ଭୋଗରାଇ,୨୬।୮(ଆ.ପ୍ର): ପ୍ରଥମେ ଖେଳ, ଖେଳରୁ ବନ୍ଧୁତା ଓ ପରେ ବନ୍ଧୁତାରୁ ଉଭୟ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ପୁରୁଷ ବନ୍ଧୁ ଜଣକ ଅନ୍ୟ ସମ୍ପ୍ରଦାୟର ବୋଲି ଜାଣିବା ପରେ ପ୍ରେମିକା ଜଣକ ତାଙ୍କ ସହିତ ସମ୍ପର୍କ ଛିନ୍ନ କରି ଅନ୍ୟତ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବିବାହ ମଧ୍ୟ ଠିକ୍ ହୋଇଥିଲା । ଦିନ ଧାର୍ଯ୍ୟ ସରିଥିଲା ।
ତେବେ ବିବାହ ପୂର୍ବଦିନ ରାତିରେ ଘଟିଥିଲା ଏକ ଅଘଟଣ । ମୋତେ ଦେଖା ନକଲେ ଆମ ଦୁହିଁଙ୍କ ମଧ୍ୟରେ ଥିବା ଗୋପନୀୟ ମୁହୁର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରିଦେବି କହି ପୁରୁଷ ବନ୍ଧୁ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ଧମକ ଦେଇଥିଲେ । ଆଉ ସେଥିରେ ଡରିଯାଇ ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କୁ ନିଛାଟିଆ ରାତିରେ ସାକ୍ଷାତ କଲାବେଳେ ସେ ତାଙ୍କୁ ନିଶା ଦ୍ରବ୍ୟ ଶୁଂଘାଇ ଅପହରଣ କରିନେଇଥିବା ଗତ ମାର୍ଚ୍ଚ ମାସ ୩ ତାରିଖରେ ଯୁବତୀଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ । ସେବେଠାରୁ ଯୁବତୀଙ୍କ କୌଣସି ସନ୍ଧାନ ମିଳିନଥିବା ବେଳେ ଦୀର୍ଘ ୬ମାସ ପରେ ଆଜି ସମ୍ପୃକ୍ତ ଯୁବତୀ ଜଣକ ଥାନାରେ ପହଞ୍ଚି ତାଙ୍କୁ ତାଙ୍କର ପୁରୁଷ ବନ୍ଧୁ ବ୍ଲାକମେଲ୍ କରି ଅପହରଣ କରିବା ପରେ ନିଜ ସମ୍ପର୍କୀୟମାନଙ୍କ ଦ୍ଵାରା ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରେ ।
ସୂଚନା ଅନୁଯାୟୀ, ଭୋଗରାଇ ଅଞ୍ଚଳର ଜୌନିକା ଯୁବତି ବାଲେଶ୍ଵରସ୍ଥିତ ଏକ କଲେଜରେ ଯୁକ୍ତ ଦୁଇ ପଢ଼ିବା ପରେ ରାଜ୍ୟସ୍ତରୀୟ ମହିଳା କବାଡି ଦଳରେ ସାମିଲ ହୋଇଥିଲେ । ଏହି ସମୟରେ ପୁରୁଷ ଦଳରେ ଖେଳୁଥିବା ବାଲେଶ୍ଵର ସଦର ଥାନା ପରଖି ଅଞ୍ଚଳର ରଜକ ଅଲ୍ଲୀ ଖାଁଙ୍କ ପୁଅ ଅବଦୁଲ ଗଫୁର ଅଲ୍ଲୀ ଖାଁ ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ପରବର୍ତ୍ତୀ ସମୟରେ ଗଫୁର ଅନ୍ୟ ସମ୍ପ୍ରଦାୟର ବୋଲି ଜାଣିବା ପରେ ପ୍ରଭାସିନୀ ତାଙ୍କ ସହିତ ସମ୍ପର୍କ ଛିନ୍ନ କରି ଘରକୁ ପଳାଇ ଆସିବା ସହ ଅନ୍ୟତ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଗତ ମାର୍ଚ୍ଚ ମାସ ୩ ତାରିଖରେ ତାଙ୍କର ବିବାହ ଦିନ ଧାର୍ଯ୍ୟ ହୋଇଥିଲା ।
ତେବେ ବିବାହର ପୂର୍ବଦିନ ରାତିରେ ଗଫୁର ଯୁବତୀଙ୍କୁ ଫୋନ୍ କରି ତାଙ୍କ ସହିତ ଦେଖା କରିବାକୁ କହିଥିଲା । ମାତ୍ର ଯୁବତୀ ଜଣକ ରାଜି ନହେବାରୁ ତାଙ୍କ ସମ୍ପର୍କର ଗୋପନୀୟ ମୁହୁର୍ତ୍ତର ଫଟୋ ଓ ଭିଡ଼ିଓକୁ ଭାଇରାଲ କରିଦେବ ବୋଲି ଗଫୁର ଧମକ ଦେଇଥିଲା । ଫଳରେ ସେ ତାଙ୍କ କଥାରେ ରାଜି ହୋଇ ନିଛାଟିଆ ରାତିରେ ଘରର ଗେଟ୍ ସମ୍ନାକୁ ଦେଖା କରିବାକୁ ଆସିଥିବା ବେଳେ କୌଶଳ କ୍ରମେ ତାଙ୍କୁ କୌଣସି ନିଶାଦ୍ରବ୍ୟ ଶୁଂଘାଇ ଅପହରଣ କରିନେଇଥିବା ଯୁବତୀଙ୍କ ମାଆ ଭବାନୀ ବେହେରା ଭୋଗରାଇ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ସେବେଠାରୁ ଯୁବତୀଙ୍କ କୌଣସି ସନ୍ଧାନ ମିଳିନଥିଲା ବେଳେ ଆଜି ହଠାତ୍ ତାଙ୍କ ପରିବାର ଲୋକଙ୍କ ସହିତ ଯୁବତୀ ଜଣକ ନିଜେ ଆସି ଅପହରଣ ସହ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।
ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କର ହୋସ ଆସିବା ବେଳକୁ ସେ ବାରିପଦାରେ ଥିଲେ ଏବଂ ସେଠାରେ ଗଫୁରର ସମ୍ପର୍କୀୟ ଭାଇ ଓ ଅନ୍ୟ ଯୁବକ ମାନେ ତାଙ୍କ ଅନିଚ୍ଛା ସତ୍ତ୍ବେ ହାତଗୋଡ଼ ବାନ୍ଧି ତାଙ୍କ ଲହ ଗଣଦୁଷ୍କର୍ମ କରିଥିଲେ । ଏପରିକି କିଛିଦିନ ପରେ ସେଠାରୁ ସଦର ଥାନା ପରଖି ଅଞ୍ଚଳରେ ଥିବା ତାଙ୍କ ଘରକୁ ଆଣି ନିଜ ପରିବାର ଲୋକଙ୍କ ସହିତ ସମ୍ପର୍କୀୟ ମାନଙ୍କ ଦ୍ଵାରା ଯୋର ଜବରଦସ୍ତ ଦୁଷ୍କର୍ମ କରାଯାଇଛି ବୋଲି ସେ ବୟାନ ରେକର୍ଡ କରିଛନ୍ତି । ଏଥିସହିତ ତାଙ୍କୁ ନ୍ୟାୟ ମିଳିବା ସହିତ ଅଭିଯୁକ୍ତ ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡିତା ଓ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ।
ଏବାବଦରେ ଭୋଗରାଇ ଥାନା ପକ୍ଷରୁ ପୂର୍ବରୁ କେସ୍ ନମ୍ବର ୭୬/୨୫ ରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଆଜି ପୀଡିତାଙ୍କ ବୟାନ ପରେ ଗଫୁର ଏବଂ ତାଙ୍କ ସମ୍ପର୍କୀୟମାନଙ୍କ ଉପରେ ବହୁ ସଙ୍ଗୀନ ଦଫା ଲାଗୁ ହୋଇପାରେ ବୋଲି ଅନୁମାନ କରାଯାଉଛି । ଆସନ୍ତାକାଲି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଭୋଗରାଇ ଥାନାଧିକାରୀ ରୋହିତ କୁମାର ବଳ ସୂଚନା ଦେଇଥିଲା ବେଳେ ଉକ୍ତ ଘଟଣା ସମଗ୍ର ଭୋଗରାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।