କେନ୍ଦ୍ରାପଡ଼ା,୨୪/୦୯: ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ସମୟରେ ଗ୍ୟାସ ଟାଙ୍କିରେ ଅଚାନକ ଲାଗିଲା ନିଆଁ । ଅଳ୍ପକେ ବଞ୍ଚିଲେ ପିଚିକା ଓ ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ପୁନ୍ଦାଳୋ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ସମୟରେ ହଠାତ୍ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଗ୍ୟାସ୍ ଟାଙ୍କି ହୁତୁହୁତୁ ହୋଇ ଜଳିବାରୁ ରୋଷେଇ କରୁଥିବା ଦୁଇ ଜଣ ପାଚିକା ଜୀବନ ବଞ୍ଚାଇ ରୋଷେଇ ଘର ବାହାରକୁ ଆସି ଚିତ୍କାର କରିଥିଲେ । ପାଟି ଶୁଣି ଶ୍ରେଣୀ ଗୃହରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଖାତା ଫୋପାଡି ଜୀବନ ବିକଳରେ ଏଣେତେଣେ ଦୌଡ଼ିଥିଲେ । ଦୁଇ ଶିକ୍ଷକ ବିଦ୍ୟାଳୟ ଛାଡି ବାହାରକୁ ଚାଲି ଯାଇଥିଲେ। ସାଧାରଣ ଲୋକେ ନିକଟସ୍ଥ ଗରଦପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ଅଗ୍ନି ନିରାପଦ ଗ୍ୟାସ ଛାଡ଼ିବାର କିଛି ସମୟ ପରେ ଜଳୁଥିବା ଗ୍ୟାସ ଟାଙ୍କି ଆୟତ୍ତ ହୋଇଥିଲା । ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ଯୋଗାଇ ଦିଆଯାଇଥିବା ଅଗ୍ନି ନିରାପଦ ସିଲିଣ୍ଡରରେ ଗ୍ୟାସ୍ ନଥିବାରୁ ଟାଙ୍କିର ନିଆଁକୁ ଆରମ୍ଭରୁ ଆୟତ୍ତ କରାଯାଇ ପାରିନଥିଲା । ଯାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଥିଲା।