ବ୍ରହ୍ମପୁର, ୯।୧୦   :  ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ଅଞ୍ଚଳରେ ନିଆଁରେ ପୋଡି ହୋଇ ଯୁବତୀ ମୃତ୍ୟୁ ଘଟଣାରେ ସଦର ପୁଲିସ ବାପା ଓ ସାବତ ମାଆଙ୍କୁ ଗିରଫ କରିଛି।   ଗିରଫ ୨ ଜଣ ହେଲେ ବାପା ଅଶୋକ ପ୍ରଧାନ ଓ ସାବତ ମାଆ ଜ୍ୟୋସ୍ନା ପ୍ରଧାନ । ଗତ ୭ ତାରିଖ ସନ୍ଧ୍ୟାରେ ଝିଅ ରାଣୀ ପ୍ରଧାନ ବାପାଙ୍କ ଅକଥନୀୟ ଅତ୍ୟାଚାର ସହି ନପାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଗୁରୁତର ହୋଇଥିଲେ।   ଚିକିତ୍ସାଧିନ ଅବସ୍ଥାରେ ୮  ତାରିଖରେ ରାଣୀଙ୍କ ମୃତ୍ୟୁ ହୋଇଥିଲା। 

ମୃତ ଯୁବତୀ ଯୁକ୍ତ ୩ ବିଜ୍ଞାନ ଶେଷ ବର୍ଷର ଛାତ୍ରୀ ଥିଲେ । ପିଲାଟି ଦିନରୁ ମାଆଙ୍କୁ ହରାଇ ଥିଲେ । ସେ ସାବତ ମାଆ ଓ ବାପାଙ୍କ ସହ ରହୁଥିଲେ । ଗତ କିଛି ବର୍ଷ ହେଲା ବାପା ମଦ ପିଇ ଝିଅକୁ ନିର୍ଯାତନା ଦେଇ ଆସୁଥିଲେ।  ସୋମବାର ଘରେ କେହି ନଥିବାବେଳେ ବାପା-ଝିଅଙ୍କର ଝଗଡା ହୋଇଥିଲା । ଏହାପରେ ଦେହରେ କିରାସିନି ଢାଳି ସେ  ଆତ୍ମାହୁତି ଉଦ୍ୟମ କରିଥିଲେ ।   ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବାପାଙ୍କ ଅତ୍ୟାଚାର ନେଇ ରାଣୀ ଅଭିଯୋଗ କରୁଥିବା ଭିଜୁଆଲ ଭାଇରାଲ ହୋଇଥିଲା।   ଏହି ଘଟଣାର ତଦନ୍ତ ପରେ ପୁଲିସ ଉଭୟ ବାପା ଓ ସାବତ ମାଆଙ୍କୁ ଗିରଫ କରିଛି।