ଭୁବନେଶ୍ୱର, ୧୪/୦୭: ବାଲେଶ୍ୱର ଏଫଏମ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଏମ୍ସରେ ଝିଅ ସୁସ୍ଥ ହେବା ପାଇଁ କାମନା କରି ରାଜ୍ୟବାସୀଙ୍କୁ ଠାକୁରଙ୍କ ନିକଟରେ ହାତ ଯୋଡ଼ି ପାର୍ଥାନା କରିବାକୁ ଅନୁରୋଧ କଲେ ଛାତ୍ରୀଙ୍କ ବାପା । ଡାକ୍ତରୀ ଟିମ୍ ରାତି ଦିନ ଏକ କରି ସୁସ୍ଥ କରିବାକୁ ଲାଗି ପଡିଛନ୍ତି । ଏହା ସହ ଉଚ୍ଚ ଅତ୍ୟାଧୁନିକ ପଦ୍ଧତିରେ ସମସ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରବିବାର ଛାତ୍ରୀଙ୍କର ପରିଶ୍ରା ହୋଇଥିବାବେଳେ ଡାକ୍ତର କିନ୍ତୁ ଏଥିରେ ସନ୍ତୁଷ୍ଟ ନଥିବା ତାଙ୍କ ବାପାଙ୍କୁ କହିଛନ୍ତି ।
ବାଲେଶ୍ୱର ଏଫଏମ୍ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କ ଶରୀରର ୯୫ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଫୁସ୍ଫୁସ୍ ଓ କିଡନୀ ପ୍ରଭାବିତ ହୋଇଛି । ଏସବୁ ଭିତରେ ଏମ୍ସରେ ପୀଡ଼ିତାଙ୍କ ଡାଏଲିସିସ୍ ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍ସର ପରାମର୍ଶ କ୍ରମେ ଚାଲିଛି ଚିକିତ୍ସା । ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ଏମ୍ସର ବିଶେଷଜ୍ଞ ମତାମତ ନିଆଯାଇଥିଲା ।
ପୀଡ଼ିତାଙ୍କ ସୁଗାର ଲେବଲ୍ ଉପରେ ଦୃଷ୍ଟି ରଖାଯାଇଛି । ହେମୋଡାଇନାମିକ ମନିଟରିଂ କରାଯାଉଛି । ପୀଡ଼ିତାଙ୍କ ପୋଟାସିୟମ ସ୍ତର ବହୁତ କମିଯାଇଛି । କିଡନୀ କାମ କରୁନଥିବାରୁ ପରିସ୍ରା ହେଉନି । ୯୮% ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତା । ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ପରିବାରକୁ କୁହାଯାଇଛି । ଭିଟାମିନ-ସି, ଡି, ଏ ଓ ଜିଙ୍କ୍ ସପ୍ଲିମେଣ୍ଟ ଦିଆଯାଉଛି । ନିୟମିତ ବ୍ୟବଧାନରେ ରକ୍ତ ପରୀକ୍ଷା କରାଯାଉଛି । ଭୁବନେଶ୍ୱର ଏମ୍ସ ପକ୍ଷରୁ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରାଯାଇଛି ।
ଏମ୍ସ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ଚିକିତ୍ସାର ତଦାରଖ କରୁଛନ୍ତି । ପୀଡ଼ିତାଙ୍କୁ ICU ଭେଣ୍ଟିଲେଟରରେ ରଖାଯାଇଛି । ପୀଡ଼ିତାଙ୍କ ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଥିବାବେଳେ ଏକ ୧୦ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛି । ସେପଟେ ଏଫଏମ୍ କଲେଜରେ ତଦନ୍ତ କରି ଫେରିଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ । କ୍ରାଇମବ୍ରାଞ୍ଚର ଆଡିସନାଲ ଏସପି ଓ ଅତିରିକ୍ତ ଡିଏସପି କଲେଜରେ ପହଞ୍ଚି ଯାଞ୍ଚ କରିଛନ୍ତି ।
ଫକୀରମୋହନ ମହାବିଦ୍ୟାଳୟର ଏହି ସମ୍ୱେଦନଶୀଳ ଘଟଣାରେ କ୍ରାଇମବ୍ରାଞ୍ଚ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ଦିନ କଣ ରହିଥିଲା ଘଟଣାକ୍ରମ ସେସବୁ ପଚାରି ବୁଝିବା ସହ ମାମଲା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଛନ୍ତି । ତଦନ୍ତରୁ ଯାହା ମିଳିଛି ତାହା ଉଚ୍ଚଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର କମିଟି ତଦନ୍ତ କରି ଫେରିବା ପରେ ପରେ ଦୁଇ ଜଣିଆ କ୍ରାଇମବ୍ରାଞ୍ଚର କଲେଜରେ ପହଞ୍ଚି ରାତି ସାଢେ ୯ଟା ଯାଏଁ ତଦନ୍ତ କରିଥିଲେ ।