ପ୍ରମୂଖ ଖବର
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗଛରେ ପିଟି ହୋଇ ବାପ-ଝିଅ ମୃତ, ପୁଅ ଗୁରୁତର

Published By : Rasmita Pradhan | May 2, 2025 11:22 AM

ଭୁବନେଶ୍ଵର, ୦୨/୦୫ : ଝିଅକୁ ହଷ୍ଟେଲରୁ ଆଣି ଖୁସି ମନରେ ଘରକୁ ଫେରୁଥିଲେ। ଆଉ କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ। ହେଲେ ବାଟରେ ଜଗି ବସିଥିଲା ଯମ। ଗଛରେ ବାଇକ୍ ପିଟି ହୋଇ ଚାଲିଗଲା ବାପ-ଝିଅଙ୍କ ଜୀବନ। ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି। ଉଦଳା ଶରତ ଥାନା ରୁଗୁଡ଼ି ଛକ ନିକଟରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। 

ସୂଚନାନୁଯାୟୀ, ରୁଗୁଡ଼ି ଗ୍ରାମର କୁମାର ମାରାଣ୍ଡିଙ୍କ ଝିଅ କପ୍ତିପଦା ଥାନା ଜାମୁପଦା ଆଶ୍ରମ ବିଦ୍ୟାଳୟରେ ପଢ଼ୁଥିଲେ। ଝିଅକୁ ହଷ୍ଟେଲରୁ ନେବାକୁ କୁମାର ଓ ତାଙ୍କ ପୁଅ ବାଇକ୍ ଯୋଗେ ଆସିଥିଲେ। ସମସ୍ତେ ସାଙ୍ଗ ହୋଇ ଘରକୁ ଫେରୁଥିବା ବେଳେ ରୁଗୁଡ଼ି ଛକ ନିକଟରେ ଭାରସାମ୍ୟ ହରାଇ ବାଇକ୍‌ଟି ଏକ ମହୁଲ ଗଛରେ ପିଟି ହୋଇଯାଇଥିଲା। ସମସ୍ତେ ଗାଡିରୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ କୁମାର ମାରାଣ୍ଡି ଏବଂ ତାଙ୍କ ଝିଅଙ୍କର ମୃତ୍ୟୁ ହୋଇଥିଲା। ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ଖବର ପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  

ଏହି ଖବରଟିକୁ ପଢନ୍ତୁ-ପାରିବାରିକ କଳହର କରୁଣ ପରିଣତି, ବାପାକୁ ହତ୍ୟା କଲା ନାବାଳକ ପୁଅ



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.