ନୂଆଦିଲ୍ଲୀ,୦୮/୦୨:ଅହମ୍ମଦାବାଦରେ ଅଘଟଣ । ନିର୍ମାଣଧୀନ ସାବରମତୀ ବୁଲେଟ୍ ଟ୍ରେନ ଷ୍ଟେସନରେ ଅଗ୍ନିକାଣ୍ଡ । ତେବେ ଏହି ଘଟଣାଟି ଆଜି ସକାଳେ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ନାହିଁ । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । 

ତେବେ ସୋସିଆଲ ମିଡ଼ିଆରେ ଏହି ଅଗ୍ନିକାଣ୍ଡର ଫଟୋ ଓ ଭିଡିଓ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ,ଏହି ଅଗ୍ନିକାଣ୍ଡରେ ବୁଲେଟ ଟ୍ରେନ ଷ୍ଟେସନର ଅଧାରୁ ଅଧିକାଂଶ ଅଂଶ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ନ୍ୟାଶନାଲ ହାଇସ୍ପିଡ଼୍ ରେଲ୍ କର୍ପୋରେସନ ଲିମିଟେଡ଼୍ ପକ୍ଷରୁ ଏହି ଘଟଣାକୁ ନେଇ ବୟାନ ଜାରି ହୋଇଛି । ଏଥିରେ କୁହାଯାଇଛି ଯେ, ନିର୍ମାଣଧୀନ ଷ୍ଟେସନର ଗୋଟିଏ ପଟ ଛାତର ସଟରିଂରେ ନିଆଁ ଲାଗିଛି । ବିଲ୍ଡ଼ିଂରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏନେଇ ଘଟଣା ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ପରେ ଘଟଣାର ପ୍ରକୃତ କରାଣ ଜଣାପଡ଼ିବ । ଏହି ଘଟଣାରେ କେହି ଆହତ ହେବା କି ମୃତାହତ ହେବା ନେଇ କୌଣସି ସୂଚନା ନାହିଁ। ସେପଟେ ଏନଏଚଏସଆର୍‌ଏଲ୍‌ସିର ଅଧିକାରୀ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପ୍ରକାଶ ଥାଉକି, ଏହି ଷ୍ଟେସନ ୫୦୮  କିଲୋମିଟର ଲମ୍ବା  ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ପରିଯୋଜାନା ଅଂଶ ଅଟେ । ଏହି ପରିଯୋଜନା ଗୁଜୁରାଟ ରୁ ମହାରାଷ୍ଟ ପର୍ଯ୍ୟନ୍ତ । ଏଥିରେ ମୁମ୍ବାଇ, ଥାନେ, ବିରାଟ, ବୋଇସର,ବିଲିମୋରା,ସୁରଟ, ଭରୁଚ,ବଦୋଦରା ଓ ଆନନ୍ଦ ଆଦି ୧୨ଟି ଷ୍ଟେସନ ଅନ୍ତର୍ଭୁକ୍ତ।