ଧର୍ମଶାଳା,୧୫/୦୭: ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ମୃତଦେହକୁ ଉଦ୍ଧାର କଲା ଧର୍ମଶାଳା ପୁଲିସ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥ ନେଉଳପୁର ଛକ ନିକଟରୁ ଏହି ଘଟଣା ସାମ୍ନାକୁ ଆସିଛି। ଏକ ଭଡା ଘରୁ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ, କଟକ ଜିଲା ଗୋବିନ୍ଦପୁର ଥାନା କନ୍ଦଳ ଗାଁର ମହେଶ୍ୱର ମହାରଣାଙ୍କ ପୁଅ ରାକେଶ ମହାରଣା ଚଣ୍ଡିଖୋଲ ସ୍ଥିତ ମୁଥୁଟ ମାଇକ୍ରୋ ଫାଇନାନ୍ସ କମ୍ପାନୀର କ୍ରେଡିଟ୍ ମ୍ୟାନେଜର ଭାବେ ଦେଢ଼ ବର୍ଷ ହେବ କାମ କରୁଥିଲେ । ନେଉଳପୁର ଛକ ନିକଟରେ ଏକ ଭଡ଼ା ଘର ନେଇ ଦୁଇ କର୍ମଚାରୀଙ୍କ ସହ ରହୁଥିଲେ। ଗତକାଲି ଦୁଇ କର୍ମଚାରୀ ରାତିରେ ଉକ୍ତ ଭଡା ଘରକୁ ଫେରିଲା ବେଳକୁ ଘରର କବାଟ ଭିତର ପଟୁ ବନ୍ଦ ରହିଥିଲା। ଡାକିଲା ପରେ କବାଟ ନ ଖୋଲିବାରୁ ସନ୍ଦେହ ଉପୁଜିଥିଲା। ତୁରନ୍ତ ଧର୍ମଶାଳା ପୁଲିସକୁ ସେମାନେ ଖବର ଦେଇଥିଲେ। ଏନେଇ ପୁଲିସ ଆସି ଘରର କବାଟ ଭାଙ୍ଗି ଦେଖିବାରୁ ସେ ଘରର ଫ୍ୟାନରେ ରଶି ଲଗାଇ ଝୁଲିପଡିଛନ୍ତି। ପୁଲିସ ମୃତଦେହକୁ ଜବତ କରି ଧର୍ମଶାଳା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ ଉକ୍ତ କର୍ମଚାରୀ ଜଣକ କାହିଁକି ଆତ୍ମହତ୍ୟା କଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।