କଟକ, ୧୩/୧୨ : ପର୍ଯ୍ୟଟକଙ୍କ ଭିଡ଼ରେ ଉଛୁଳି ପଡୁଛି ଏସିଆ ମହାଦେଶର ବୃହତ ମଧୁରଜଳ ଅଂଶୁପା ହ୍ରଦ। ଭୋଜିଭାତ କରି ମଜା କରୁଛନ୍ତି ଲୋକେ । ଏହାର ଠିକ୍‌ ଆରପଟରେ କିନ୍ତୁ ୪ ପଞ୍ଚାୟତର ଶତାଧିକ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । କାରଣ ସେମାନଙ୍କ ଜମି ଏବେ ପଡ଼ିଆ ପଡିଛି । ଅଂଶୁପା ପାଣି ଜମି ରହିଥିବାରୁ ପ୍ରାୟ ଶହେ ଏକର ଜମିରେ ଦୁଇ ବର୍ଷ ହେଲାଣି ଧାନଚାଷ ହେଇପାରୁନି । ଏବର୍ଷ ଡାଳୁଅ ଚାଷ କରିବାକୁ ଚାଷୀମାନେ ଆଶା ବାନ୍ଧି ବସିଥିଲେ । କିନ୍ତୁ ଜମିରୁ ପାଣି ଛାଡ଼ୁ ନଥିବାରୁ ନା ତଳି ପକାଇ ପାରିଲେ ନା ଧାନ ରୁଆ ହୋଇପାରିଲା । ଅଂଶୁପା ହ୍ରଦରୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନଥିବାରୁ ଚାଷୀମାନେ ଏଭଳି ସମସ୍ୟାକୁ ସାମ୍ନା କରୁଛନ୍ତି । ଏନେଇ ବାରମ୍ବାର ଚାଷୀମାନେ ଅଭିଯୋଗ କରୁଛନ୍ତି, ହେଲେ ସ୍ଥିତି ବଦଳି ପାରୁନି । 

ନିଷ୍କାସନ ବ୍ୟବସ୍ଥାରେ ସୁଧାର ଆଣିବାକୁ ଖର୍ଚ୍ଚ ହେବ ୪ କୋଟି ୮୫ ଲକ୍ଷ

ଜଳସମ୍ପଦ ବିଭାଗର ଡ୍ରେନେଜ୍‌ ସର୍କଲ୍‌ ତରଫରୁ ଏବେ ଅଂଶୁପା ହ୍ରଦ ଜଳ ନିଷ୍କାସନ ପାଇଁ ପୁଣି ଥରେ ଟେଣ୍ଡର ଆହ୍ୱାନ କରାଯାଇଛି। ଯୋଜନାନୁସାରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିବାକୁ ୪ କୋଟି ୮୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୧୮ ମାସ ଭିତରେ କାମ ସରିବ । ଏ ଯୋଜନା କାର୍ଯ୍ୟକାରୀ ହେଲେ ଅଂଶୁପାରେ ଜମି ରହୁଥିବା ବର୍ଷା ଜଳ ମହାନଦୀକୁ ନିଷ୍କାସିତ ହେବ। ସ୍ଲୁଇସ୍‌ ଗେଟ୍‌ କରାଯାଇ ଜଳ ନିଷ୍କାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଇପାରିବ । କିନ୍ତୁ ଏ ଯୋଜନାର କାର୍ଯ୍ୟକାରିତା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ଅନେକ ଥର ଅଂଶୁପା ଉନ୍ନତିକରଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ ଯାଏ ସ୍ଥିତିରେ ବିଶେଷ ପରିବର୍ତ୍ତନ ଆସି ପାରିନାହିଁ । 

ଏସିଆ ମହାଦେଶର ବୃହତ ମଧୁରଜଳ ହ୍ରଦ ହେଉଛି ଅଂଶୁପା । ବର୍ଷ ତମାମ୍‌ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ବାଙ୍କୀ ବିଷ୍ଣୁପୁର, କନ୍ତପହଁରା, ସୁବର୍ଣ୍ଣପୁର, ଓସ୍ତିଆ, ମାଳବିହାରପୁର ଅଞ୍ଚଳ ଦେଇ ବ୍ୟାପିଛି ହ୍ରଦ । ସରଣ୍ଡାଗଡ଼ ପାହାଡରୁ ବାଲି ଓ ମାଟି ଖସି ପୋତିହେବାକୁ ବସିଲାଣି ଏ ହ୍ରଦ । ୧୯୬୨ ବନ୍ଦୋବସ୍ତ ଅନୁସାରେ ଏହାର ଆକାର ୯୬୦ ଏକର ରହିଥିଲା । କିନ୍ତୁ କାଳକ୍ରମେ ଏହି ହ୍ରଦର ପ୍ରାୟ ଅଧାଭାଗ ଜବରଦଖଲ ହୋଇସାରିଛି । ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ତରଫରୁ ସେଭଳି କୌଣସି ପଦକ୍ଷେପ ବି ନିଆଯାଇନାହିଁ । ଅନ୍ୟପକ୍ଷରେ ଅଂଶୁପା ହ୍ରଦର ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବା କାରଣରୁ କଦଳୀବାଡ଼ି, କନ୍ତପହଁରା, ସୁବର୍ଣ୍ଣପୁର ଭଳି ପଞ୍ଚାୟତର ପ୍ରାୟ ଶହେ ଏକର ଜମି ଏବେ ଜଳମଗ୍ନ ହୋଇରହିଛି । ପାଣି ଛାଡ଼ୁନଥିବାରୁ ଚାଷୀମାନେ ଏଠାରେ ଧାନଚାଷ କରି ପାରୁନାହାନ୍ତି । 

ଆହୁରି ଦୁଇ ବର୍ଷ କ୍ଷତି ସହିବେ ଚାଷୀ

ଦୁଇବର୍ଷ ପୂର୍ବରୁ ନିଷ୍କାସନ ପଏଣ୍ଟ ଖୋଳାଯାଇ ପାଣି ନିଷ୍କାସନ କରାଯାଇଥିବାରୁ ଚାଷୀମାନେ ଡାଳୁଅ ଧାନ ଚାଷ କରିଥିଲେ । କିନ୍ତୁ ଦୁଇ ବର୍ଷ ଧରି ପୁଣି ଜଳମଗ୍ନ ହୋଇରହିଥିବାରୁ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏବେ ନବୀକରଣ ଯୋଜନା ସରିବା ବେଳକୁ ପ୍ରାୟ ଦୁଇବର୍ଷ ଲାଗିବ । ଫଳରେ ଆସନ୍ତା ଦୁଇ ବର୍ଷ ଧରି ପୁଣି ଚାଷ ଜନିତ କ୍ଷତି ସହିବେ ଚାଷୀ । ଅଂଶୁପାର ଅବସ୍ଥିତି ଦୃଷ୍ଟିରୁ ବର୍ଷା ଜଳ ଗୋଡିଘାଇ, କଦମ୍ବଜୋର, କାବଲାବନ୍ଧ ଦେଇ ମହାନଦୀରେ ମିଶିଥାଏ । କିନ୍ତୁ ଏହି ରାସ୍ତା ଏବେ ଜାମ୍‌ ରହିଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ । ଖାସ୍‌ ଏଇଥିପାଇଁ ଜଳସମ୍ପଦ ବିଭାଗ ଡ୍ରେନେଜ୍‌ ସର୍କଲ୍‌ ତରଫରୁ ଗତ ୩ ତାରିଖରେ ଅଂଶୁପାରୁ ମହାନଦୀ ପର୍ଯ୍ୟନ୍ତ ନର୍ଗତ ପ୍ରଣାଳୀର ନବୀକରଣ କରିବାକୁ ଟେଣ୍ଡର ଆହ୍ୱାନ କରାଯାଇଛି । ଆସନ୍ତା ୧୮ତାରିଖରେ ଟେକ୍ନିକାଲ୍‌ ବିଡ୍‌ ଖୋଲାଯିବା ପରେ କୌଣସି ସଂସ୍ଥାକୁ ଦାୟିତ୍ୱ ଦିଆଯିବ । କିନ୍ତୁ ଏ ପ୍ରକ୍ରିୟା ଯେ ସ୍ଥାୟୀ ସମାଧାନ ସେ କଥା ବିଭାଗୀୟ ଅଧିକାରୀ ସ୍ପଷ୍ଟ କରିପାରୁ ନାହାନ୍ତି । ଜଳସମ୍ପଦ ବିଭାଗର ଜଣେ ଅଧିକାରୀ କହିଛନ୍ତି, ନିଷ୍କାସନ ପଏଣ୍ଟ ଖୋଳାଯାଇ ସେଠାରେ ଏକ ସ୍ଲୁଇସ୍‌ ଗେଟ୍‌ କରାଯିବ । ଯାହାଫଳରେ ବର୍ଷା ଜଳକୁ ନିୟନ୍ତ୍ରଣ କରାଯାଇପାରିବ । ଚାଷ ଜମିରେ ପାଣି ପଶିଯାଉଥିଲା, ତା ପାଇଁ ଡ୍ରେନେଜ୍‌ ବ୍ୟବସ୍ଥା କରାଯିବ । ଏହାସହ ବର୍ଷ ତମାମ୍‌ କିଭଳି ଅଂଶୁପାରେ ପାଣି ରଖି ଜୈବ ବିବଧତାକୁ ନିୟନ୍ତ୍ରଣ କରାଯିବ ସେ ଦିଗରେ ଗୁରୁତ୍ୱ ଦିଆଯିବ ।