ଭୁବନେଶ୍ୱର/ଧଉଳି,୦୨/୦୨:: ରାଜଧାନୀ ଉପକଣ୍ଠ ଉତ୍ତରା କୌଶଲ୍ୟାଗଙ୍ଗ ନିକଟରେ ଏକ ବିଭତ୍ସ୍ୟ ହତ୍ୟାକାଣ୍ଡ ଘଟିଛି । ଦୁର୍ବୃତ୍ତମାନେ ଜଣେ କିନ୍ନରଙ୍କୁ ଖିନ୍ଭିନ୍ କରି ହାଣି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ସୋନା କିନ୍ନର ନାଁରେ ପରିଚିତ । ତାଙ୍କ ପ୍ରକୃତ ନାଁ ଜଣାପଡ଼ିନାହିଁ । କିନ୍ନରଙ୍କ ଘର କଟକ ସାଲେପୁର ଅଞ୍ଚଳରେ । ସେ ଭୁବନେଶ୍ୱରରେ ଭଡ଼ାସୂତ୍ରରେ ରହୁଥିଲେ । ପିପିଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।
ଭୁବନେଶ୍ୱରରୁ ପୁରୀ ଏନ୍ଏଚ୍ ନଂ ୩୧୬ର କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ସିଫା ମୁଖ୍ୟ ଫାଟକ ନିକଟ ରାସ୍ତାକଡ଼ ବାଲିଗଦା ପଛପଟେ ଏକ କିନ୍ନର ଗୋଷ୍ଠୀଙ୍କ ମେଳି ଜମେ । ପ୍ରତିଦିନ ସନ୍ଧ୍ୟାରୁ ବିଳମ୍ବିତ ରାତି ଯାଏଁ ସେଠାରେ ୩-୪ଜଣ କିନ୍ନର ଘୁରି ବୁଲନ୍ତି । ରବିବାର ସନ୍ଧ୍ୟା ୭ଟା ବେଳର ଘଟଣା । ସୋନା ସେଠାରେ ପହଞ୍ଚିବା କ୍ଷଣି କିଛି ଦୁର୍ବୃତ୍ତ ତାଙ୍କୁ ଘେରିଯାଇ ଯୁକ୍ତିତର୍କ ଆରମ୍ଭ କଲେ । ସୋନା ବିରୋଧ କରିବା ସହ ପୁଲିସର ଆଶ୍ରୟ ନେବାକୁ ଚେତାବନୀ ଦେବାରୁ ଦୁର୍ବୃତ୍ତମାନେ ଉତ୍କ୍ଷିପ୍ତ ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତ- ସୋନାଙ୍କ ଭିତରେ ବାଲିଗଦାରେ ବେଶ୍ କିଛି ସମୟ ଧସ୍ତାଧସ୍ତି ଚାଲିଲା । ଦୁର୍ବୃତ୍ତମାନଙ୍କୁ ସମ୍ଭାଳିବା ଅସହ୍ୟ ହେବାରୁ ସୋନା ଧାଇଁ ବିଲ ଆଡକୁ ପଳାଇଥିଲେ । ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ । ଏନ୍ଏଚ୍ରେ ଯାଉଥିବା ଲୋକ ରୁଣ୍ଡ ହୋଇଯିବାରୁ ଦୁର୍ବୃତ୍ତମାନେ ଛୁ ମାରିଥିଲେ । ସୋନାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋନାଙ୍କ ବାମ ଗୋଡ଼, ଜଙ୍ଘ, ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ଥିବା ଡାକ୍ତର କହିଛନ୍ତି । ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି । ବାଲିଗଦା ନିକଟରେ ନକଲି ଚୁଟି, ଅନ୍ତବସ୍ତ୍ର, ଚପଲ, ମେଞ୍ଚାଏ ରକ୍ତ ପଡି଼ଥିବା ପୁଲିସ ଦେଖିଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ଏହାର ନମୁନା ସଂଗ୍ରହ କରିବେ । କ୍ୟାପିଟାଲ ହସ୍ପିଟାଲରେ ସୋନାଙ୍କ ମୃତଦେହ ରଖାଯାଇଛି । ହସ୍ପିଟାଲର ଶବାଗାରରେ କିନ୍ନର ଅଧିକାର କର୍ମୀ ମୀରା ପରିଡ଼ା ଓ ଅନ୍ୟ କିନ୍ନରମାନେ ପହଞ୍ଚି ଶୋକବ୍ୟକ୍ତ କରିଛନ୍ତି । ହତ୍ୟାକାରୀକୁ ତୁରନ୍ତ ଧରିବାକୁ ସେମାନେ ଦାବି କରିଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।
ପୁଲିସ କହିବା ମୁତାବକ, ସୋନା ୩-୪ ଦିନ ଧରି ଉକ୍ତ କିନ୍ନର ଖଟିକୁ ଯାଉଥିଲେ । ପୂର୍ବରୁ ସେଠାରେ ଆଡ୍ଡା ଜମାଉଥିବା କିନ୍ନରଙ୍କ ବେପାର ମାନ୍ଦା ହେବା ଭୟ ଘାରିଥିଲା । ସେଠାକୁ ନ ଆସିବା ପାଇଁ ଅନ୍ୟ କିନ୍ନରମାନେ ସୋନାଙ୍କୁ ଚେତାଇଥିଲେ । ଏହା ହତ୍ୟା ପଛର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ହତ୍ୟାକାରୀଙ୍କୁ ଖୋଜାଚାଲିଛି ।
ଆହୁରି ପଢ଼ନ୍ତୁ :- ଫିଟିବ ହ୍ୟୁମାନ୍ ସାଗରଙ୍କ ଅକାଳ ମୃତ୍ୟୁ ରହସ୍ୟ: ଆସିଲା ମେଡିକାଲ ରିପୋର୍ଟ, ସୁରାକ ଖୋଜୁଛି ପୁଲିସ