କେନ୍ଦ୍ରାପଡ଼ା/ମହାକାଳପଡ଼ା,୧୧/୦୩: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅଞ୍ଚଳରେ ଫେରିଘାଟ ଯନ୍ତ୍ରଣା ଅତିଷ୍ଠ ହେଲାଣି । ନଦୀ ସେପଟେ ଚିତ୍କାର କରୁଛନ୍ତି ପରୀକ୍ଷାର୍ଥୀ । ନଦୀ ଏପଟେ କଳାହାଣ୍ଡିଆ ମେଘ ବାହାନା ଦେଖାଇ ଯାତ୍ରୀ ପାରଉତାର କରାଉଥିବା ନାବିକ ଥକ୍କା ମାରି ବସିଛି । କେବଳ ପରୀକ୍ଷାର୍ଥୀ କାହିଁକି ଅନ୍ୟ ଯାତ୍ରୀମାନେ ମଧ୍ୟ ଅନୁରୂପ ସମସ୍ୟା ଦେଇ ଗତି କରୁଛନ୍ତି । ଏହିଭଳି ଅବସ୍ଥା ବତୀଘରବାସୀଙ୍କ ନିଦ ହଜାଇ ସାରିଲାଣି । ୧୯୯୦ ମସିହାରୁ ବତୀଘର ଦ୍ୱୀପାଞ୍ଚଳକୁ ସେତୁ ହେବ । ଲୋକେ ସଡ଼କ ପଥରେ ଯିବା ଆସିବା କରିବେ । ଏହିଭଳି ଦାବି ୩୬ ବର୍ଷ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି ସ୍ୱପ୍ନ ସାକାର ହେବା ଭଳି ଦିଶୁନି ।
ଆଇନଗତ କଟକଣାରେ ଫସି ଯାଇଛି ସେତୁ ନିର୍ମାଣ ନିଷ୍ପତ୍ତି । ସମସ୍ତ ସର୍ତ୍ତ ପାଳନ କରି ସେତୁ ନିର୍ମାଣ କରିବାକୁ ଥିବା ବେଳେ ତାହା ସମୟକ୍ରମେ ବ୍ୟୟ ବହୁଳ ହୋଇଛି । ତେଣେ ଅନୁମୋଦନ ପାଇଁ ଯାଇଥିବା ଫାଇଲ୍ ଉପରେ ଧୂଳିର ଆସ୍ତରଣ ଜମିଗଲାଣି । ପୋଲ ନିର୍ମାଣରେ ବିଳମ୍ବ ପଛର ରହସ୍ୟ ଏବେ ପଦାକୁ ଆସିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଖରିନାସୀ ନଦୀରେ ପୋଲ ନିର୍ମାଣ କରାଯିବାକୁ କେନ୍ଦ୍ର ସରକାରଙ୍କର ଅନ୍ତଃ ଜଳମାର୍ଗ ପ୍ରାଧିକରଣ (ଇନ୍ଲ୍ୟାଣ୍ଡ ୱାଟର ୱେ ଅଥରିଟି ଅଫ୍ ଇଣ୍ଡିଆ)ର ଅନୁମତି ନିହାତି ଜରୁରି । ଆଉ ସେହିଠାରେ ହିଁ ଗ୍ରାମ୍ୟ ଉନ୍ନୟନ ବିଭାଗର ନଥିପତ୍ର ପଡ଼ିରହିଛି ।
ସେହିପରି ଜମ୍ବୁ ଫେରିଘାଟ ପାଖରେ ଜମ୍ବୁ ନଦୀ ଉପରେ ହେବାକୁ ଥିବା ସେତୁ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଛି । ଏହି ଦୁଇଟି ସ୍ଥାନରେ ସେତୁ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି । ସବୁଠାରୁ ବଡ଼ ବିକଳ ଚିତ୍ର ଆସିଛି ବତୀଘର ପଞ୍ଚାୟତରୁ । ଏଠାରେ ଜନସଂଖ୍ୟା ହାରାହାରି ୮ ହଜାରରୁ ଅଧିକ ହେବ । ସାନଟୁବି, ବଡ଼ଟୁବି, ଉତ୍ତରଖଳା, ଦକ୍ଷିଣଖଳା, ବତୀଘର, ସାନନିପାଣିଆ, ବଡ଼ ନିପାଣିଆ, କଜଳପାତିଆ, ଯୋଗିଧାନକୁଦ, ସରଳିକୁଦ, ହେଟାମୁଣ୍ଡିଆ ପ୍ରଭୃତି ରାଜସ୍ୱ, ବେଛପରି ଓ ପଡ଼ାଗ୍ରାମକୁ ନେଇ ବତୀଘର ପଞ୍ଚାୟତର କଳେବର । ଏହାର ତିନିପଟେ ସମୁଦ୍ର ଓ ଗୋଟିଏ ପଟେ ନଦୀ । ଏଠାରେ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ମତ୍ସ୍ୟଜୀବୀ ଓ ଶ୍ରମିକ । ବତୀଘର ପଞ୍ଚାୟତରେ କୌଣସି ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ପଡ଼ିଲେ ସିଧାସଳଖ ଜଣେ ରୋଗୀ ଯାଇପାରିବ ନାହିଁ । ଟୁବି ଫେରିଘାଟ ପାରି ହେବାକୁ ପଡ଼ିବ କିମ୍ବା ବୋଟ୍ ଆମ୍ବୁଲାନ୍ସରେ ଆସିବାକୁ ପଡ଼ିଥାଏ । କିନ୍ତୁ ଜୁଆର ଛାଡ଼ିଗଲେ କିମ୍ବା ମେଘ ଧୂମାଳ ଉଠିଲେ ବୋଟ୍ ଆମ୍ବୁଲାନ୍ସ ସେବା ଦେଇପାରୁନାହିଁ । ଯାହା ପାଇଁ ରୋଗୀଟିଏ ଦ୍ୱୀପାଞ୍ଚଳରେ କଲବଲ ହେଉଛି ।
ସେହିପରି ବିଦ୍ୟାର୍ଥୀମାନେ ପାଠ ପଢ଼ିବାକୁ ଆସିବାକୁ ହେଲେ ବିପଜ୍ଜନକ ଅବସ୍ଥାରେ ଅନେକ ସମୟରେ ନଦୀପାର ହେବାକୁ ପଡ଼ୁଛି । ଖାଲି ସେତିକି ନୁହେଁ ଗର୍ଭବତୀ ମହିଳାଟିଏ ଗର୍ଭବେଦନାରେ ଛଟପଟ ହେଲେ ମଧ୍ୟ ତାଙ୍କୁ ତ୍ୱରିତ ସେବା ମିଳିବା ଆଶା କ୍ଷୀଣ । ଏସବୁ ବାଦ୍ ଛୋଟମୋଟ ବ୍ୟବସାୟ କରୁଥିବା ବ୍ୟବସାୟୀ ଓ ବିଭିନ୍ନ ସରକାରୀ କାର୍ଯ୍ୟରେ ଆସି ଯଦି କୌଣସି ଅସୁବିଧାର ସମ୍ମୁଖୀନ ହୁଏ ଜଣେ ବ୍ୟକ୍ତି ବତୀଘରୁ ନିଜ ବାସସ୍ଥାନକୁ ଫେରିବାକୁ ପଡ଼ିବ । ବିଳମ୍ବ ହେଲେ ଫେରିଘାଟ ବନ୍ଦ । ଏସବୁ ସମସ୍ୟାକୁ ଦୂର କରିବା ପାଇଁ ଖରିନାସୀ ନଦୀରେ ସେତୁ ନିର୍ମାଣ ନିହାତି ଜରୁରି । କିନ୍ତୁ ଜମ୍ବୁ ଓ ଖରିନାସୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯେଉଁ ସେତୁ ନିର୍ମାଣ କରିବା ପାଇଁ ଅଣ୍ଟା ଭିଡ଼ିଛି ତାହା ବିଳମ୍ବ ହେଉଛି । ପ୍ରଥମେ କେନ୍ଦ୍ର ସରକାରଙ୍କର ଅନ୍ତଃ ଜଳମାର୍ଗ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କର ନଦୀ ଉପରେ ସେତୁ ନିର୍ମାଣ ପାଇଁ ଅନୁମତି ନିହାତି ଆବଶ୍ୟକ । ଏହାର କାରଣ ଭବିଷ୍ୟତରେ ଏହିସବୁ ନଦୀରେ ଛୋଟ ଜାହାଜ ଚଳାଚଳ ହେବ । ତେଣୁ ସେତୁର ଡିଜାଇନ୍, ଉଚ୍ଚତା, ଚଉଡ଼ା ସାଧାରଣ ସେତୁ ଠାରୁ ସମ୍ପୂର୍ଣ୍ଣ ଅଲଗା ଭାବେ ତିଆରି କରାଯିବ । ଏହା ସହିତ ଅନ୍ତଃ ଜଳମାର୍ଗ ପ୍ରାଧିକରଣର ଯେଉଁ ସର୍ତ୍ତାବଳୀ ରହିଛି ତାକୁ ରାଜ୍ୟ ସରକାର ମାନିବା ଉଚିତ୍ । ଏଯାଏ ଅନୁମତି ମିଳିନଥିବାରୁ ସେତୁ ନିର୍ମାଣ ସମ୍ପର୍କରେ ଯେଉଁ ପ୍ରକ୍ରିୟା ସବୁ ରହିଛି ତାହା ଆଗେଇ ପାରୁନାହିଁ । ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ଦୁଇଟି ସେତୁର ନିର୍ମାଣ ଦାୟିତ୍ୱ ନେଇଛି । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲିକଙ୍କୁ ପଚାରିବାରୁ ସେ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ସହ କଥା ହେବେ ବୋଲି କହିଛନ୍ତି ।
ଅଧିକ ପଢନ୍ତୁ-ପାଟଣା ବନାଞ୍ଚଳରେ ମୃତ୍ୟୁ ଯନ୍ତା: ୪୭୬ ଖୋଲା କୂଅ ପାଲଟିଛି ବିପଦ, ତୁରନ୍ତ ଘୋଡ଼ାଇବାକୁ ନିର୍ଦ୍ଦେଶ