବା ଗମ୍ଭାରୀଗୁଡା ଓ ମୋଟେର ମଣ୍ଡି ରେ ଗତ ୭ ତାରିଖ ସୁଦ୍ଧା ମୋଟ ୭ ଲକ୍ଷ ୧୫ ହଜାର ୧୯୭.୩୯ କ୍ରୟ ହୋଇ ସାରିଥିବା ବେଳେ ଏବେ ମଧ୍ୟ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ହଜାର ହଜାର କ୍ୱିଣ୍ଟାଲ ଧାନ ପଡି ରହିଛି ।

ଅନେକ ଚାଷୀ ଧାନ ବିକ୍ରି କରି ସେହି ଅର୍ଥରେ ପୁଣିଥରେ ରାବିଚାଷ ସହ ବିବାହ, ବ୍ରତ, ପୁଅଝିଅଙ୍କ ପାଠପଢା ଓ ବିଭିନ୍ନ ସରକାରୀ ବେସରକାରୀ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀରୁ ଆଣିଥିବା ଋଣ ପରିଶୋଧ କରିବା ପାଇଁ ଧାନ ବିକ୍ରି କରିବା ପାଇଁ ଅପେକ୍ଷା କରି ରହିଥିବା କହିଛନ୍ତି । ବ୍ଲକର ଡାଲଗୁମା ମଣ୍ଡିରେ ୫ ହଜାରରୁ ଉର୍ଦ୍ଧ୍ବ ଧାନ ପଡି ରହିଛି । ଧାନ ବିକ୍ରି ଅପେକ୍ଷାରେ ଥିବା ଚାଷୀ ପର୍ଶୁରାମ ରୋତି, ମଣିରାମ ରୋତି, ମଧୁ ଧରୁଆ ବେଣୁଧର ଚଣ୍ଡି, ଲମ୍ବୁଧର ଧରୁଆ, ଅରୁଣ ପୁରୋହିତ, ନରେଶ ଚଣ୍ଡି, ଅକ୍ଷୟ ଧରୁଆ ଦନାର ଧରୁଆ, ମନିଜର ପୋଢ଼, କଳ୍ପ ଚଣ୍ଡି ପ୍ରମୁଖ ଚାଷୀମାନେ ଶୀଘ୍ର ଧାନ ଉଠାଣ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

​​​​​​​ଏହାସହ ପଢ଼ନ୍ତୁ : ପାକିସ୍ତାନର କୌଣସି ବି ଦାବି ରଖିଲାନି ଆଇସିସି, ଦେଲା ଗୋଟିଏ ଦିନର ଅଲ୍ଟିମେଟ୍