ହରଭଙ୍ଗା,୧୮/୧୧ : କଳା, ସଂସ୍କୃତି, ପରମ୍ପରା, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ମହା ମିଳନ ପଞ୍ଚମ ରାଜ୍ୟସ୍ତରୀୟ ମା’ ଭୈରବୀ ମହୋତ୍ସବ l ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ମା’ ଭୈରବୀ ଯଶ, କୀର୍ତ୍ତିକୁ ଦେଶ ଓ ବିଦେଶରେ ବିଖ୍ୟାତ ପାଇଁ ମା’ ଭୈରବୀ ସାଂସ୍କୃତିକ ପରିଷଦ ପୁରୁଣାକଟକ ମା’ଙ୍କ ନାମରେ ୨୦୧୯ମସିହାରେ ଆୟୋଜନ କରିଥିଲା ମା’ଭୈରବୀ ମହୋତ୍ସବ, ପଲ୍ଲିଶ୍ରୀ ଓ ବାଣିଜ୍ୟ ମେଳା l ଚଳିତ ବର୍ଷ ଏହି ମହୋତ୍ସବ ପଞ୍ଚମ ବର୍ଷରେ ପଦାର୍ପଣ କରିଥିବା ବେଳେ ମା’ଙ୍କ ଦିବ୍ୟଜ୍ୟୋତି ଓ ବିଜୟା ପ୍ରତିମା ଏକ ବିରାଟ ଶୋଭାଯାତ୍ରାରେ ଛତ୍ରି, ଛତ୍ର, ଢୋଲ ମହୁରୀ, ଘଣ୍ଟ ଘଣ୍ଟା ସହିତ ଅଘୋରୀ ନୃତ୍ୟ, କଟାପା ନୃତ୍ୟ, ଶବର ଓ ଦଣ୍ଡ କାଳୀ ନୃତ୍ୟ, ମେଲୋଡି, କୃଷ୍ଣ ଗୁରୁ ସହ ଜନ ସମୁଦ୍ରରେ ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲା l

ମଞ୍ଚରେ ସନ୍ଧ୍ୟା ଆଳତି ପରେ ସାଧାରଣସଭା ଅନୁଷ୍ଠିତ ହୋଇଥିଲା l ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ମଂଚାସୀନ ଥିବାବେଳେ ସମ୍ମାନିତ ଅତିଥିଭାବେ ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅନ୍ୟତମ ଅତିଥିଭାବେ, ସିଡିପିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଏଡିଏମ ଅନିରୁଦ୍ଧ ପ୍ରଧାନ ମଂଚାସୀନ ରହି ମହୋତ୍ସବକୁ ଶୁଭ ଉଦଘାଟିତ କରିଥିଲେ l ସମ୍ପାଦକ ଅଶୋକ ସେଠୀ ମହୋତ୍ସବର ସମ୍ପାଦକୀୟ ବିବରଣୀ ପଠନ କରିଥିଲେ l ଅତିଥି ଗଣଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଯୁକ୍ତ ଦୁଇ କଳା ମହାବିଦ୍ୟାଳୟ ପୁରୁଣାକଟକର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତଗାନ କରାଯାଇଥିଲା l

ସଭା କାର୍ଯ୍ୟ ପରେ ନାଟରାଜ କଳା ମନ୍ଦିର ଫୁଲବାଣୀ, ସାଂସ୍କୃତିକ ପରିଷଦ ବାଉଁସୁଣୀ, ବଳଦେବ ଜୀଉ ଓଡ଼ିଶୀ ନୃତ୍ୟ କେନ୍ଦ୍ରାପଡ଼ା ସହିତ ଭୈରବୀ ଯୁକ୍ତ ଦୁଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମନ ଭରି ଉପଭୋଗ କରିଥିଲେ l ବିଶେଷ ଆକର୍ଷଣ ଶୋଭାଯାତ୍ରାରେ ଅଘୋରୀ ଓ କଟାପା ନୃତ୍ୟ ଦେଖିବାକୁ ମିଳିଥିବାବେଳେ କନ୍ଧମାଳ ସାଂସଦ ସୁକାନ୍ତ ପଟ୍ଟନାୟକ ଓ ମୁଖ୍ୟ ସଚେତକ, ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲ ଶୋଭାଯାତ୍ରାରେ ସାମିଲ ରହିଥିଲେ l ଚଳିତ ମାସ ୧୮ତାରିଖରୁ ୨୩ତାରିଖ ୬ ଦିନ ବ୍ୟାପି ମହୋତ୍ସବ ଧୁମଧାମରେ ପାଳିତ ହେବାକୁ ଥିବାବେଳେ ଜନ ଗହଳିକୁ ନେଇ ପୁରୁଣାକଟକ ପୁଲିସ ଓ ପୁରୁଣାକଟକ ଡ୍ରାଇଭର ମହାସଂଘ, କଲେଜ ଛାତ୍ରଛାତ୍ରୀ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ l ଅନ୍ୟପଟେ ବିଭିନ୍ନ ଖାଦ୍ୟ ଷ୍ଟଲରେ ଭିଡ଼ ଦେଖିବାକୁ ମିଳିଥିଲା ।