ନୂଆଦିଲ୍ଲୀ ୨୨/୦୮: ଇମ୍ୟୁନିଟି ବ୍ୟବସ୍ଥା ଆମ ଶରୀରର ସୁରକ୍ଷା କବଚ ଭାବେ କାମ କରିଥାଏ । ଏହା ବ୍ୟାକ୍ଟେରିଆ ଓ ଭାଇରସ୍‌ ସହ ଲଢିବା ସହ ଶରୀରକୁ ରୋଗରୁ ରକ୍ଷା କରିଥାଏ । ତେଣୁ ଦୁର୍ବଳ ଇମ୍ୟୁନିଟି ବ୍ୟବସ୍ଥା ଶରୀରକୁ ଦୁର୍ବଳ କରିଥାଏ । ଫଳରେ ବାରମ୍ବାର ସଂକ୍ରମଣ, ଥକ୍କାପଣ ଓ ରୋଗର ଆଶଙ୍କା ଲାଗି ରହିଥାଏ । କେତେକ ବଦଭ୍ୟାସ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ।

ନିଦର ଅଭାବ : 

ନିଦ କେବଳ ଶରୀର ଓ ମସ୍ତିଷ୍କକୁ ଆରାମ ଦେଇ ନଥାଏ, ବରଂ ଇମ୍ୟୁନିଟିକୁ ମରାମତି କରିବା ସହ ରିଚାର୍ଜ କରିଥାଏ । ଶୋଇବା ସମୟରେ ଶରୀରର ସାଇଟୋଫାଇନ୍ସ ନାମକ ପ୍ରୋଟିନ୍‌ ତିଆରି କରିଥାଏ । ଏହି ପ୍ରୋଟିନ୍‌ ସଂକ୍ରମଣ ଓ ପ୍ରଦାହ ସହ ଲଢିବାରେ ସାହାଯ୍ୟ କରିଥାଏ । ଗଭୀର ନିଦରେ ନ ଶୋଇବା ଦ୍ୱାରା ଏହି ପ୍ରୋଟିନ୍‌ର ମାତ୍ରା କମିଚାଲେ । ଫଳରେ ସଂକ୍ରମଣ ସହ ଲଢୁଥିବା ଟି-ସେଲ୍ସର କ୍ଷମତା କମିଚାଲେ । ଫଳରେ ଶରୀରରେ ପ୍ରଦାହ ବଢିଥାଏ । ତେଣୁ ନିୟମିତ ୭/୮ ଘଣ୍ଟା ଶୋଇବା ଜରୁରି । ଶୋଇବା ଓ ଉଠିବାର ସମୟ ସ୍ଥିର ରଖିବା ଜରୁରି । ଶୋଇବା ପୂର୍ବରୁ ମୋଇବାଲ୍‌ ଓ ଲାପଟପ୍‌ ବ୍ୟବହାରଠାରୁ ଦୂରେଇଯିବା ଉଚିତ୍‌ ।

ଖରାପ ପୋଷଣ :

ଯେପରି ଗାଡ଼ି ଚଳାଇବା ପାଇଁ ଇନ୍ଧନ ଆବଶ୍ୟକ ହୋଇଥାଏ । ଠିକ୍‌ ସେମିତି ଇମ୍ୟୁନିଟି ଶକ୍ତିକୁ ବଢାଇବା ପାଇଁ ପୋଷକ ତତ୍ତ୍ୱ ଆବଶ୍ୟକ ହୋଇଥାଏ । ପ୍ରୋସେସଡ୍‌ ଫୁଡ୍‌, ଜଙ୍କ୍‌ ଫୁଡ୍‌, ଅଧିକ ମିଠା ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଇମ୍ୟୁନିଟି ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଭିଟାମିନ୍ସ ଓ ମିନେରାଲ୍ସ ଅଭାବରୁ ଶରୀର ବ୍ୟାକ୍ଟେରିଆ ଓ ଭାଇରସ୍‌ ବିରୋଧରେ ଲଢିପାରେନା । କେବଳ ସେତିକି ନୁହେଁ ଖାଦ୍ୟରେ ପ୍ରୋବାୟୋଟିକସ୍‌ ଓ ପ୍ରିବାୟୋଟିକସ୍‌ ଅଭାବରୁ ପେଟ ସମସ୍ୟା ଦେଖା ଦେଇଥାଏ, ଯାହାର ସିଖାସଳଖ ପ୍ରଭାବ ଇମ୍ୟୁନିଟି ଉପରେ ପଡିଥାଏ । ତେଣୁ ଯଥାସମ୍ଭବ ଅସ୍ୱାସ୍ଥ୍ୟକର ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍‌ । 

ଦୀର୍ଘ ସମୟ ଚିନ୍ତାରେ ରହିବା :  

ଅଳ୍ପବହୁତ ଚିନ୍ତା ଜୀବନରେ ରହିବା ଉଚିତ୍‌ । କିନ୍ତୁ ଲଗାତାର ଚିନ୍ତାରେ ରହିବା ଅନୁଚିତ୍‌ । ନଚେତ୍‌ ଇମ୍ୟୁନିଟି ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇପାରେ । ଅଧିକ ଚିନ୍ତା ଶରୀରରୁ କର୍ଟିସୋଲ୍‌ ହର୍‌ମୋନ୍‌ କ୍ଷରଣ କରିଥାଏ । ଏହି ସ୍ତର ଦୀର୍ଘ ସମୟ ଯାଏ ବଢି ରହିଲେ ଶରୀରରେ ପ୍ରଦାହ ଆରମ୍ଭ ହୋଇଥାଏ । ତେଣୁ ଷ୍ଟ୍ରେସ୍‌କୁ ନିୟନ୍ତ୍ରଣ କରିବା ପାଇଁ ଧ୍ୟାନ, ଯୋଗ ଓ ବ୍ୟାୟାମକୁ ଗୁରୁତ୍ୱ ଦେବା ଜରୁରି । 

ଶାରୀରିକ ସକ୍ରିୟତା :

ନିୟମିତ ଶରୀରକୁ ସକ୍ରିୟ ରଖିବା ଦ୍ୱାରା ମଧ୍ୟ ଇମ୍ୟୁନିଟି ବ୍ୟବସ୍ଥା ମଜଭୁତ ହୋଇଥାଏ । ତେଣୁ ନିମୟିତ ଜୀବନରେ ନିଜର ସମସ୍ତ କାମ କରିବା ସହ ବ୍ୟାୟାମ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।