ଭୁବନେଶ୍ୱର, ୨୨/୧୨: ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରିବେ  ସରକାର । ଚାଷୀଙ୍କ ପଞ୍ଜୀକରଣ ସହ ଡାଟାବେସ୍‌ ପ୍ରସ୍ତୁତ ହେବ । ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ଆଇଡି ନମ୍ବର ଓ ଡିଜିଟାଲ କାର୍ଡ । ଏହି କାର୍ଡ ଜରିଆରେ ସରକାର ଚାଷୀଙ୍କୁ ସରକାରୀ ସୁବିଧା ଯୋଗାଇ ଦେବେ ।  ସବୁ ଯୋଜନା ଓ ସହାୟତା ପାଇଁ ଏ  ସ୍ୱତନ୍ତ୍ର ନମ୍ବର ବିଶିଷ୍ଟ ଡିଜିଟାଲ କାର୍ଡ  ହେବ ବାଧ୍ୟତାମୂଳକ ।  

ମଧ୍ୟସ୍ଥି ଓ ଦଲାଲ ବ୍ୟବସ୍ଥା ହଟିବ । ସଂପୂର୍ଣ୍ଣ ସ୍ୱଚ୍ଛତା ସହକାରେ ପ୍ରକୃତ ଚାଷୀଙ୍କୁ ମିଳିବ ସରକାରୀ ସୁବିଧା । ସରକାରୀ ସହାୟତା ବାଟମାରଣା ହେବନି ।  ଅଣଚାଷୀ ଯୋଜନାକୁ ହଡ଼ପ କରି ନେବେନି । ଏଥିପାଇଁ ନୂଆ ଡିଜିଟାଲ କାର୍ଡ ବଣ୍ଟନ ପାଇଁ ଜାନୁଆରୀ  ପହିଲାରୁ ପ୍ରତି ପଞ୍ଚାୟତରେ ପଞ୍ଜୀକରଣ ଆରମ୍ଭ  ହେବ। ମାର୍ଚ୍ଚ ୩୧ ଯାଏ ଏହି ପଞ୍ଜିକରଣ ଚାଲିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ପଞ୍ଚାୟତରେ ଶିବିର ଆୟୋଜନ  ହେବ । ଏଥିରେ ପ୍ରତ୍ୟେକ  ଚାଷୀଙ୍କର ଡିଜିଟାଲ ଡାଟାବେସ୍‌  ପ୍ରସ୍ତୁତ ହେବ । ଚାଷୀଙ୍କୁ ୧୪ଟିକିଆ  ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର ଓ ଡିଜିଟାଲ  କାର୍ଡ ମିଳିବ । ଏହା ମାଧ୍ୟମରେ ଚାଷୀଙ୍କୁ ଚିହ୍ନଟ  କରାଯିବା ସହ ସିଧାସଳଖ ସରକାରଙ୍କ ସବୁ ସୁବିଧା  ଓ ଯୋଜନାର ଲାଭ ମିଳିପାରିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପିଏମ୍‌-କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, ସିଏମ୍‌-କିଷାନ,  ଫସଲ ଋଣ ଓ ଅନ୍ୟାନ୍ୟ ସମସ୍ତ କୃଷି ସବ୍‌ସିଡିକୁ  ସ୍ୱଚ୍ଛତାର ସହ ପ୍ରଦାନ କରାଯିବ । 

ଜିଲ୍ଲାପାଳମାନେ ଏହି ଡାଟାବେସ୍‌ କେମିତି ପ୍ରସ୍ତୁତ କରିବେ ସେ  ସଂପର୍କରେ ମାର୍ଗଦର୍ଶିକା ସହ କୃଷି ନିର୍ଦ୍ଦେଶକ ଚିଠି କରିଛନ୍ତି । କେଉଁ ଚାଷୀଙ୍କର କେତେ ଜମି ଅଛି? ବାର୍ଷିକ ଆୟ କେତେ? ସେ କେତେ  ପରିମାଣର ଚାଷଜମିର ମାଲିକ । ସେଥିରୁ କେତେ ଜଳସେଚିତ  ଓ କେତେ ଅଣଜଳସେଚିତ ସେ ତଥ୍ୟ ଡାଟାବେସରେ ରହିବ ।  ପ୍ରଥମ ପର୍ଯ୍ୟାୟରେ ନୂଆବର୍ଷରୁ ଏହି ଚାଷୀ ପଞ୍ଜୀକରଣ ଆରମ୍ଭ  ହେବ । ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର ଶିବିରରେ ୨ଜଣ ଗ୍ରାମ୍ୟ କୃଷି  ସେବକ, ଜଣେ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହିବେ । ଚାଷୀଙ୍କୁ  ଏ ସଂପର୍କରେ ସ୍ଥାନୀୟ କୃଷକ ସାଥୀ ସଚେତନ କରାଇ ଶିବିରକୁ  ଆଣିବେ । ପ୍ରତି ଶିବିରର ତଦାରଖ ଦାୟିତ୍ୱରେ କୃଷି ଓଭରସିୟର,  ବ୍ଲକ କୃଷି ଅଧିକାରୀ, ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ  ମଧ୍ୟରୁ ଜଣେ ରହିବେ । ଚାଷୀମାନେ ନିଜର ଆଧାର କାର୍ଡ, ଆଧାର  ଲିଙ୍କ ଥିବା ମୋବାଇଲ ଫୋନ୍‌, ଜମି ପଟ୍ଟା ଅବା ଦଲିଲ ଧରି  ଶିବିରକୁ ଆସିବେ । ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି ଶିବିରରେ  ପିଏମ୍‌ କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, କୃଷକ ଓଡ଼ିଶାର  ହିତାଧିକାରୀଙ୍କ ପଞ୍ଜୀକରଣ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ  ନିର୍ଦ୍ଦେଶ ଦିଆଯାଇଛି ।  

ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ ।  ଜନସେବା କେନ୍ଦ୍ର କିମ୍ବା ଏଗ୍ରିଷ୍ଟାକ୍‌ ୱେବସାଇଟ୍‌ ଜରିଆରେ  ଏହି ପଞ୍ଜୀକରଣ କରାଯିବ । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଆଧାର  କେୱାଇସି, ସର୍ଭେ ଡାଟାବେସରୁ ସଂଗୃହୀତ ତଥ୍ୟ ଠିକଠାକ୍‌  ଥିଲେ ଚାଷୀଙ୍କୁ ୨୪ଘଣ୍ଟା ମଧ୍ୟରେ ୧୪ଟିକିଆ ସ୍ୱତନ୍ତ୍ର ଆଇଡି  ନମ୍ବର ମିଳିବ । ଯେଉଁମାନଙ୍କର କିଛି ସମସ୍ୟା ଥିବ ସେମାନଙ୍କୁ  ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ତହସିଲଦାରଙ୍କ ମାଧ୍ୟମରେ ରେକର୍ଡ  ଯାଞ୍ଚ ପରେ ହିଁ ଏ ନମ୍ବର ମିଳିବ । ରାଜ୍ୟ ସରକାର ଏହି ଚାଷୀ  ପଞ୍ଜୀକରଣ ପରେ ଆସନ୍ତା ଆର୍ଥିକ ବର୍ଷରୁ ପିଏମ୍‌ କିଷାନ, ସିଏମ୍‌  କିଷାନ ସହ ପ୍ରଧାନମନ୍ତ୍ରୀ ଫସଲ ବୀମା ଆଦି ପାଇଁ ଏହି ସ୍ୱତନ୍ତ୍ର  ଆଇଡି ନମ୍ବରକୁ ବାଧ୍ୟତାମୂଳକ କରିବାକୁ ଯୋଜନା ରଖିଛନ୍ତି ।