ମହାରାଷ୍ଟ୍ର୦୩/୦୨: ମହାରାଷ୍ଟ୍ରର ନାନ୍ଦେଡ୍ ସ୍ଥିତ କେରୁର ଗାଁର ପାଣ୍ଡୁରାଙ୍ଗ କୋଣ୍ଡମାଙ୍ଗଲେ ସରପଞ୍ଚ ହେବାକୁ ନିଜର ଯମଜ ଝିଅଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଛନ୍ତି । ଆସନ୍ତା ଜୁନ୍ରେ ମହାରାଷ୍ଟ୍ରରେ ପଞ୍ଚାୟତ ନିର୍ବାଚନ ଥିବାରୁ ୨୮ ବର୍ଷୀୟ କୋଣ୍ଡମାଙ୍ଗଲେ ବ୍ୟସ୍ତବିବ୍ରତ ହୋଇପଡ଼ିଲେ । ତାଙ୍କ ପାଖରେ ବି ସରପଞ୍ଚ ହେବାର ସାମର୍ଥ୍ୟ ଅଛି ବୋଲି ଭାବିଲେ । କିନ୍ତୁ ମହାରାଷ୍ଟ୍ରର ପଞ୍ଚାୟତ ରାଜ ଅଧିନିୟମ ଅନୁସାରେ, ୨ରୁ ଅଧିକ ସନ୍ତାନ ଥିବା ଲୋକେ ପଞ୍ଚାୟତ ନିର୍ବାଚନରେ ପ୍ରତିଯୋଗିତା କରିପାରିବେ ନାହିଁ । ଏହି ସ୍ଥିତିରେ କୋଣ୍ଡମାଙ୍ଗଲେ ଗାଁର ବର୍ତ୍ତମାନର ସରପଞ୍ଚ ଗଣେଶ ଶିନ୍ଦେଙ୍କଠୁ ଏ ନେଇ ଉପଦେଶ ନେବାକୁ ସ୍ଥିର କଲେ । ଉଭୟ ଭଲ ସାଙ୍ଗ ଥିଲେ । ତେଣୁ ଉଭୟ ମିଶି କୋଣ୍ଡମାଙ୍ଗଲେଙ୍କ ଯମଜ ଝିଅଙ୍କ ମଧ୍ୟରୁ ବଡ଼ ଝିଅ ପ୍ରାଚୀଙ୍କଠୁ ମୁକ୍ତି ପାଇବାକୁ ନିଷ୍ପତ୍ତି ନେଲେ ।
ପ୍ରଥମେ ପ୍ରାଚୀଙ୍କୁ ଅନ୍ୟ କାହାକୁ ପୋଷ୍ୟ ପାଇଁ ଦେବାକୁ ଚିନ୍ତାକଲେ । କିନ୍ତୁ ଏହା ଦ୍ୱାରା ଜନ୍ମ ପ୍ରମାଣପତ୍ରରେ କୋଣ୍ଡମାଙ୍ଗଲେଙ୍କ ଝିଅ ଭାବେ ପ୍ରାଚୀଙ୍କ ନାଁ ରହିବ । ପରେ ଭାବିଲେ ପ୍ରାଚୀଙ୍କୁ ବାହାରେ ଛାଡ଼ିଦେବେ । କିନ୍ତୁ ଝିଅ ଗାଁକୁ ଫେରିଆସିଲେ, ସେମାନଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ । ଶେଷରେ ପ୍ରାଚୀଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ଏହାକୁ ଦୁର୍ଘଟଣାର ରୂପ ଦେବାକୁ ମଧ୍ୟ ଯୋଜନା କଲେ । କୋଣ୍ଡମାଙ୍ଗଲେ ପ୍ରାଚୀଙ୍କୁ ବାଇକ୍ରେ ଗାଁଠୁ କିଛି କିମି ଦୂର ନିଜାମବାଦ ଜିଲ୍ଲାର ନିଜାମସାଗର ବୁଲାଇ ନେଲେ । ଝିଅକୁ ପାଣିକୁ ଠେଲି ଦେଇ ସେଠାରୁ ପଳାଇଗଲେ । କିନ୍ତୁ ନିକଟସ୍ଥ କ୍ଷେତରେ କାମ କରୁଥିବା ଲୋକେ ପାଣିରେ ଶବ୍ଦ ଶୁଣି ଧାଇଁଆସିଲେ ଏବଂ ପ୍ରାଚୀଙ୍କ ମୃତ ଶରୀର କେନାଲରେ ଭାସୁଥିବା ଦେଖିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଚୀଙ୍କ ଫଟୋ ଉଠାଇଲା ଏବଂ ସୋସିଆଲ ମିଡିଆ ଓ ଖବରକାଗଜରେ ଶେୟାର କଲା ।
ଆହୁରି ପଢ଼ନ୍ତୁ...ଉତ୍ତରା କୌଶଲ୍ୟାଗଙ୍ଗ ନିକଟରେ କିନ୍ନରଙ୍କୁ ବିଭତ୍ସ୍ୟ ହତ୍ୟା; ଗୁପ୍ତାଙ୍ଗକୁ କାଟିଦେଲେ ଦୁର୍ବୃତ୍ତ
ପ୍ରାଚୀଙ୍କ ଗାଁର ଜଣେ ବ୍ୟକ୍ତି ତାଙ୍କୁ ଚିହ୍ନି ତେଲଙ୍ଗାନା ପୁଲିସକୁ ଜଣାଇଲେ । ଏହି ହତ୍ୟାକାଣ୍ଡର ଯାଞ୍ଚ୍ ଲାଗି ତେଲଙ୍ଗାନା ପୁଲିସ ୩ଟି ଟିମ୍ ଗଠନ କରିଥିଲା । ଗୋଟିଏ ଟିମ୍ ମହାରାଷ୍ଟ୍ରର କେରୁର ଗାଁରେ ପହଞ୍ଚି କୋଣ୍ଡମାଙ୍ଗଲେଙ୍କୁ ଗିରଫ କଲା । ପ୍ରଥମେ ସେ ମିଛ କହିଲେ, କିନ୍ତୁ ପରେ ପ୍ରାଚୀଙ୍କୁ ହତ୍ୟା କରିଥିବା ସ୍ୱୀକାର କଲେ । ହତ୍ୟାକାଣ୍ଡରେ ସାମିଲ ସରପଞ୍ଚଙ୍କୁ ମଧ୍ୟ ଗିରଫ କରାଯାଇଛି । ପ୍ରାଚୀ ପାଣିରେ ପହଁରା ଜାଣିନଥିଲେ । ଗାଁ ଲୋକ ୧୦ ମିନିଟ୍ ଭିତରେ ସେଠାରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ ।