ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଜେଲ୍‌ରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ନିଆଁ ଲାଗିଲେ କଏଦୀ ମୃତାହତ ହେବା ଆଶଙ୍କା

Published By : Prameya | November 25, 2024 1:40 PM

ଭୁବନେଶ୍ୱର,୨୫/୧୧: ଆମ ରାଜ୍ୟରେ  ଥିବା ୮୬ଟି ଜେଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା  ନାହିଁ । ଏମିତିକି ଅଧିକାଂଶ ଜେଲ୍‌ରେ ଗୋଟିଏ ବି  ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ । ଯଦି କିଛି ଅଘଟଣ  ଘଟିଲା ତା’ହେଲେ ଅନେକ ଧନଜୀବନ ହାନି  ହେବା ନିଶ୍ଚିତ । ୨୦୧୮ରେ ମହାରାଷ୍ଟ୍ରର ନାଗପୁର  ସେଣ୍ଟ୍ରାଲ ଜେଲ ଗୋଦାମରେ ଏକ ବଡ଼ଧରଣର  ଅଗ୍ନିକାଣ୍ଡ ଘଟି ଅନ୍ତେବାସୀଙ୍କ ପୋଷାକ ଓ ଅନ୍ୟାନ୍ୟ  ଜିନିଷପତ୍ର ପୋଡ଼ି ଯାଇଥିଲା । ୧୧ ଜଣ କର୍ମଚାରୀ  ଅଚେତ ହୋଇ ପଡ଼ିଥିଲେ । ଏଥିରୁ ଆମ ଜେଲ  କର୍ତ୍ତୃପକ୍ଷ କିଛି ଶିକ୍ଷା କଲା ପରି ମନେ ହେଉନାହିଁ ।  

ରାଜ୍ୟରେ ଜେଲ୍‌ଗୁଡିକୁ ୪ ଭାଗରେ ବିଭକ୍ତ  କରାଯାଇଛି । ସେଗୁଡିକ ହେଲା ମଣ୍ଡଳ ଜେଲ୍‌,  ଜିଲ୍ଲା ଜେଲ୍‌, ସ୍ୱତନ୍ତ୍ର ଜେଲ୍‌ ଓ ସ୍ୱତନ୍ତ୍ର ସବ୍‌ ଜେଲ୍‌ । ଜେଲ୍‌ ବିଭାଗ ରିପୋର୍ଟ କହୁଛି, ସମସ୍ତ  କାରାଗାରରେ ୧୯୭୫ ଜଣ ମହିଳା ଓ ୧୭,୩୮୯  ଜଣ ପୁରୁଷ କଏଦୀ ରହିବାର ବ୍ୟବସ୍ଥା ରହିଛି ।  ୨୦୨୪ ସେପ୍ଟେମ୍ବର ଶେଷ ସୁଦ୍ଧା ବିଭିନ୍ନ ଜେଲ୍‌ରେ  ୬୫୦ରୁ ଅଧିକ ମହିଳା ଓ ୧୫ ହଜାର ୪ ଶହରୁ  ଅଧିକ ପୁରୁଷ କଏଦୀ ଅଛନ୍ତି । ଏ ସବୁ ମଧ୍ୟରେ  ରାଜ୍ୟର ପ୍ରମୁଖ ଜେଲ୍‌ ହେଉଛି ଭୁବନେଶ୍ୱର  ଝାରପଡ଼ାରେ ଥିବା ସ୍ୱତନ୍ତ୍ର ଜେଲ୍‌ । ଏହି ଜେଲ୍‌ରେ  ୯୫୦ ଜଣ କଏଦୀ ରହିବା କ୍ଷମତା ରହିଛି ।  ବର୍ତ୍ତମାନ ଏଠାରେ କ୍ଷମତା ଠାରୁ ଅଧିକ ଅର୍ଥାତ୍‌  ୧୨୭୦ ଜଣ କଏଦୀ ଅଛନ୍ତି । ରାଉରକେଲା ସ୍ୱତନ୍ତ୍ର  ଜେଲ୍‌ରେ ୮୦୨ ଜଣ ରହିବାର କ୍ଷମତା ଥିବା  ବେଳେ ମାତ୍ର ୫ ଶହ କଏଦୀ ରହୁଛନ୍ତି । ବାରିପଦା  ମଣ୍ଡଳ ଜେଲରେ ୫୯୧ ଜଣ ରହିବାର କ୍ଷମତା  ଥିବା ବେଳେ ୬୪୮ରୁ ଅଧିକ କଏଦୀ ରହୁଛନ୍ତି ।  ବ୍ରହ୍ମପୁର ଜେଲ୍‌ରେ ୭୪୩ ଜଣ କଏଦୀ ରହିବାର  କ୍ଷମତା ଥିବା ବେଳେ ୭୮୦ରୁ ଅଧିକ ରହୁଛନ୍ତି ।  କଟକ ଚୌଦ୍ୱାର ଜେଲ୍‌ରେ ୭୩୨ ଜଣ ରହିବାର  କ୍ଷମତା ଥିବା ବେଳେ ଅଛନ୍ତି ପ୍ରାୟ ୧ ହଜାର କଏଦୀ । 

କଏଦୀମାନଙ୍କ ରୋଷେଇ ପାଇଁ କାଠ ଓ  ଗ୍ୟାସ୍‌ର ବ୍ୟବହାର କରାଯାଉଛି । ହେଲେ ରୋଷେଇ  ଘରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ । ତା’ଛଡ଼ା  ଅଧିକାଂଶ ଜେଲ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର ବି ନାହିଁ ।  ପୁଲିସ ଅନେକ ସମୟରେ ବିଭିନ୍ନ ଜେଲ୍‌ରେ  ଚଢ଼ଉ କରି ଲାଇଟର୍‌, ଦିଆସିଲି, ସିଗାରେଟ୍‌,  ଗଞ୍ଜେଇ ଜବତ କରିବାର ନଜିର ରହିଛି । ଯଦି  କୌଣସି କାରଣରୁ ଅସାବଧାନତାବଶତଃ ଏଥିରୁ  ନିଆଁ ଲାଗିଗଲା ତା’ହେଲେ କଥା ସରିଲା । କାରଣ  ଜେଲ୍‌ରେ ଅନ୍ତେବାସୀଙ୍କୁ ତାଲା ପକାଇ ରଖାଯାଏ ।  ନିଆଁ ଲାଗିଲେ ସେମାନଙ୍କୁ ୱାର୍ଡ ଭିତରୁ ଉଦ୍ଧାର  କରିବା ବେଳକୁ କେତେ ଯେ ଜୀବନ ହାନି  ଘଟିଯିବ କହି ହେବନି । ତାଛଡ଼ା ଯଦି କୌଣସି  କାରଣରୁ ରୋଷେଇ ଘର ଗ୍ୟାସ୍‌ରୁ ନିଆଁ ଲାଗିଲା  ତେବେ କଏଦୀମାନେ ଜଳିଯିବେ । ଜେଲ୍‌ରେ  ନିଆଁ ଲାଗିବାର ଆଉ ଏକ କାରଣ ହେଲା ବିଦ୍ୟୁତ  ବ୍ୟବସ୍ଥା । ବୁଢ଼ିଆଣୀ ଜାଲ ଭଳି ଛନ୍ଦି ହୋଇ  ରହିଛି ବିଦ୍ୟୁତ ତାର । ଜେଲ୍‌ ତିଆରି ହେବା  ଦିନ ଠାରୁ ଏସବୁ ମରାମତି ହୋଇନାହିଁ । ସଟ୍‌  ସର୍କିଟ ଯୋଗୁ ନିଆଁ ଲାଗିବାର ଆଶଙ୍କା ବି ରହିଛି । 

ରାଜ୍ୟର କୌଣସି ଜେଲ୍‌ରେ ଅଗ୍ନି ନିରାପତ୍ତା  ପାଇଁ ସ୍ୱତନ୍ତ୍ର ଭାବେ ବିଦ୍ୟୁତ ତାର ଟଣାଯାଇ ନାହିଁ ।  ପ୍ରମୁଖ ଜେଲ୍‌ରେ ଖାଲି ହାତଗଣତି ଅଗ୍ନି ନିର୍ବାପକ  ଯନ୍ତ୍ର ରଖାଯାଇଛି । ଗତ କିଛିବର୍ଷ ହେବ ଅଗ୍ନିଶମ  ବିଭାଗରେ ଅନେକ ପରିବର୍ତ୍ତନ ଆସିଛି । ସରକାରୀ  ହେଉ କି ବେସରକାରୀ ସଂସ୍ଥା ସମସ୍ତଙ୍କ ପାଇଁ ଅଗ୍ନି  ନିରାପତ୍ତା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି ।  ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିବା କେତେ ସଂସ୍ଥାରେ  ତାଲା ପକାଇ ଦେଇଥିଲା ଅଗ୍ନିଶମ ବିଭାଗ । ୨୦୨୦- ୨୧ରେ ଅଗ୍ନିଶମ ବିଭାଗ ୧୭୭୬ ସଂସ୍ଥାକୁ ପ୍ରମାଣପତ୍ର  ପ୍ରଦାନ କରିଥିଲା । ହେଲେ ରାଜ୍ୟର କୌଣସ  ଜେଲର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ । ଏ  ବିଷୟରେ ଅଗ୍ନିଶମ ବିଭାଗ ସବୁ ଜାଣି ଚୁପ୍‌ ରହିଛି ।  

ଏ ସମ୍ପର୍କରେ ଜେଲ୍‌ ଏଡିଜି କହିଛନ୍ତି,  ରାଜ୍ୟର ପ୍ରମୁଖ ଜେଲ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର  ଲାଗିଛି । ଏବେ ଯେଉଁଠି ନୂଆ ଜେଲ୍‌ କାମ ହେଉଛି ସେଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଉଛି ।  ଯେଉଁ ଜେଲ୍‌ରେ ନାହିଁ ସେ ବିଷୟରେ ରାଜ୍ୟ  ସରକାରଙ୍କୁ ପ୍ରସ୍ତାବ ଯାଇଛି । ଖୁବ୍‌ଶୀଘ୍ର ସବୁ  ଜେଲ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.