ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ପ୍ରତିକୂଳ ପାଗ ଦେଖି ଚାଷୀ ଛାନିଆ, ୫ରୁ ୭ କେଜି ଯାଏ ଧାନ କାଟି କିଣିନେବାକୁ ମିଲର୍ସଙ୍କୁ ନିଜ ଆଡୁ କଟ୍‌ନୀ ପ୍ରସ୍ତାବ

Published By : Prameya | December 23, 2024 9:03 AM

ଭବାନୀପାଟଣା, ୨୩/୧୨: ଦୁର୍ଦ୍ଦଶାରେ ଚାଷୀ । ଦୁଃଖ ବଢ଼ାଇଛି ଲଘୁଚାପ । କୋହଲା ପାଗ ସାଙ୍ଗକୁ  ଝିପିଝିପି ବର୍ଷା କଳାହାଣ୍ଡି ଜିଲ୍ଲାର ଚାଷୀଙ୍କୁ ଚିନ୍ତାଗ୍ରସ୍ତ କରିଦେଇଛି । ଏମିତିରେ ମଣ୍ଡିରେ ଅବ୍ୟବସ୍ଥା ହଟୁନାହିଁ । ଏଫ୍‌ଏକ୍ୟୁ ଧାନ ଓ  ଗ୍ରେନ୍‌ ଏନାଲାଇଜର ଜିଦ୍‌ରେ ଅଟଳ ପ୍ରଶାସନ । ମିଲର୍ସଙ୍କ କଟ୍‌ନୀ ଛଟ୍‌ନୀ ଗଣିତ ଛିଣ୍ଡୁନି । ଆଗକୁ ରବି ଚାଷ ପାଇଁ  ପ୍ରସ୍ତୁତି ଆବଶ୍ୟକ । ଏଭଳି ସ୍ଥିତିରେ  ଚାଷୀ କଷ୍ଟୋପାର୍ଜିତ ଧାନକୁ ଖରା-ବର୍ଷା  ଶୀତ-କାକରରେ ପକାଇ ରଖିବାକୁ  ଚାହୁଁନାହାନ୍ତି । ୫ରୁ ୭ କେଜି ଯାଏ ଧାନ କାଟି କିଣିନେବାକୁ ମିଲର୍ସଙ୍କୁ ନିଜ ଆଡୁ ପ୍ରସ୍ତାବ ଦେଉଛନ୍ତି । ଶତାଧିକ ଚାଷୀ ଏଭଳି ଭାବେ ଧାନ ବିକ୍ରି ମଧ୍ୟ କରି ସାରିଲେଣି ।  

ଚଳିତବର୍ଷ ଜିଲ୍ଲାରେ ମୋଟ ୧  ଲକ୍ଷ ୭୬ ହଜାର ୫୪୭ ହେକ୍ଟର  ଜମିରେ ଧାନଚାଷ ହୋଇଛି । ୮  ଲକ୍ଷ ୪୧ ହଜାର ୪୧୦ ମେଟ୍ରିକ ଟନ୍‌ ଧାନ ଉତ୍ପାଦନ ଲକ୍ଷ୍ୟ ରହିଥିବା  ବେଳେ ଜିଲ୍ଲାରେ ମୋଟ ୧ ଲକ୍ଷ ୧୪  ହଜାର ୭୫୮ ଚାଷୀ ଧାନ ବିକିବାକୁ  ପଞ୍ଜିକୃତ ହୋଇଛନ୍ତି । ନଭେମ୍ବର  ୨୯ରୁ ଖରିଫ ଧାନ ସଂଗ୍ରହ ଆରମ୍ଭ  ହୋଇଛି । ଚଳିତବର୍ଷ ପ୍ରଥମ କରି  ସରକାରଙ୍କ ପକ୍ଷରୁ ଏଆଇ ଗ୍ରେନ୍‌ ଏନାଲାଇଜର୍‌ ମେସିନରେ ଧାନର ମାନ  ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏଫ୍‌ଏକ୍ୟୁ ମାନର ଧାନକୁ ପ୍ରାଧାନ୍ୟ  ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି  କାରଣରୁ ପ୍ରଥମରୁ ହିଁ ଜିଲ୍ଲାର ମଣ୍ଡି  ଝୁଣ୍ଟିଛି । ଧାନ ଖର୍ଦ୍ଦିରେ ବ୍ୟାପକ  ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଧାନ  କିଣାବିକାକୁ ନେଇ ଟଣାଓଟଣା ଭିତରେ  ୧୫ ଦିନ ଅନ୍ତରରେ ଦୁଇଦୁଇ ଥର  ଲଘୁଚାପ ବର୍ଷା ଓ କୋହଳା ପାଗ  ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି ।  ୫ ଦିନ ଭିତରେ ଆଉ ଏକ ଲଘୁଚାପ  ଆସୁଥିବାରୁ ଚାଷୀମାନେ ପ୍ରମାଣ  ଗଣିଲେଣି । 

ଚଳିତବର୍ଷ ଜିଲ୍ଲାର ଜୟପାଟଣା,  କଲମପୁର, ଜୁନାଗଡ଼ ଓ ଭବାନୀପାଟଣା  ବ୍ଲକରେ ବମ୍ପର କ୍ରପ୍‌ ହୋଇଛି ।  ଉତ୍ପାଦନ ଭଲ ହୋଇଥିଲେ ମଧ୍ୟ ଧାନ  କିଣା ପ୍ରକ୍ରିୟା ଯେତିକି ଜୋର୍‌ ଧରିବା  କଥା, ତାହା ପରିଲକ୍ଷିତ ହୋଇନାହିଁ ।  ତେଣୁ ଚାଷୀ ପ୍ରଶାସନ କିମ୍ବା କୌଣସି  ବ୍ୟବସ୍ଥାକୁ ଅପେକ୍ଷା ନ କରି ୫ କେଜି  ଯାଏ ଧାନ କାଟିବାକୁ ମିଲର୍ସଙ୍କୁ ନିଜ  ଆଡୁ ପ୍ରସ୍ତାବ ଦେଉଛି । 

ଜୟପାଟଣା ବ୍ଲକ ସୁନ୍ଧରିଯୋର  ଗାଁର ଚାଷୀ ଜୟନ୍ତ ଖଡ଼ିକାର, ରାଜାରାମ  ଛତ୍ରିଆଙ୍କ କହିବା ହେଲା, ଧାନମଣ୍ଡିରେ  ପୂର୍ବରୁ ଯେମିତି ଅବ୍ୟବସ୍ଥା ରହିଥିଲା  ତାହା ଏଥର ମଧ୍ୟ ରହିଛି । ମୁଣ୍ଡ  ଉପରେ ରବି ଚାଷ ଚିନ୍ତା । ତେଣୁ  କଟ୍‌ନୀଛଟନୀ ବିବାଦରେ ନ ପଡି  କେମିତି ଧାନ ଶୀଘ୍ର ଉଠିବ ତାହା  ଗୁରୁତ୍ୱପୂର୍ଣ୍ଣ । ଅଞ୍ଚଳର ଶତାଧିକ  ଚାଷୀ ୫ କେଜି କଟ୍‌ନୀଛଟନୀରେ  ଧାନ ବିକିଥିବା ସେମାନେ କହିଛନ୍ତି ।  ସେହିପରି ଭବାନୀପାଟଣା ବ୍ଲକ  ମେଦିନୀପୁର, ଦେପୁର ଓ ଅନ୍ୟାନ୍ୟ  ଅଞ୍ଚଳରେ ଏଥର ପ୍ରଚୁର ଧାନ ଅମଳ  ହୋଇଛି । ଏଠାରେ ମଧ୍ୟ ପ୍ରତିକୂଳ ପାଗ  ଦାଉ ସାଧୁଛି । 

ଧାନ ନଷ୍ଟ ହୋଇଥିବା  ଆଶଙ୍କାରେ ଚାଷୀ ୭ କିଲୋ ଯାଏ  କଟ୍‌ନୀଛଟ୍‌ନୀରେ ଧାନ ବିକିଛନ୍ତି ।  ଲକ୍ଷ୍ମୀପର ଅଞ୍ଚଳର ଚାଷୀ ଶରତ ବୁଦ୍ଧିଆ କହିଛନ୍ତି, ବିନା କଟ୍‌ନୀଛଟ୍‌ନୀରେ  କୌଣସି ମିଲର୍ସ ମଣ୍ଡିରୁ ଧାନ  ଉଠାଇବାକୁ ମଙ୍ଗୁନାହାନ୍ତି । ୫ କିଲୋ  କଟନୀ ଓ ୨ କିଲୋ ବସ୍ତା ବାବଦକୁ ସହମତି ପରେ ମଣ୍ଡିରୁ ଧାନ ଉଠିଛି ।  ଧର୍ମଗଡ଼ ଟିପିଗୁଡ଼ା, ଡୁମେରଗୁଡ଼ା  ମଣ୍ଡିରେ ମଧ୍ୟ ଅନୁରୂପ ଦୃଶ୍ୟ  ଦେଖିବାକୁ ମିଳିଛି । ୬ କିଲୋ କଟ୍‌ନୀଛଟ୍‌ନୀରେ ଧାନ ମଣ୍ଡିରୁ ଉଠୁଛି । ତେବେ ଚଳିତଥର ଏମ୍‌ଏସପିଠାରୁ  ଅଧିକ ୮୦୦ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି  ମିଳୁଥିବାରୁ ଚାଷୀ ବିବାଦରେ ଛନ୍ଦି ନ  ହୋଇ ଧାନ ଉଠିଯାଉ ବୋଲି ସାମୂହିକ  ନିଷ୍ପତ୍ତିରେ ମିଲର୍ସକୁ ଧାନ ଉଠାଇବାକୁ  ସୁଯୋଗ ଦେଇଥିବା ଜଣାପଡ଼ିଛି ।  

ମୋଟାମୋଟି ଭାବେ କହିବାକୁ ଗଲେ  ଚଳିତ ଖରିଫ୍‌ରେ ଚିରାଚରିତ ମଣ୍ଡି  ଅବ୍ୟବସ୍ଥା ଦେଖାଯାଇଛି । ମାତ୍ର ରାଜ୍ୟ ସରକାରଙ୍କ ଇନ୍‌ପୁଟ୍‌ ସବସିଡି ଯୋଗୁଁ  ଚାଷୀ ମହଲରେ ପୂର୍ବଭଳି ଅସନ୍ତୋଷ  ପ୍ରତିଫଳିତ ହେଉନାହିଁ । ଏନେଇ ଜିଲ୍ଲା  ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା  ୨୧୭ଟି ମଣ୍ଡିରୁ ୮ ଲକ୍ଷ କ୍ୱିଣ୍ଟାଲ ଧାନ  ସଂଗ୍ରହ ହୋଇଛି । ଜିଲ୍ଲାକୁ ୫୦ ଲକ୍ଷ ୮୦ ହଜାର କ୍ୱଣ୍ଟାଲ ଧାନ ସଂଗ୍ରହ କରିବାକୁ  ଟାର୍ଗେଟ ରହିଛି ବୋଲି ସେ କହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.