୨୦୨୩ରେ ତୁର୍କୀର ମହାବିପଦ  ବେଳେ ଭାରତ ବନ୍ଧୁତାର ହାତ ବଢ଼ାଇ  ସେବା କରିଥିଲା । କିନ୍ତୁ ସେଇ ତୁର୍କୀ  ୨୦୨୫ରେ ପାକିସ୍ତାନ ସପକ୍ଷରେ  ଭାରତ ସହିତ ଶତ୍ରୁତା କରିଛି । ଭାରତ  ସହଯୋଗରେ ବାଂଲାଦେଶ ସୃଷ୍ଟିହେଲା  ୧୯୭୧ରେ, କିନ୍ତୁ ସେଇ ବାଂଲାଦେଶ  ଆଜି ଭାରତର ଶତ୍ରୁ । ତେଣୁ ସାହାଯ୍ୟ-ସହଯୋଗ ପ୍ରୀତି ସଞ୍ଚାର କଲାନାହିଁ,  ଭୟ କେମିତି ପ୍ରେମ ସଞ୍ଚାର କରିବ?

ମେ’ମାସ ୨୦୨୫ରେ ଭାରତ-ପାକିସ୍ତାନ  ମଧ୍ୟରେ ଯେଉଁ ଯୁଦ୍ଧ ହେଲା ମେ’ ୭ରୁ  ୧୦ ଯାଏଁ ତା’ ଉପରେ ୧୨ ତାରିଖରେ ଭାରତର  ସ୍ଥଳ-ଜଳ-ବାୟୁସେନା ଅଧ୍ୟକ୍ଷ ଜନତା ଉଦ୍ଦେଶ୍ୟରେ  ଯୁଦ୍ଧର ବିବରଣୀ ପ୍ରଦାନ କରିଥିଲେ । ସେହି ପତ୍ରକାର  ସମ୍ମିଳନୀରେ ବାୟୁସେନା ମୁଖ୍ୟ ତାଙ୍କ ବିବରଣୀ ସମାପ୍ତ  କଲେ ତୁଳସୀ ଦାସଙ୍କ ରାମକାବ୍ୟରୁ ଏକ ଦ୍ୱିପଦୀ ଉଦ୍ଧାର  କରି । ଏହାର ମୁଖ୍ୟାଂଶ ଏଇ ଲେଖାର ଶୀର୍ଷକ ରହିଛି। ଭୟ ବିନା ପ୍ରୀତି ହୁଏନା (ଓଡ଼ିଆ) । ମୁଁ ଶୁଣିଲାବେଳେ  ସାମାନ୍ୟ ଆଶ୍ଚର୍ଯ୍ୟ ହୋଇଥିଲି ଯେ, ବାୟୁସେନା ଅଧ୍ୟକ୍ଷ ତୁଳସୀ ଦାସ ପଢ଼ନ୍ତି ଓ ରାମବାଣୀରେ ବକ୍ତବ୍ୟ ଶେଷ  କରନ୍ତି! ମୁଁ ଅବଶ୍ୟ ତୁଳସୀ ରାମାୟଣ ପଢ଼ିଛି, କିନ୍ତୁ  ଏହି ଦ୍ୱିପଦୀକୁ ମନେରଖିନାହିଁ କିମ୍ବା ତାର ତାତ୍ପର୍ଯ୍ୟ ବିଶ୍ଳେଷଣ କରିନାହିଁ । ଭୟ କିପରି ପ୍ରୀତି-ପ୍ରେମ ସୃଷ୍ଟିକରେ ସେଥିରେ ମୋର ଅନେକ ବୌଦ୍ଧିକ ସନ୍ଦେହ ରହିଛି । ମୁଁ ମଧ୍ୟ ଇଂରାଜିରେ ପଢ଼ିଛି- Fear is the beginging of wisedom (ଭୟ ହିଁ ପ୍ରଜ୍ଞାର  ଆରମ୍ଭ) । କିନ୍ତୁ ପ୍ରଜ୍ଞା ଓ ପ୍ରୀତି କ’ଣ ଏକା ବିଭବ? ଆସନ୍ତୁ ଟିକିଏ ଚେଷ୍ଟା କରିବା ତାତ୍ପର୍ଯ୍ୟ ବୁଝିବା ପାଇଁ  ଏବଂ କାହିଁକି ବାୟୁସେନା ଅଧ୍ୟକ୍ଷ ଏକଥା କହିଲେ  ତାକୁ ବି ଆଲୋଚନା କରିବା । 

ପ୍ରଥମେ ଦେଖାଯାଉ ଭୟ କ’ଣ? ଭୟ ଏକ  ଆତ୍ମସଂକୋଚନ । ମଣିଷ ଭୟ ପାଇଲେ ପଛକୁ  ହଟିଯାଏ, ସଂକୁଚିତ ହୁଏ, କାରଣ ସେ କ୍ଷତି ବା  ରକ୍ତକ୍ଷରଣ ବା ମୃତ୍ୟୁର ସମ୍ଭାବନା ଦେଖେ । ଭୟ  ପାଇଲେ ମଣିଷ ଚିନ୍ତାର କ୍ରମ ହରାଏ । ବାକ୍‌ଶକ୍ତି  ହରାଏ, ସାହାଯ୍ୟ ଲୋଡ଼େ ଅନ୍ୟ ମଣିଷ ପାଖରୁ କିମ୍ବା  ଈଶ୍ୱର ପାଖରୁ । ଅର୍ଥାତ୍‌ ଆଶ୍ରୟ, ଆଶ୍ୱାସନା ଖୋଜେ ।  ଆରିଷ୍ଟୋଟଲ ମଧ୍ୟ ଭୟ ଓ ଦୟା କଥା କୁହନ୍ତି ଟ୍ରାଜେଡି ସଂପର୍କରେ । ନାୟକର ଦୁଃଖ, ହତାଶା, ଯନ୍ତ୍ରଣା  ଦର୍ଶକ ମନନର ଦୟା, ସମବେଦନା ଜାଗ୍ରତ କଲେ  ମଧ୍ୟ ଭୟ ସୃଷ୍ଟିକରେ ଯେ, ମୋ ଜୀବନରେ ମଧ୍ୟ ଏହା ଘଟିପାରେ । ତେଣୁ ଦର୍ଶକ ଥିଏଟର ବାହାରକୁ  ଗଲାବେଳେ ଭୟ ଓ ଦୟାର ପାରସ୍ପରିକ ଦ୍ରବଣ ଯୋଗୁଁ  ଶାନ୍ତ ହୋଇ ବାହାରିଯାଏ । କିନ୍ତୁ ଭୟର କାରଣ ଜାଣି  ପ୍ରତିକାର ଖୋଜେ ତାର ନିଜ ଜୀବନ ଭିତରେ । ଭୟର  ପ୍ରକାରଭେଦ ମୁଁ କରୁନାହିଁ । ସାପ-ବାଘ ଦେଖିଲେ ଯେଉଁ  ଭୟ, ଅଚିହ୍ନା ଲୋକ ହାତରେ ଛୁରି ବନ୍ଧୁକ ଦେଖିଲେ  ମଧ୍ୟ ଭୟ ଆସେ । 

କାରଣ ବ୍ୟଭିଚାରୀ-ସଞ୍ଚାରୀ  ଯାହାହେଲେ ମଧ୍ୟ ତାତ୍ପର୍ଯ୍ୟ ହେଲା ମୃତ୍ୟୁ । ଅବସାଦ ଓ  ଅବସାନ ଉଭୟ ମୃତ୍ୟୁର ଲକ୍ଷଣ ଦେଖାନ୍ତି । ଏହି ମୃତ୍ୟୁ  ଭୟ ଯୋଗୁଁ ମଣିଷ ସୁରକ୍ଷା ଲାଗି ଶରଣ ପଶେ, ଈଶ୍ୱର  ପାଖରେ ସମର୍ପଣ କରେ । ଏହି ସମର୍ପଣ ହିଁ ଭକ୍ତି, ଯାହା  ଭାରତୀୟ ଦର୍ଶନ ଓ ଜୀବନରେ କାହିଁକି³ ପୃଥିବୀର ସବୁ  ଦେଶର ଲୋକଙ୍କ ଭିତରେ ଏକ ଚିରନ୍ତନୀ ବିଭାବ ।  ଗୀତାରେ ଉକ୍ତି ମଧ୍ୟ ଏକ ଜୀବନ ମାର୍ଗ। ଏହି ଉକ୍ତି ହିଁ  ପ୍ରୀତି, ପ୍ରେମ । ଭୟ ଦୂରୀକରଣର ଅନ୍ୟ ଉପାୟ ମଧ୍ୟ ମଣିଷ  ଖୋଜେ । ମୃତ୍ୟୁ ପାଇଁ କାହିଁକି ଡର? ମଣିଷ ତ  ମରଣଶୀଳ ପ୍ରାଣୀ । ତେବେ ଡରି ମରିବା ଅପେକ୍ଷା  ଲଢ଼ି ମରିବା ଶ୍ରେୟସ୍କର । ଏହା ଏକ ନାୟକୀୟ  ଚେତନା । ଏଇଥିଲାଗି ଆତ୍ମହତ୍ୟା ବିରୋଧରେ ଲକ୍ଷେ  କଥା କୁହାଯାଇଛି । Why should I play the Roman fool? ? ମୁଁ ଏ ବୋକା ରୋମାନ୍‌  ପରି କାହିଁକି ବଞ୍ଚିବି, କାରଣ ସେମାନେ ମୃତ୍ୟୁ ଆସନ୍ନ  ଦେଖିଲେ ଆତ୍ମହତ୍ୟା କରନ୍ତି । ତେଣୁ ମ୍ୟାକବେଥ ଯୁଦ୍ଧ  କରି ମରେ । ଅଭିମନ୍ୟୁକୁ ତେଣୁ ଆମେ ମହାନାୟକ  କହୁ । ସମର୍ପଣର ବିକଳ୍ପ ଭାବେ ନାୟକୀୟ ମନୋଭାବ  ଇତିହାସରେ ପ୍ରଶଂସନୀୟ । 

ତେଣୁ ମଣିଷକୁ, ଜାତି-ଦେଶକୁ ଓ ବ୍ୟକ୍ତିକୁ ବାଣ୍ଟିବାକୁ ହୁଏ ସମର୍ପଣ ବା  ନାୟକତ୍ୱ? ମୁଁ ଅନେକବାର କହିଛି ଯେ, ପ୍ରେମ ହିଁ  ମଣିଷର ମୃତ୍ୟୁଞ୍ଜୟୀ ଶକ୍ତି । ମୃତ୍ୟୁ ଭୟ ଅତିକ୍ରମ କରିବା  ଲାଗି ମଣିଷ ଈଶ୍ୱର ଭକ୍ତିରେ ମନପ୍ରାଣ ଲଗାଇଦିଏ ।  ଏହି ଉକ୍ତି ହିଁ ପ୍ରେମ । ସମର୍ପଣ ଭାବ ସହିତ ଯଦି ସେବା  ଆରାଧନା ଓ ପର୍ବପର୍ବାଣିର ସାନ୍ନିଧ୍ୟ ମିଳନ ମଣିଷ ପାଏ,  ତାର ମୃତ୍ୟୁ ଭୟ ନିଶ୍ଚୟ ଚାଲିଯାଏ । ୟାର ଅର୍ଥ ନୁହେଁ  ଯେ, ମୃତ୍ୟୁ ହେବନାହିଁ ବା ମଣିଷ ଅମର ହେଇଯିବ ।  ପ୍ରେମ ଏକ ଭିନ୍ନପ୍ରକାର ଅମରତ୍ୱ ଦିଏ ଯାହା ବ୍ୟକ୍ତିର  ଜୀବନକୁ ଆନନ୍ଦମୟ କରେ । ପ୍ରେମ ଯେହେତୁ ଆତ୍ମାର  କଳୁଷ ଦୂର କରେ, ଈଶ୍ୱର ବା ପ୍ରେମିକା (ପ୍ରେମିକ)  ଭିତରେ ବିଶ୍ୱରହସ୍ୟ ଆବିଷ୍କାର କରେ, ମଣିଷ ମନରେ  ଏକ ମୃତ୍ୟୁଦିଶା ଆନନ୍ଦ ସୃଷ୍ଟିହୁଏ । ଭୟ ଦୂରେଇଯାଏ ।  ଏହା ଭୟସମ୍ଭୂତ ହେଲେ ମଧ୍ୟ ଭୟଶୂନ୍ୟ ହୁଏ । କିନ୍ତୁ  ଆଜିର ବିଶ୍ୱାନୁଭୂତି ପରିପ୍ରେକ୍ଷୀରେ ଏହି ଉକ୍ତି ବା  ଧାରଣାର କୌଣସି ତାତ୍ପର୍ଯ୍ୟ ଅଛି କି? 

ବିଂଶ ଶତାବ୍ଦୀ ମଧ୍ୟଭାଗରୁ ବିଶେଷ ଭାବେ ଦ୍ୱିତୀୟ  ବିଶ୍ୱଯୁଦ୍ଧ ପରଠାରୁ ମଣିଷର ଜୀବନ ଧାରଣର ପ୍ରକୃତି  ଓ ଭାବଗତ ଆତ୍ମସଂଘାତରେ ପରିବର୍ତ୍ତନ ଆସିଛି । ୧୯୭୦ ପରଠାରୁ ଗଣତନ୍ତ୍ର, ବ୍ୟକ୍ତି ସ୍ୱାଧୀନତା, ଜ୍ଞାନ  ବିସ୍ଫୋରଣ, ରୋଗ ନିରାକରଣର ବିଭିନ୍ନ ଉପାୟ,  କୌଶଳ, ଜଳ ସ୍ଥଳ ଆକାଶ ଉପରେ ମଣିଷର ପୂର୍ଣ୍ଣ  ସ୍ୱାଧୀନ ବିଳାସ ଜୀବନକୁ ସହଜ, ସରଳ କରିଦେଉଛି ।  ଆଜି ଅନାହାର ମୃତ୍ୟୁ ବିରଳ । ବାକ୍‌ ସ୍ୱାଧୀନତା, କର୍ମ  ସ୍ୱାଧୀନତା, ଗମନାଗମନର ସୁବିଧା ସୁଯୋଗ ମଣିଷକୁ  ପ୍ରାୟ ବନ୍ଧନମୁକ୍ତ କରିଛି । 

ଗୋଷ୍ଠୀ, ଧର୍ମ, ଜାତି ଗୋଷ୍ଠୀଚେତନା ବ୍ୟକ୍ତିର  ସ୍ୱାଧୀନ ଇଚ୍ଛା ଓ ପ୍ରେରଣାକୁ ଅଟକାଇ ପାରୁନାହିଁ ।  ଧର୍ମାନ୍ଧମାନେ ଅବଶ୍ୟ ପୃଥିବୀରେ ସମସ୍ୟା ସୃଷ୍ଟି  କରୁଛନ୍ତି, କିନ୍ତୁ ଶିକ୍ଷା ମାଧ୍ୟମରେ ମଣିଷ ବନ୍ଧନମୁକ୍ତ  ହୋଇ ନିଜର ପୃଥିବୀ ଗଢ଼ିପାରୁଛି । ଭୟ କହିଲେ ଆମେ  ଯାହା ବୁଝିଥିଲୁ, ସେଥିରେ ପରିବର୍ତ୍ତନ ଆସିଛି । ମୃତ୍ୟୁ  ଭୟ ପ୍ରାୟ ନାହିଁ । ସେହି ଭୟ ଏବେ ବିଫଳତାର ଭୟ  ପାଲଟି ଯାଇଛି । ବ୍ୟବସାୟୀ, ରାଜନେତା, କଳାକାର,  ଗବେଷକ ଓ ଅନ୍ୟ ପ୍ରଫେସନାଲ ବ୍ୟକ୍ତି ନିଜର କର୍ମ  ସଫଳତା ଲାଗି ପ୍ରତିଯୋଗିତା ଭୟରେ ଅନେକ କୁକର୍ମ  ବି କରେ । ଏହି ମହତ୍ତ୍ୱାକାଂକ୍ଷୀ ଲୋକମାନେ ବିଫଳତାକୁ  ମୃତ୍ୟୁଠାରୁ ବଡ଼ ଭାବନ୍ତି ଏବଂ ଭୟ କରନ୍ତି ସମାଜକୁ,  ଅନ୍ୟ ପ୍ରତିଯୋଗୀଙ୍କୁ ଏବଂ ଅଦୃଷ୍ଟକୁ । ଏମାନଙ୍କ ପାଖରେ  ପ୍ରେମ ପାଇଁ, ଜୀବନର ରସିକତା ଓ କାବ୍ୟିକତା ପାଇଁ  ମଧ୍ୟ ସମୟ ନଥାଏ । ବ୍ୟକ୍ତି ଯଦି ସଫଳତାର ଶୀର୍ଷରେ  ପହଞ୍ଚିବା ଲାଗି ଦିନରାତି ଚିନ୍ତା ଓ ଶ୍ରମ କରେ ତା’ଲାଗି  ପ୍ରେମ ଏକ ମାମୁଲି କଥା ହେଇଯାଏ । ପ୍ରେମ କେବଳ  ଯୌନତା ମଧ୍ୟରେ ସୀମିତ ରହେ । ଆଜିର ପିଢ଼ି  ସନ୍ତାନ, ପରିବାର ମଧ୍ୟ ଚାହେଁନାହିଁ । ଶିଖର ଚଢ଼ିବା  ପିଢ଼ି ଭୟଭୀତ, କାରଣ ପାଦେ ଖସିଗଲେ ଜୀବନ  ନଷ୍ଟ ହେଇଯାଏ । ପ୍ରେମ ଯେହେତୁ ଏକ ସାଧନା ଓ  ନିରନ୍ତରତା ଦାବି କରେ । ସମର୍ପଣ ତ୍ୟାଗ ଦାବି କରେ,  ଆଜିର ଯୁବକ ଯୁବତୀ ସେହି ସମର୍ପଣ କରିପାରନ୍ତି ନାହିଁ  କି ନିରନ୍ତରତା ଲାଗି ଚେଷ୍ଟା ମଧ୍ୟ କରନ୍ତିନାହିଁ । ତାଙ୍କର  ସବୁ ପ୍ରେମ, ପ୍ରୀତି, ଭଲପାଇବା ନିଜର କର୍ମ ଉପରେ  ସମର୍ପିତ ହେଇଥାଏ, ତେଣୁ ପ୍ରେମ ତାଙ୍କର ପାଖ  ପଶେନାହିଁ । ପ୍ରେମ ଏକ ବ୍ୟାବସାୟିକ ବୃତ୍ତି ନୁହେଁ, ଏହା  ଏକ ଆଧ୍ୟାତ୍ମିକ ନିଷ୍ଠାର ସମର୍ପଣ ଯେଉଁଠି ସାଂସାରିକ  ଶିଡ଼ିଚଢ଼ା ପ୍ରତିଯୋଗିତା ନଥାଏ । ପ୍ରେମ ତେଣୁ ଆଜିର  ପିଢ଼ିମାନଙ୍କ ପାଇଁ ଏକ ସାମୟିକ ବିଳାସ । ପ୍ରେମ  ହଜିଯିବାର ଭୟ ଆଜିର ପିଢ଼ି ପାଖରେ ନାହିଁ । କିନ୍ତୁ  ସଫଳତା, ଧନ ଉପାର୍ଜନ, ଲୋକପ୍ରିୟତା କମିଗଲେ  ସେ ଭୟ ପାଏ । ବିରହ ଚାପ ଆଉ ଘରେ ନାହିଁ । କିନ୍ତୁ  ହାକିମ-ମାଲିକ-ବସ୍‌ର ଆଡ଼ଆଖି ତାକୁ ବିରହଠାରୁ  ଆଉରି ବେଶି ଚାପଗ୍ରସ୍ତ କରେ । ଆଜିର ଭୟ ପ୍ରେମର  ଅନ୍ୟ କେତେକ ଲକ୍ଷଣକୁ ଅଭ୍ୟାସରେ ପରିଣତ  କରେ, ଯଥା- ଚାଟୁବାଣୀ, ତୋଷାମଦ, ଅନୁଗମନ  ତଥା ତୁଷ୍ଟୀକରଣ ମାଧ୍ୟମରେ ପ୍ରେମ-ପ୍ରୀତି ଡାକିନିଅନ୍ତି  ତାଙ୍କର ଚାକିରି, ବ୍ୟବସାୟ, ଜୀବିକା ଉପରେ, ଜୀବନ  ଜୀବିକାରେ ହଜିଯାଏ । 

ଏହି ଦୃଷ୍ଟିରୁ ବାୟୁ ସେନାଧ୍ୟକ୍ଷ ମେ ୧୨ ତାରିଖରେ  କାହିଁକି ତୁଳସୀ ଦାସଙ୍କ ରାମଚରିତମାନସର ଏହି ପଦ  ଉଦ୍ଧାର କଲେ ମୋର ବୁଝିବା କଷ୍ଟକର । ଯଦି ପାକିସ୍ତାନକୁ  ଆକ୍ରମଣ କରି ବାୟୁସେନା ବିମାନବନ୍ଦର ନଷ୍ଟ କରି  ଆତଙ୍କବାଦୀ ଶିବିରମାନଙ୍କୁ ଧ୍ୱଂସ କରି ପାକିସ୍ତାନ ମନରେ ପ୍ରୀତି ଜାଗ୍ରତ କରିହେବ ବୋଲି ତାଙ୍କର ଧାରଣା ଧାଏ, ମୁଁ କହିବି ଏହା ଅଳୀକ । ୧୯୪୮, ୧୯୬୫,  ୧୯୭୧, କାର୍ଗିଲ ସବୁ ଯୁଦ୍ଧରେ ହାରି ମଧ୍ୟ ପାକିସ୍ତାନ ଭୟ  ପାଇନାହିଁ । ଭାରତକୁ ରକ୍ତକ୍ଷରଣ ଦେବା ହିଁ ପାକିସ୍ତାନର କର୍ମ ଓ ଧର୍ମ । ଏଥର ଯଦି ଡରେ ସେ ଡରିବ ଇଣ୍ଡସ୍‌  ଚୁକ୍ତି ବାତିଲ ପାଇଁ । ବୋମାମାଡ଼ ପାକିସ୍ତାନକୁ ସ୍ଥିତି ଭୟ  ଦେବନାହିଁ । ପାଣି ଅଭାବ ତାକୁ ଭୟଭୀତ କରିପାରେ ।  କିନ୍ତୁ ତାହା ମଧ୍ୟ ସମ୍ଭବ ନୁହେଁ । ସେମାନେ ଅଣୁ ଅସ୍ତ୍ର  ପ୍ରୟୋଗ କରି ଏବଂ ଭାରତର ଅଣୁଅସ୍ତ୍ରରେ ନିଶ୍ଚିହ୍ନ  ହୋଇ ବିଶ୍ୱପାଇଁ ସ୍ଥିତି ସଂକଟ ସୃଷ୍ଟିକରିବେ ସିନା, ଭୟ କରି ପ୍ରେମଭାବ ଭାରତ ପ୍ରତି ସୃଷ୍ଟି କରିବେନାହିଁ ।  ଯୁଗର ସ୍ୱଭାବ ନେଇ ସଭ୍ୟତାର ମୂଲ୍ୟବୋଧ ବଦଳେ ।  ଏକବିଂଶ ଶତାବ୍ଦୀର ପାକିସ୍ତାନ ଧର୍ମଭୀରୁ, ଜିଦ୍‌ଖୋର  ହୋଇ ଭାରତ ପ୍ରତି ବେଶି ବେଶି ଦ୍ୱେଷ ପ୍ରକାଶ କରିବ  ଓ କରୁଛି ମଧ୍ୟ । 

୨୦୨୩ରେ ତୁର୍କୀର ମହାବିପଦ ବେଳେ ଭାରତ  ବନ୍ଧୁତାର ହାତ ବଢ଼ାଇ ସେବା କରିଥିଲା । କିନ୍ତୁ ସେଇ  ତୁର୍କୀ ୨୦୨୫ରେ ପାକିସ୍ତାନ ସପକ୍ଷରେ ଭାରତ ସହିତ  ଶତ୍ରୁତା କରିଛି । ଭାରତ ସହଯୋଗରେ ବାଂଲାଦେଶ  ସୃଷ୍ଟିହେଲା ୧୯୭୧ରେ, କିନ୍ତୁ ସେଇ ବାଂଲାଦେଶ ଆଜି ଭାରତର ଶତ୍ରୁ । ତେଣୁ ସାହାଯ୍ୟ-ସହଯୋଗ ପ୍ରୀତି  ସଞ୍ଚାର କଲାନାହିଁ, ଭୟ କେମିତି ପ୍ରେମ ସଞ୍ଚାର କରିବ?  ବରଂ ଭୟ ପ୍ରଦର୍ଶନ କଲେ ପ୍ରତିହିଂସା ଭାବ ଜାଗ୍ରତ  ହେବ, ପ୍ରେମ ନୁହେଁ । କାରଣ ପ୍ରେମ ଏକ ଅତି ସୂକ୍ଷ୍ମ  ମୂଲ୍ୟବୋଧ । ପ୍ରେମ ଲାଗି ଏକ ବିରାଟ ମନ, ବିଶାଳ ହୃଦୟ ଓ ପବିତ୍ର ଆଧ୍ୟାତ୍ମିକ ଚେତନା ଆବଶ୍ୟକ । ଏପରି  ଭାବ ଆଜି କାହା ପାଖେ ପ୍ରାୟ ନାହିଁ । ପାକିସ୍ତାନ ଯେହେତୁ  ଆଜନ୍ମ ଶତ୍ରୁ ତା’ ମନରେ ଭାରତ ପ୍ରତି ପ୍ରେମଭାବ  କେବେ ସମ୍ଭବ ହେବ ବୋଲି ମୁଁ କଳ୍ପନା କରିପାରୁନାହିଁ ।  ପ୍ରେମପାଇଁ ଭାଗ୍ୟର ଆଶୀର୍ବାଦ ଦରକାର । ଅମର  ବିଳାସିତା ଦରକାର । ସମର୍ପଣ ଓ ନିରନ୍ତରତା ଦରକାର ।  ପ୍ରେମିକା ବା ପ୍ରେମିକ ଭିତରେ ବିଶ୍ୱଚାଳନା ଦେଖିବାର  ଦୃଷ୍ଟି ଦରକାର । ଏସବୁ ଆଜିର ପୃଥିବୀରେ ନାହିଁ । ପ୍ରେମ  ପ୍ରୀତି, ଭଲପାଇବାର ସୃଷ୍ଟି ନିର୍ଭୀକତା, ସାହସିକତା,  ଦେବପଣର ବିକାଶ ଓ ବିଶ୍ୱାୟନର ପ୍ରସାରଣ ପାଇଁ  ନାହିଁ । ତେଣୁ ଭୟ ଓ ପ୍ରୀତି ଅସଂପର୍କିତ ମୂଲ୍ୟବୋଧ ।