ଜହ୍ନ।ପଙ୍କ, ୨୮/୫: ବୌଦ୍ଧ ବ୍ଲକ ପ୍ରଶାସନ ପକ୍ଷରୁ ଗତକାଲି ଗୌନ୍ଦିସର ନିକଟରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବାପ ଝିଅଙ୍କ ମୃତଦେହକୁ ଆଜି ବୌଦ୍ଧ ଠାରେ ବ୍ୟବଚ୍ଛେଦ କରାଇବା ପରେ ଗ୍ରାମରେ ପହଞ୍ଚାଇ ସଂସ୍କାର କରାଇଛି l ଗତକାଲି ସନ୍ଧ୍ୟାରେ ବୌଦ୍ଧ ଥାନା ଗୌନ୍ଦିସର ଗ୍ରାମ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଚରିଆପାଲି ଗ୍ରାମର ଗଜେନ୍ଦ୍ର ମଲ୍ଲିକ ଓ ୮ ବର୍ଷର ଝିଅର ମୃତ୍ୟୁ ହୋଇ ଯାଇଥିଲା l ବାଇକରେ ବସିଥିବା ଗଜେନ୍ଦ୍ରଙ୍କ ପତ୍ନୀ ଓ ଅନ୍ୟ ଦୁଇ ଶିଶୁ କନ୍ୟା ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି |
ଆଜି ଅପରାହ୍ନରେ ବୌଦ୍ଧ ଠାରେ ମୃତ ବାପ ଝିଅଙ୍କ ବ୍ୟବଚ୍ଛେଦ କରାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ବ୍ଲକ ଏବିଡିଓ ସୁଦାମ ଚରଣ ସାମଲ, ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ଭାବେ ସମାଜସେବୀ ଧର୍ମୁଧର ପୋଢ, ଟିକର ପଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ହିମାଂଶୁ ଶେଖର ପ୍ରଧାନ ମୃତଦେହକୁ ଚରିଆପାଲି ଗ୍ରାମକୁ ନେଇ ପରିବାର ବର୍ଗଙ୍କ ସହ ଶ୍ମଶାନକୁ ନେଇ ସଂସ୍କାର କରାଇଥିଲେ l ହରିଶ୍ଚନ୍ଦ୍ର ଯୋଜନାରୁ ୬ ହଜାର ଟଙ୍କା ପ୍ରଦାନ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାପ ଝିଅଙ୍କ ପାଇଁ କରିଥିବା ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକଂପା ମୁଳକ ସହାୟତାର ଘୋଷଣା କରିଛନ୍ତି ।