କଟକ, ୩।୭: ଟ୍ରକ୍ ଧକ୍କାରେ ଜଣେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ମାଲଗୋଦାମ ଥାନାରେ କାମ କରୁଥିବା ୫୬ ବର୍ଷୀୟ ମନୋରମା ପଣ୍ଡା ବୋଲି ଜଣାପଡ଼ିଛି । ମାଲଗୋଦାମରୁ କୌଣସି କାମରେ ଯାଇ ଫେରିବା ବାଟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଖବର ପାଇ ଡିସିପି ଖିଲାରି ରୁଷିକେଶ, ଏସିପି ଅରୁଣ ସ୍ୱାଇଁ, ଇନ୍ସପେକ୍ଟର ରଜନୀ ଦାସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଟ୍ରକ୍ ଓ ଚାଳକକୁ ଥାନାକୁ ଆଣିଥିଲେ । କହିରଖୁ କି, ହୋମଗାର୍ଡ ମନୋରମା ପଣ୍ଡା ଜଣେ ଭଲ କର୍ମଚାରୀ ଥିଲେ । ତାଙ୍କର ଦୁଇ ପୁଅ ଅଛନ୍ତି । ସେ ତିନିଘରିଆ ଅଞ୍ଚଳରେ ପରିବାର ସହ ରହୁଥିଲେ । ତାଙ୍କ ମୃତଦେହକୁ ଏସ୍ସିବିରେ ବ୍ୟବଚ୍ଛେଦ କରିବା ପରେ ମାଲଗୋଦାମ ଥାନାକୁ ନିଆଯାଇଛି । ଆବଶ୍ୟକୀୟ କ୍ଷତିପୂରଣ ପାଇଁ ବିଭାଗ ପାଖରୁ ସମସ୍ତ ସହଯୋଗ ଦିଆଯିବ ବୋଲି ଡିସିପି ପ୍ରତିଶ୍ରୁତି ଦେଇଛନ୍ତି ।