ଦୋହା,୨୦/୧୨: ରିୟଲ ମାଦ୍ରିଦ ୩-୦ ଗୋଲରେ ପାଚୁକାକୁ ପରାଜିତ କରି ଫିଫା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଚାମ୍ପିଅନ ହୋଇଛି । ଷ୍ଟାର ଖେଳାଳି କିଲିୟାନ ଏମ୍‌ବାପେ ଚମତ୍କାର ପ୍ରଦର୍ଶନ  କରି ଦଳକୁ ବିଜୟୀ କରିବାରେ ମୁଖ୍ୟ  ଭୂମିକା ଗ୍ରହଣ କରିଥିଲେ । 

ମ୍ୟାଚ୍‌ଟି ସଂପୂର୍ଣ୍ଣ ଏକତରଫା  ରହିଥିଲା । ମେକ୍ସିକୋର ପାଚୁକା ଦଳ ବହୁ ପ୍ରୟାସ କରି ଶେଷ ପର୍ଯ୍ୟନ୍ତ ଗୋଲ  ଖାତା ଖୋଲି ପାରି ନଥିଲା। ରିୟଲ ମାଦ୍ରିଦ  ପ୍ରଥମାର୍ଦ୍ଧରେ ଗୋଟିଏ ଏବଂ ଦ୍ୱିତୀୟାର୍ଦ୍ଧରେ  ୨ଟି ଗୋଲ୍‌ ଦେଇ ମ୍ୟାଚ୍‌ ଜିତି ନେଇଥିଲା । 

୩୬ ମିନିଟ ପର୍ଯ୍ୟନ୍ତ ଖେଳ  ସଂଘର୍ଷପୂର୍ଣ୍ଣ ହୋଇଥିଲା । ୩୭ ମିନିଟରେ  ଜୁନିୟର ଭିନିସିୟସଙ୍କ ଏକ ଚମତ୍କାର  ପାସ୍‌କୁ ଏମ୍‌ବାପେ ଗୋଲରେ ରୂପାନ୍ତରିତ  କରି ଦଳକୁ ପ୍ରଥମାର୍ଦ୍ଧରେ ଅଗ୍ରଣୀ  କରାଇଥିଲେ । ଦ୍ୱିତୀୟାର୍ଦ୍ଧରେ ରୋଡ୍ରିଗୋ  (୫୩ ମିନିଟ୍‌) ଏବଂ ଭିନିସିୟସ (୮୪  ମିନିଟ) ୨ଟି ଗୋଲ୍‌ ସ୍କୋର କରିଥିଲେ ।  ରୋଡ୍ରିଗୋଙ୍କୁ ସହାୟତା କରିଥିଲେ  ଏମ୍‌ବାପେ । ୮୪ ମିନିଟରେ ରିୟଲ  ମାଦ୍ରିଦ ପାଇଥିଲା ପେନାଲ୍ଟି । ଭିନିସିୟସ  ଆଦୌ ତ୍ରୁଟି ନକରି ବଲକୁ ପାଚୁକା  ଗୋଲପୋଷ୍ଟରେ ପୂରାଇଥିଲେ ।

ଏମ୍‌ବାପେ ସୁସ୍ଥ ହେବା ପରେ  ସିଧାସଳଖ ଦୋହାରେ ଦଳ ସହ ଯୋଗ  ଦେଇଥିଲେ । ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ତାଙ୍କ  ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଥିଲା ।  ଗୋଟିଏ ଗୋଲ ଦେବା ସହ ଗୋଟିଏରେ  ସହାୟତା କରିଥିଲେ ।