କୋଣାର୍କ, ୭।୭ : ପୁରୀ-କୋଣାର୍କ ବେଳାମାର୍ଗରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଟାଭେରା। ଡ୍ରାଇଭର୍ଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ। ୬ ପର୍ଯ୍ୟଟକ ଆହତ। ଡାକ୍ତରଖାନାରେ ଭର୍ତ୍ତି।
ସୂଚନାନୁଯାୟୀ, ପୁରୀରୁ କୋଣାର୍କ ବୁଲିବାକୁ ଆସିଥିବା ଏକ ଟାଭେରା ଚନ୍ଦ୍ରଭାଗା ନିକଟ ବେଳାମାର୍ଗ କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟିରେ ମାଡ଼ ହୋଇଥିଲା। ସ୍ଥାନୀୟ ଲୋକେ ଗାଡି ଭିତରୁ ୬ ଜଣ ପର୍ଯ୍ୟଟକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ହେଲେ ଡ୍ରାଇଭର ଜଣକ ଗାଡ଼ିରେ ଫସି ରହିଥିଲେ। ଏହି ସମୟରେ ନାଉଗାଁରୁ କୋଣାର୍କ ବୁଲିବାକୁ ଆସିଥିବା ତିନିଜଣ ସାଙ୍ଗଙ୍କ ମଧ୍ୟରୁ ରଞ୍ଜିତ ପଢ଼ିଆରୀ ଡ୍ରାଇଭର୍ଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଖବର ପାଇ ଚମ୍ପାହାର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ଡ୍ରାଇଭର ଓ ରଞ୍ଜିତଙ୍କୁ ଆଣି କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ରଞ୍ଜିତଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି।