ରାଜସ୍ଥାନ ୧୭/୦୫: ନିଟ୍-ୟୁଜି ୨୦୨୬ ପେପର୍ ଲିକ୍ ମାମଲାର ଯାଞ୍ଚ କରୁଛି ସିବିଆଇ । ରାଜସ୍ଥାନର ସିକର ଜିଲ୍ଲାକୁ ଏହା ଯାଞ୍ଚ ପରିସରକୁ ଆଣିଛି । ଏ ମାମଲାରେ ସମ୍ପୃକ୍ତ ୩ ଜଣଙ୍କୁ ସିବିଆଇ ଗିରଫ କରିଛି । ଅଧିକାରୀଙ୍କ ଅନୁସାରେ, ଅଭିଯୁକ୍ତ ନିଟ୍ ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଏକ ‘ଗେସ୍’ ବା ଅନୁମାନ ପେପର୍ କିଣିଥିଲେ ଏବଂ ଏହାକୁ କୋଚିଂ ସେଣ୍ଟର୍‌ଗୁଡ଼ିକୁ ଯୋଗାଇଥିଲେ । ସେଠାରୁ ପ୍ରଶ୍ନପତ୍ର ପ୍ରସାର ହେଲା । ସିବିଆଇ ଅଭିଯୁକ୍ତ ଦିନେଶ ବିଭଲଙ୍କ ପୁଅ ଋଷି ବିଭଲଙ୍କୁ ଖୋଜୁଛି । ଅଭିଯୋଗ ଅନୁସାରେ, ପରୀକ୍ଷା ପୂର୍ବରୁ ସେ ଲିକ୍ ପ୍ରଶ୍ନପତ୍ର ପାଇଥିଲେ ।

ସିବିଆଇ ଅନୁସାରେ, ଦିନେଶ ବିଭଲ ପୁଅ ଋଷିଙ୍କ ପାଇଁ ଲିକ୍ ପ୍ରଶ୍ନପତ୍ର ପାଇବାକୁ ସିକରରେ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲେ । ତେବେ ଆଗୁଆ ପ୍ରଶ୍ନପତ୍ର ପାଇ ସୁଦ୍ଧା ଋଷି ନିଟ୍‌ରେ ୭୨୦ରୁ ମାତ୍ର ୧୦୭ ମାର୍କ ରଖିଥିଲେ । ଏବେ ସେ ଫେରାର୍ ଅଛନ୍ତି । ଯାଞ୍ଚରୁ ଜଣାପଡ଼ିଛି, ଦିନେଶ ଋଷିଙ୍କ ପାଇଁ ପ୍ରଶ୍ନପତ୍ର କିଣିଥିବା ପଚରାଉଚରା ବେଳେ ସ୍ୱୀକାର କରିଛନ୍ତି ।

ଯାଞ୍ଚ୍‌ରୁ ଆହୁରି ଜଣାପଡ଼ିଛି, ଋଷି ବୋର୍ଡ ପରୀକ୍ଷାରେ ଅତି ଖରାପ ପ୍ରଦର୍ଶନ କରିଥିଲେ । ମାତ୍ର ୪୪ ପ୍ରତିଶତ ମାର୍କ ସହିତ ସେ ୧୦ମ ପାସ୍ କରିଥିଲେ ଏବଂ ଦ୍ୱାଦଶରେ ୫୦.୮୦ ପ୍ରତିଶତ ମାର୍କ ସହିତ ୨ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏଥିପାଇଁ ତାଙ୍କୁ ଗ୍ରେସ୍ ମାର୍କ ଆବଶ୍ୟକ ଥିଲା । ଯାଞ୍ଚ ଅଧିକାରୀ ସିକରରେ ଏକ ଫ୍ଲାଟ୍ ଚିହ୍ନଟ କରିଛନ୍ତି, ଯାହା ଲିକ୍ ପେପର୍ ବଣ୍ଟନ ଓ ପ୍ରାର୍ଥୀଙ୍କ ସହ ଯୋଗାଯୋଗ ଲାଗି ସେଣ୍ଟର ଭାବେ କାମ କରିଥିଲା । ଏହି ନେଟ୍‌ୱର୍କର କିଛି ସଦସ୍ୟ ନିଜେ ଲିକ୍ ପେପର୍ ପିଲାଙ୍କ ପାଖରେ ପହଞ୍ଚାଇଥିଲେ । ଦିନେଶ ବିଭଲ ଓ କିଛି ପରିବାର ସଦସ୍ୟ ଏହି ଭୂମିକା ନିର୍ବାହ କରିଥିବା ସନ୍ଦେହ କରାଯାଉଛି ।