ନୂଆଦିଲ୍ଲୀ: ୨୦୩୪ ପୁରୁଷ ଫୁଟବଲ୍ ବିଶ୍ବକପ୍ର ଆୟୋଜକ ହେବ ସାଉଦି ଆରବ । ସେହିଭଳି ୨୦୩୦ ବିଶ୍ବକପ୍ ସ୍ପେନ୍, ପର୍ତ୍ତୁଗାଲ ଏବଂ ମରୋକ୍କୋରେ ଆୟୋଜିତ ହେବ । ଏନେଇ ଫିଫାର ଅଧ୍ୟକ୍ଷ ଗିୟାନୀ ଇନଫ୍ୟାଣ୍ଟିନୋ ଘୋଷଣା କରିଛନ୍ତି । ଏହି ସମୟରେ ଗିୟାନୀ କହିଛନ୍ତି ଯେ, ‘ଆମେ ଫୁଟବଲ୍କୁ ଆହୁରି ଅଧିକ ଦେଶକୁ ନେଇ ଯିବାକୁ ପ୍ରୟାସ କରୁଛୁ ଏବଂ କୌଣସି ଟିମ୍ର ଗୁଣବତ୍ତା ସହ ସାଲିସ କରୁନାହୁଁ ।’
ସାଉଦି ଆରବରେ ଆୟୋଜନ ପାଇଁ କୌଣସି ପ୍ରକାର ବିରୋଧ ହୋଇ ନାହିଁ । ଜ୍ୟୁରିଖରେ ଫିଫା ବିଶ୍ୱକପ୍ ପାଇଁ ହୋଇଥିବା ବୈଠକରେ ୨୦୦ରୁ ଅଧିକ ସଦସ୍ୟ ଦେଶ ସର୍ବସମ୍ମତିରେ ମଞ୍ଜୁରି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୨୬ ଫିଫା ବିଶ୍ୱକପ୍ ଉତ୍ତର ଆମେରିକା (ୟୁଏସ୍, ମେସ୍କିକୋ ଏବଂ କାନାଡା)ର ୧୬ ସହରରେ ଆୟୋଜନ କରାଯିବ । ଫିଫା ଏବଂ ସାଉଦି ଆରବର ଅଧିକାରୀଙ୍କ ଅନୁସାରେ, ୨୦୩୪ ଫୁଟବଲ୍ ବିଶ୍ବକପ୍ ଆୟୋଜନ ଦ୍ବାରା ଦେଶରେ ମହିଳାଙ୍କୁ ଅଧିକ ସ୍ବାଧୀନତା ମିଳିପାରେ ।
ସେପଟେ ୨୦୨୭ରେ ହେବାକୁ ଥିବା ମହିଳା ବିଶ୍ବକପ୍ ବ୍ରାଜିଲ୍ରେ ୨୪ ଜୁନ୍ରୁ ୨୫ ଜୁଲାଇ ଯାଏଁ ଆୟୋଜିତ ହେବ । ପ୍ରଥମ ଥର ଲାଗି କୌଣସି ଦକ୍ଷିଣ ଆମେରିକୀୟ ଦେଶରେ ଫୁଟବଲ୍ ବିଶ୍ବକପ୍ ଆୟୋଜନ ହେବାକୁ ଯାଉଛି । ମହିଳା ବିଶ୍ବକପ୍ରେ ମୋଟ ୩୨ଟି ଟିମ୍ ଅଂଶଗ୍ରହଣ କରିବେ । ଏହା ପୂର୍ବରୁ ୨୦୨୩ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ମିଳିତ ଆୟୋଜନରେ ହୋଇଥିବା ମହିଳା ବିଶ୍ବକପ୍ରେ ସ୍ପେନ୍ ବିଜୟୀ ହୋଇଥିଲା ।