କେନ୍ଦୁଝର, ୧୧।୩: ବନ୍ୟପ୍ରାଣୀଙ୍କ ପାଇଁ ବିପଦ ଚାରିପଟୁ ଘେରି ରହିଛି । କେତେବେଳେ ରେଳ ଲାଇନ୍ରେ ଟ୍ରେନ୍ ଧକ୍କା ହୋଇ ପ୍ରାଣ ଯାଉଥିବା ବେଳେ ଆଉ କେତେବେଳେ ରାଜପଥରେ ଭାରୀଯାନରେ ପିଟି ହୋଇ ବନ୍ୟପ୍ରାଣୀଙ୍କ ଜୀବନ ଯାଉଛି । କେବଳ ସେତିକି ନୁହେଁ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ତାର ଏବଂ ଖୁଣ୍ଟରେ ବନ୍ୟପ୍ରାଣୀ ପ୍ରାଣ ହରାଉଥିବା ବେଳେ ଏବେ କେନ୍ଦୁଝର ବନଖଣ୍ଡରେ ଖୋଲା କୂଅ ବନ୍ୟପ୍ରାଣୀଙ୍କ ପାଇଁ ମୃତ୍ୟୁଯନ୍ତା ପାଲଟିଛି । କେନ୍ଦୁଝର ବନଖଣ୍ଡର ୫ଟି ବନାଞ୍ଚଳରେ ୪୭୬ଟି ଖୋଲା କୂଅ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ପାଲଟିଛି । ବନବିଭାଗ ପକ୍ଷରୁ ଏହି କୂଅ ଗୁଡ଼ିକ ଚିହ୍ନଟ କରାଯିବା ପରେ ସେଗୁଡ଼ିକ ପୋତିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦେକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି ।
ଏହା ବି ପଢ଼ନ୍ତୁ... ମହେନ୍ଦ୍ରଗିରିରେ ଚାଲିଛି ଦୁଃସାହସିକ କ୍ରୀଡ଼ା ପ୍ରଶିକ୍ଷଣ ଶିବିର,୧୫ ଶହରୁ ଅଧିକ ପିଲା ସାମିଲ୍
ବନବିଭାଗ ପକ୍ଷରୁ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା କୂଅକୁ ଚିହ୍ନଟ କରାଯାଇଛି । ସବୁଠାରୁ ଅଧିକ ପାଟଣା ବନାଞ୍ଜଳରେ ୨୧୩ଟି କୂଅ ବନ୍ୟପ୍ରାଣୀ ଚଳପ୍ରଚଳ ଅଞ୍ଚଳରେ ରହିଥିବା ଚିହ୍ନଟ ହୋଇଛି । ସେହିପରି ତେଲକୋଇ ବନାଞ୍ଚଳରେ ୧୩୬ଟି, ବିଜେପି ବନାଞ୍ଚଳରେ ୬୨ଟି, ଘଟଗାଁ ବନାଞ୍ଚଳରେ ୨୮ଟି, କେନ୍ଦୁଝର ସଦର ରେଞ୍ଜ ଅଧିନରେ ୩୭ଟି ଖୋଲା କୂଅ ରହିଥିବା ଜଣାପଡିଛି । ଉକ୍ତ କୂଅ ଗୁଡିକ ଉପର ଭାଗରେ ସୁରକ୍ଷା ବ୍ୟବସ୍ଥା ବନବିଭାଗ ପକ୍ଷରୁ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ଯେଭଳି ବନ୍ୟପ୍ରାଣୀମାନେ ଖୋଲା କୂଅରେ ନପଡିବେ ସେଥିପାଇଁ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ଡିଏଫ୍ଓ ଧନରାଜ ଏଚଡିଙ୍କୁ ପଚାରିବାରୁ ଜଙ୍ଗଲ ସଂଲଗ୍ନ ଗାଁ ଗୁଡ଼ିକରେ ଅସୁରକ୍ଷିତ ଅବସ୍ଥାରେ ରହିଥିବା କୂଅ ଗୁଡ଼ିକ ଚିହ୍ନଟ କରାଯାଇଛି । ଅବ୍ୟବହୃତ କୂଅ ପୋତି ଦେବା ସହିତ ବ୍ୟବହାର କରାଯାଉଥିବା କୂଅ ଗୁଡ଼ିକର ଉପର ଭାଗ ଆବଦ୍ଧ କରାଯାଇ ବନ୍ୟପ୍ରାଣୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ।
ସୂଚନା ଅନୁଯାୟୀ, ଲଗାତର ଭାବେ କିଛିଦିନ ଧରି ଅସୁରକ୍ଷିତ କୂଅରେ ଖସି ହାତୀ ସହିତ ବନ୍ୟପ୍ରାଣୀଙ୍କ ଜୀବନ ଯାଉଥିବା ଘଟଣା ଚିନ୍ତାର ବିଷୟ ପାଲଟିଛି । କେନ୍ଦୁଝର ସଦର ବନାଞ୍ଚଳର ବାଇଗଣ ଖାଇବାକୁ ଆସି ମା’ ସହିତ ଏକ ଭଙ୍ଗା କୂଅରେ ଖସି ପଡି ୧ ବର୍ଷର ହାତୀ ଶାବକ ପ୍ରାଣ ହରାଇଛି । ହାତୀ ଛୁଆଟି ଗତମାସ ୨୬ ତାରିଖ ରାତିରେ କୂଅରେ ଖସି ପଡିବା ପରେ ମା’ ସହିତ ଅନ୍ୟ ହାତୀମାନେ ଉଦ୍ଧାର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ମାତ୍ର ହାତୀ ଶାବକକୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳଳ କାଠ ବାଉଁଶୂଳି ଗ୍ରାମରେ ଘଟିଥିଲା । ଏହାପୂର୍ବରୁ ଗତ ୧୫ ତାରିଖ ରାତିରେ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧୀନ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ରଞ୍ଜିତ ବେହେରାଙ୍କ ବାଡ଼ିକୁ ପରିବା ଖାଇବାକୁ ଆସିଥିବା ଦୁଇଟି ବାର୍ହାଙ୍କ ଏକ ଖୋଲା କୂଅରେ ପଡ଼ି ମୃତ୍ୟୁ ହୋଇଥିଲା ।
କେବଳ ଏତିକି ନୁହେଁ ଗତ ୪ ତାରିଖରେ ସଦର ବନାଞ୍ଚଳର ବନାଯୋଡି ଗ୍ରାମରେ ହୃଷି ନାଏକଙ୍କ କୂଅରେ ଏକ ଦନ୍ତାହାତୀ ଖସି ପଡ଼ିଥିଲା । ବନବିଭାଗ, ଦମକଳ ବାହିନୀ ଅକ୍ଳାନ୍ତ ପରିଶ୍ରମ କରିବା ପରେ ହାତୀକୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ । ୩୦ ଫୁଟ୍ର କୂଅରେ ଖସି ହାତୀଟି ଆହତ ମଧ୍ୟ ହୋଇଥିଲା । ଏଭଳି ଅନେକ ବିପଦସଙ୍କୁଳ କୂଅ ଓ ଖୋଲା ଗର୍ତ୍ତ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଅନେକ ଘଟଣା ପଦାକୁ ଆସୁଥିବା ବେଳେ କିଛି ଦୁର୍ଘଟଣା ଚାପି ହୋଇଯାଉଛି । ଜଙ୍ଗଲ ସନ୍ନିକଟ ଗ୍ରାମ ଗୁଡ଼ିକରେ ବାସ କରୁଥିବା ଲୋକେ ପାନୀୟ ଜଳ ସହିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ହଜାର ହଜାର ଗଭୀର କୂଅ ଖୋଳିଛନ୍ତି । ସେଥିମଧ୍ୟରୁ ୪୭୬ କୂଅର ଉପର ଭାଗ ଆବଦ୍ଧ ନଥିବାରୁ ରାତିରେ ବନ୍ୟପ୍ରାଣୀ ଚଳପ୍ରଚଳ ସମୟରେ ଏଭଳି ବିପଦପୂର୍ଣ୍ଣ କୂଅରେ ପଡ଼ିଯାଉଛନ୍ତି ।