୨୦୨୩ରେ ତୁର୍କୀର ମହାବିପଦ ବେଳେ ଭାରତ ବନ୍ଧୁତାର ହାତ ବଢ଼ାଇ ସେବା କରିଥିଲା । କିନ୍ତୁ ସେଇ ତୁର୍କୀ ୨୦୨୫ରେ ପାକିସ୍ତାନ ସପକ୍ଷରେ ଭାରତ ସହିତ ଶତ୍ରୁତା କରିଛି । ଭାରତ ସହଯୋଗରେ ବାଂଲାଦେଶ ସୃଷ୍ଟିହେଲା ୧୯୭୧ରେ, କିନ୍ତୁ ସେଇ ବାଂଲାଦେଶ ଆଜି ଭାରତର ଶତ୍ରୁ । ତେଣୁ ସାହାଯ୍ୟ-ସହଯୋଗ ପ୍ରୀତି ସଞ୍ଚାର କଲାନାହିଁ, ଭୟ କେମିତି ପ୍ରେମ ସଞ୍ଚାର କରିବ?

ମେ’ମାସ ୨୦୨୫ରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଯୁଦ୍ଧ ହେଲା ମେ’ ୭ରୁ ୧୦ ଯାଏଁ ତା’ ଉପରେ ୧୨ ତାରିଖରେ ଭାରତର ସ୍ଥଳ-ଜଳ-ବାୟୁସେନା ଅଧ୍ୟକ୍ଷ ଜନତା ଉଦ୍ଦେଶ୍ୟରେ ଯୁଦ୍ଧର ବିବରଣୀ ପ୍ରଦାନ କରିଥିଲେ । ସେହି ପତ୍ରକାର ସମ୍ମିଳନୀରେ ବାୟୁସେନା ମୁଖ୍ୟ ତାଙ୍କ ବିବରଣୀ ସମାପ୍ତ କଲେ ତୁଳସୀ ଦାସଙ୍କ ରାମକାବ୍ୟରୁ ଏକ ଦ୍ୱିପଦୀ ଉଦ୍ଧାର କରି । ଏହାର ମୁଖ୍ୟାଂଶ ଏଇ ଲେଖାର ଶୀର୍ଷକ ରହିଛି। ଭୟ ବିନା ପ୍ରୀତି ହୁଏନା (ଓଡ଼ିଆ) । ମୁଁ ଶୁଣିଲାବେଳେ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇଥିଲି ଯେ, ବାୟୁସେନା ଅଧ୍ୟକ୍ଷ ତୁଳସୀ ଦାସ ପଢ଼ନ୍ତି ଓ ରାମବାଣୀରେ ବକ୍ତବ୍ୟ ଶେଷ କରନ୍ତି! ମୁଁ ଅବଶ୍ୟ ତୁଳସୀ ରାମାୟଣ ପଢ଼ିଛି, କିନ୍ତୁ ଏହି ଦ୍ୱିପଦୀକୁ ମନେରଖିନାହିଁ କିମ୍ବା ତାର ତାତ୍ପର୍ଯ୍ୟ ବିଶ୍ଳେଷଣ କରିନାହିଁ । ଭୟ କିପରି ପ୍ରୀତି-ପ୍ରେମ ସୃଷ୍ଟିକରେ ସେଥିରେ ମୋର ଅନେକ ବୌଦ୍ଧିକ ସନ୍ଦେହ ରହିଛି । ମୁଁ ମଧ୍ୟ ଇଂରାଜିରେ ପଢ଼ିଛି- Fear is the beginging of wisedom (ଭୟ ହିଁ ପ୍ରଜ୍ଞାର ଆରମ୍ଭ) । କିନ୍ତୁ ପ୍ରଜ୍ଞା ଓ ପ୍ରୀତି କ’ଣ ଏକା ବିଭବ? ଆସନ୍ତୁ ଟିକିଏ ଚେଷ୍ଟା କରିବା ତାତ୍ପର୍ଯ୍ୟ ବୁଝିବା ପାଇଁ ଏବଂ କାହିଁକି ବାୟୁସେନା ଅଧ୍ୟକ୍ଷ ଏକଥା କହିଲେ ତାକୁ ବି ଆଲୋଚନା କରିବା ।
ପ୍ରଥମେ ଦେଖାଯାଉ ଭୟ କ’ଣ? ଭୟ ଏକ ଆତ୍ମସଂକୋଚନ । ମଣିଷ ଭୟ ପାଇଲେ ପଛକୁ ହଟିଯାଏ, ସଂକୁଚିତ ହୁଏ, କାରଣ ସେ କ୍ଷତି ବା ରକ୍ତକ୍ଷରଣ ବା ମୃତ୍ୟୁର ସମ୍ଭାବନା ଦେଖେ । ଭୟ ପାଇଲେ ମଣିଷ ଚିନ୍ତାର କ୍ରମ ହରାଏ । ବାକ୍ଶକ୍ତି ହରାଏ, ସାହାଯ୍ୟ ଲୋଡ଼େ ଅନ୍ୟ ମଣିଷ ପାଖରୁ କିମ୍ବା ଈଶ୍ୱର ପାଖରୁ । ଅର୍ଥାତ୍ ଆଶ୍ରୟ, ଆଶ୍ୱାସନା ଖୋଜେ । ଆରିଷ୍ଟୋଟଲ ମଧ୍ୟ ଭୟ ଓ ଦୟା କଥା କୁହନ୍ତି ଟ୍ରାଜେଡି ସଂପର୍କରେ । ନାୟକର ଦୁଃଖ, ହତାଶା, ଯନ୍ତ୍ରଣା ଦର୍ଶକ ମନନର ଦୟା, ସମବେଦନା ଜାଗ୍ରତ କଲେ ମଧ୍ୟ ଭୟ ସୃଷ୍ଟିକରେ ଯେ, ମୋ ଜୀବନରେ ମଧ୍ୟ ଏହା ଘଟିପାରେ । ତେଣୁ ଦର୍ଶକ ଥିଏଟର ବାହାରକୁ ଗଲାବେଳେ ଭୟ ଓ ଦୟାର ପାରସ୍ପରିକ ଦ୍ରବଣ ଯୋଗୁଁ ଶାନ୍ତ ହୋଇ ବାହାରିଯାଏ । କିନ୍ତୁ ଭୟର କାରଣ ଜାଣି ପ୍ରତିକାର ଖୋଜେ ତାର ନିଜ ଜୀବନ ଭିତରେ । ଭୟର ପ୍ରକାରଭେଦ ମୁଁ କରୁନାହିଁ । ସାପ-ବାଘ ଦେଖିଲେ ଯେଉଁ ଭୟ, ଅଚିହ୍ନା ଲୋକ ହାତରେ ଛୁରି ବନ୍ଧୁକ ଦେଖିଲେ ମଧ୍ୟ ଭୟ ଆସେ ।
କାରଣ ବ୍ୟଭିଚାରୀ-ସଞ୍ଚାରୀ ଯାହାହେଲେ ମଧ୍ୟ ତାତ୍ପର୍ଯ୍ୟ ହେଲା ମୃତ୍ୟୁ । ଅବସାଦ ଓ ଅବସାନ ଉଭୟ ମୃତ୍ୟୁର ଲକ୍ଷଣ ଦେଖାନ୍ତି । ଏହି ମୃତ୍ୟୁ ଭୟ ଯୋଗୁଁ ମଣିଷ ସୁରକ୍ଷା ଲାଗି ଶରଣ ପଶେ, ଈଶ୍ୱର ପାଖରେ ସମର୍ପଣ କରେ । ଏହି ସମର୍ପଣ ହିଁ ଭକ୍ତି, ଯାହା ଭାରତୀୟ ଦର୍ଶନ ଓ ଜୀବନରେ କାହିଁକି³ ପୃଥିବୀର ସବୁ ଦେଶର ଲୋକଙ୍କ ଭିତରେ ଏକ ଚିରନ୍ତନୀ ବିଭାବ । ଗୀତାରେ ଉକ୍ତି ମଧ୍ୟ ଏକ ଜୀବନ ମାର୍ଗ। ଏହି ଉକ୍ତି ହିଁ ପ୍ରୀତି, ପ୍ରେମ । ଭୟ ଦୂରୀକରଣର ଅନ୍ୟ ଉପାୟ ମଧ୍ୟ ମଣିଷ ଖୋଜେ । ମୃତ୍ୟୁ ପାଇଁ କାହିଁକି ଡର? ମଣିଷ ତ ମରଣଶୀଳ ପ୍ରାଣୀ । ତେବେ ଡରି ମରିବା ଅପେକ୍ଷା ଲଢ଼ି ମରିବା ଶ୍ରେୟସ୍କର । ଏହା ଏକ ନାୟକୀୟ ଚେତନା । ଏଇଥିଲାଗି ଆତ୍ମହତ୍ୟା ବିରୋଧରେ ଲକ୍ଷେ କଥା କୁହାଯାଇଛି । Why should I play the Roman fool? ? ମୁଁ ଏ ବୋକା ରୋମାନ୍ ପରି କାହିଁକି ବଞ୍ଚିବି, କାରଣ ସେମାନେ ମୃତ୍ୟୁ ଆସନ୍ନ ଦେଖିଲେ ଆତ୍ମହତ୍ୟା କରନ୍ତି । ତେଣୁ ମ୍ୟାକବେଥ ଯୁଦ୍ଧ କରି ମରେ । ଅଭିମନ୍ୟୁକୁ ତେଣୁ ଆମେ ମହାନାୟକ କହୁ । ସମର୍ପଣର ବିକଳ୍ପ ଭାବେ ନାୟକୀୟ ମନୋଭାବ ଇତିହାସରେ ପ୍ରଶଂସନୀୟ ।
ତେଣୁ ମଣିଷକୁ, ଜାତି-ଦେଶକୁ ଓ ବ୍ୟକ୍ତିକୁ ବାଣ୍ଟିବାକୁ ହୁଏ ସମର୍ପଣ ବା ନାୟକତ୍ୱ? ମୁଁ ଅନେକବାର କହିଛି ଯେ, ପ୍ରେମ ହିଁ ମଣିଷର ମୃତ୍ୟୁଞ୍ଜୟୀ ଶକ୍ତି । ମୃତ୍ୟୁ ଭୟ ଅତିକ୍ରମ କରିବା ଲାଗି ମଣିଷ ଈଶ୍ୱର ଭକ୍ତିରେ ମନପ୍ରାଣ ଲଗାଇଦିଏ । ଏହି ଉକ୍ତି ହିଁ ପ୍ରେମ । ସମର୍ପଣ ଭାବ ସହିତ ଯଦି ସେବା ଆରାଧନା ଓ ପର୍ବପର୍ବାଣିର ସାନ୍ନିଧ୍ୟ ମିଳନ ମଣିଷ ପାଏ, ତାର ମୃତ୍ୟୁ ଭୟ ନିଶ୍ଚୟ ଚାଲିଯାଏ । ୟାର ଅର୍ଥ ନୁହେଁ ଯେ, ମୃତ୍ୟୁ ହେବନାହିଁ ବା ମଣିଷ ଅମର ହେଇଯିବ । ପ୍ରେମ ଏକ ଭିନ୍ନପ୍ରକାର ଅମରତ୍ୱ ଦିଏ ଯାହା ବ୍ୟକ୍ତିର ଜୀବନକୁ ଆନନ୍ଦମୟ କରେ । ପ୍ରେମ ଯେହେତୁ ଆତ୍ମାର କଳୁଷ ଦୂର କରେ, ଈଶ୍ୱର ବା ପ୍ରେମିକା (ପ୍ରେମିକ) ଭିତରେ ବିଶ୍ୱରହସ୍ୟ ଆବିଷ୍କାର କରେ, ମଣିଷ ମନରେ ଏକ ମୃତ୍ୟୁଦିଶା ଆନନ୍ଦ ସୃଷ୍ଟିହୁଏ । ଭୟ ଦୂରେଇଯାଏ । ଏହା ଭୟସମ୍ଭୂତ ହେଲେ ମଧ୍ୟ ଭୟଶୂନ୍ୟ ହୁଏ । କିନ୍ତୁ ଆଜିର ବିଶ୍ୱାନୁଭୂତି ପରିପ୍ରେକ୍ଷୀରେ ଏହି ଉକ୍ତି ବା ଧାରଣାର କୌଣସି ତାତ୍ପର୍ଯ୍ୟ ଅଛି କି?
ବିଂଶ ଶତାବ୍ଦୀ ମଧ୍ୟଭାଗରୁ ବିଶେଷ ଭାବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ମଣିଷର ଜୀବନ ଧାରଣର ପ୍ରକୃତି ଓ ଭାବଗତ ଆତ୍ମସଂଘାତରେ ପରିବର୍ତ୍ତନ ଆସିଛି । ୧୯୭୦ ପରଠାରୁ ଗଣତନ୍ତ୍ର, ବ୍ୟକ୍ତି ସ୍ୱାଧୀନତା, ଜ୍ଞାନ ବିସ୍ଫୋରଣ, ରୋଗ ନିରାକରଣର ବିଭିନ୍ନ ଉପାୟ, କୌଶଳ, ଜଳ ସ୍ଥଳ ଆକାଶ ଉପରେ ମଣିଷର ପୂର୍ଣ୍ଣ ସ୍ୱାଧୀନ ବିଳାସ ଜୀବନକୁ ସହଜ, ସରଳ କରିଦେଉଛି । ଆଜି ଅନାହାର ମୃତ୍ୟୁ ବିରଳ । ବାକ୍ ସ୍ୱାଧୀନତା, କର୍ମ ସ୍ୱାଧୀନତା, ଗମନାଗମନର ସୁବିଧା ସୁଯୋଗ ମଣିଷକୁ ପ୍ରାୟ ବନ୍ଧନମୁକ୍ତ କରିଛି ।
ଗୋଷ୍ଠୀ, ଧର୍ମ, ଜାତି ଗୋଷ୍ଠୀଚେତନା ବ୍ୟକ୍ତିର ସ୍ୱାଧୀନ ଇଚ୍ଛା ଓ ପ୍ରେରଣାକୁ ଅଟକାଇ ପାରୁନାହିଁ । ଧର୍ମାନ୍ଧମାନେ ଅବଶ୍ୟ ପୃଥିବୀରେ ସମସ୍ୟା ସୃଷ୍ଟି କରୁଛନ୍ତି, କିନ୍ତୁ ଶିକ୍ଷା ମାଧ୍ୟମରେ ମଣିଷ ବନ୍ଧନମୁକ୍ତ ହୋଇ ନିଜର ପୃଥିବୀ ଗଢ଼ିପାରୁଛି । ଭୟ କହିଲେ ଆମେ ଯାହା ବୁଝିଥିଲୁ, ସେଥିରେ ପରିବର୍ତ୍ତନ ଆସିଛି । ମୃତ୍ୟୁ ଭୟ ପ୍ରାୟ ନାହିଁ । ସେହି ଭୟ ଏବେ ବିଫଳତାର ଭୟ ପାଲଟି ଯାଇଛି । ବ୍ୟବସାୟୀ, ରାଜନେତା, କଳାକାର, ଗବେଷକ ଓ ଅନ୍ୟ ପ୍ରଫେସନାଲ ବ୍ୟକ୍ତି ନିଜର କର୍ମ ସଫଳତା ଲାଗି ପ୍ରତିଯୋଗିତା ଭୟରେ ଅନେକ କୁକର୍ମ ବି କରେ । ଏହି ମହତ୍ତ୍ୱାକାଂକ୍ଷୀ ଲୋକମାନେ ବିଫଳତାକୁ ମୃତ୍ୟୁଠାରୁ ବଡ଼ ଭାବନ୍ତି ଏବଂ ଭୟ କରନ୍ତି ସମାଜକୁ, ଅନ୍ୟ ପ୍ରତିଯୋଗୀଙ୍କୁ ଏବଂ ଅଦୃଷ୍ଟକୁ । ଏମାନଙ୍କ ପାଖରେ ପ୍ରେମ ପାଇଁ, ଜୀବନର ରସିକତା ଓ କାବ୍ୟିକତା ପାଇଁ ମଧ୍ୟ ସମୟ ନଥାଏ । ବ୍ୟକ୍ତି ଯଦି ସଫଳତାର ଶୀର୍ଷରେ ପହଞ୍ଚିବା ଲାଗି ଦିନରାତି ଚିନ୍ତା ଓ ଶ୍ରମ କରେ ତା’ଲାଗି ପ୍ରେମ ଏକ ମାମୁଲି କଥା ହେଇଯାଏ । ପ୍ରେମ କେବଳ ଯୌନତା ମଧ୍ୟରେ ସୀମିତ ରହେ । ଆଜିର ପିଢ଼ି ସନ୍ତାନ, ପରିବାର ମଧ୍ୟ ଚାହେଁନାହିଁ । ଶିଖର ଚଢ଼ିବା ପିଢ଼ି ଭୟଭୀତ, କାରଣ ପାଦେ ଖସିଗଲେ ଜୀବନ ନଷ୍ଟ ହେଇଯାଏ । ପ୍ରେମ ଯେହେତୁ ଏକ ସାଧନା ଓ ନିରନ୍ତରତା ଦାବି କରେ । ସମର୍ପଣ ତ୍ୟାଗ ଦାବି କରେ, ଆଜିର ଯୁବକ ଯୁବତୀ ସେହି ସମର୍ପଣ କରିପାରନ୍ତି ନାହିଁ କି ନିରନ୍ତରତା ଲାଗି ଚେଷ୍ଟା ମଧ୍ୟ କରନ୍ତିନାହିଁ । ତାଙ୍କର ସବୁ ପ୍ରେମ, ପ୍ରୀତି, ଭଲପାଇବା ନିଜର କର୍ମ ଉପରେ ସମର୍ପିତ ହେଇଥାଏ, ତେଣୁ ପ୍ରେମ ତାଙ୍କର ପାଖ ପଶେନାହିଁ । ପ୍ରେମ ଏକ ବ୍ୟାବସାୟିକ ବୃତ୍ତି ନୁହେଁ, ଏହା ଏକ ଆଧ୍ୟାତ୍ମିକ ନିଷ୍ଠାର ସମର୍ପଣ ଯେଉଁଠି ସାଂସାରିକ ଶିଡ଼ିଚଢ଼ା ପ୍ରତିଯୋଗିତା ନଥାଏ । ପ୍ରେମ ତେଣୁ ଆଜିର ପିଢ଼ିମାନଙ୍କ ପାଇଁ ଏକ ସାମୟିକ ବିଳାସ । ପ୍ରେମ ହଜିଯିବାର ଭୟ ଆଜିର ପିଢ଼ି ପାଖରେ ନାହିଁ । କିନ୍ତୁ ସଫଳତା, ଧନ ଉପାର୍ଜନ, ଲୋକପ୍ରିୟତା କମିଗଲେ ସେ ଭୟ ପାଏ । ବିରହ ଚାପ ଆଉ ଘରେ ନାହିଁ । କିନ୍ତୁ ହାକିମ-ମାଲିକ-ବସ୍ର ଆଡ଼ଆଖି ତାକୁ ବିରହଠାରୁ ଆଉରି ବେଶି ଚାପଗ୍ରସ୍ତ କରେ । ଆଜିର ଭୟ ପ୍ରେମର ଅନ୍ୟ କେତେକ ଲକ୍ଷଣକୁ ଅଭ୍ୟାସରେ ପରିଣତ କରେ, ଯଥା- ଚାଟୁବାଣୀ, ତୋଷାମଦ, ଅନୁଗମନ ତଥା ତୁଷ୍ଟୀକରଣ ମାଧ୍ୟମରେ ପ୍ରେମ-ପ୍ରୀତି ଡାକିନିଅନ୍ତି ତାଙ୍କର ଚାକିରି, ବ୍ୟବସାୟ, ଜୀବିକା ଉପରେ, ଜୀବନ ଜୀବିକାରେ ହଜିଯାଏ ।
ଏହି ଦୃଷ୍ଟିରୁ ବାୟୁ ସେନାଧ୍ୟକ୍ଷ ମେ ୧୨ ତାରିଖରେ କାହିଁକି ତୁଳସୀ ଦାସଙ୍କ ରାମଚରିତମାନସର ଏହି ପଦ ଉଦ୍ଧାର କଲେ ମୋର ବୁଝିବା କଷ୍ଟକର । ଯଦି ପାକିସ୍ତାନକୁ ଆକ୍ରମଣ କରି ବାୟୁସେନା ବିମାନବନ୍ଦର ନଷ୍ଟ କରି ଆତଙ୍କବାଦୀ ଶିବିରମାନଙ୍କୁ ଧ୍ୱଂସ କରି ପାକିସ୍ତାନ ମନରେ ପ୍ରୀତି ଜାଗ୍ରତ କରିହେବ ବୋଲି ତାଙ୍କର ଧାରଣା ଧାଏ, ମୁଁ କହିବି ଏହା ଅଳୀକ । ୧୯୪୮, ୧୯୬୫, ୧୯୭୧, କାର୍ଗିଲ ସବୁ ଯୁଦ୍ଧରେ ହାରି ମଧ୍ୟ ପାକିସ୍ତାନ ଭୟ ପାଇନାହିଁ । ଭାରତକୁ ରକ୍ତକ୍ଷରଣ ଦେବା ହିଁ ପାକିସ୍ତାନର କର୍ମ ଓ ଧର୍ମ । ଏଥର ଯଦି ଡରେ ସେ ଡରିବ ଇଣ୍ଡସ୍ ଚୁକ୍ତି ବାତିଲ ପାଇଁ । ବୋମାମାଡ଼ ପାକିସ୍ତାନକୁ ସ୍ଥିତି ଭୟ ଦେବନାହିଁ । ପାଣି ଅଭାବ ତାକୁ ଭୟଭୀତ କରିପାରେ । କିନ୍ତୁ ତାହା ମଧ୍ୟ ସମ୍ଭବ ନୁହେଁ । ସେମାନେ ଅଣୁ ଅସ୍ତ୍ର ପ୍ରୟୋଗ କରି ଏବଂ ଭାରତର ଅଣୁଅସ୍ତ୍ରରେ ନିଶ୍ଚିହ୍ନ ହୋଇ ବିଶ୍ୱପାଇଁ ସ୍ଥିତି ସଂକଟ ସୃଷ୍ଟିକରିବେ ସିନା, ଭୟ କରି ପ୍ରେମଭାବ ଭାରତ ପ୍ରତି ସୃଷ୍ଟି କରିବେନାହିଁ । ଯୁଗର ସ୍ୱଭାବ ନେଇ ସଭ୍ୟତାର ମୂଲ୍ୟବୋଧ ବଦଳେ । ଏକବିଂଶ ଶତାବ୍ଦୀର ପାକିସ୍ତାନ ଧର୍ମଭୀରୁ, ଜିଦ୍ଖୋର ହୋଇ ଭାରତ ପ୍ରତି ବେଶି ବେଶି ଦ୍ୱେଷ ପ୍ରକାଶ କରିବ ଓ କରୁଛି ମଧ୍ୟ ।
୨୦୨୩ରେ ତୁର୍କୀର ମହାବିପଦ ବେଳେ ଭାରତ ବନ୍ଧୁତାର ହାତ ବଢ଼ାଇ ସେବା କରିଥିଲା । କିନ୍ତୁ ସେଇ ତୁର୍କୀ ୨୦୨୫ରେ ପାକିସ୍ତାନ ସପକ୍ଷରେ ଭାରତ ସହିତ ଶତ୍ରୁତା କରିଛି । ଭାରତ ସହଯୋଗରେ ବାଂଲାଦେଶ ସୃଷ୍ଟିହେଲା ୧୯୭୧ରେ, କିନ୍ତୁ ସେଇ ବାଂଲାଦେଶ ଆଜି ଭାରତର ଶତ୍ରୁ । ତେଣୁ ସାହାଯ୍ୟ-ସହଯୋଗ ପ୍ରୀତି ସଞ୍ଚାର କଲାନାହିଁ, ଭୟ କେମିତି ପ୍ରେମ ସଞ୍ଚାର କରିବ? ବରଂ ଭୟ ପ୍ରଦର୍ଶନ କଲେ ପ୍ରତିହିଂସା ଭାବ ଜାଗ୍ରତ ହେବ, ପ୍ରେମ ନୁହେଁ । କାରଣ ପ୍ରେମ ଏକ ଅତି ସୂକ୍ଷ୍ମ ମୂଲ୍ୟବୋଧ । ପ୍ରେମ ଲାଗି ଏକ ବିରାଟ ମନ, ବିଶାଳ ହୃଦୟ ଓ ପବିତ୍ର ଆଧ୍ୟାତ୍ମିକ ଚେତନା ଆବଶ୍ୟକ । ଏପରି ଭାବ ଆଜି କାହା ପାଖେ ପ୍ରାୟ ନାହିଁ । ପାକିସ୍ତାନ ଯେହେତୁ ଆଜନ୍ମ ଶତ୍ରୁ ତା’ ମନରେ ଭାରତ ପ୍ରତି ପ୍ରେମଭାବ କେବେ ସମ୍ଭବ ହେବ ବୋଲି ମୁଁ କଳ୍ପନା କରିପାରୁନାହିଁ । ପ୍ରେମପାଇଁ ଭାଗ୍ୟର ଆଶୀର୍ବାଦ ଦରକାର । ଅମର ବିଳାସିତା ଦରକାର । ସମର୍ପଣ ଓ ନିରନ୍ତରତା ଦରକାର । ପ୍ରେମିକା ବା ପ୍ରେମିକ ଭିତରେ ବିଶ୍ୱଚାଳନା ଦେଖିବାର ଦୃଷ୍ଟି ଦରକାର । ଏସବୁ ଆଜିର ପୃଥିବୀରେ ନାହିଁ । ପ୍ରେମ ପ୍ରୀତି, ଭଲପାଇବାର ସୃଷ୍ଟି ନିର୍ଭୀକତା, ସାହସିକତା, ଦେବପଣର ବିକାଶ ଓ ବିଶ୍ୱାୟନର ପ୍ରସାରଣ ପାଇଁ ନାହିଁ । ତେଣୁ ଭୟ ଓ ପ୍ରୀତି ଅସଂପର୍କିତ ମୂଲ୍ୟବୋଧ ।