ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି । ଜଣେ କ୍ରିକେଟର ପଡ଼ିଆରେ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ପଞ୍ଜାବର ଫିରୋଜପୁରରେ ଘଟିଛି । ଜଣେ ବ୍ୟାଟର ଛକା ମାରିବାର କିଛି ମୁହୂର୍ତ୍ତ ପରେ ପିଚ୍ ଉପରେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଖେଳାଳିମାନେ ସିପିଆର ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କୁ ବଞ୍ଚାଇ ପାରିନଥିଲେ। ମୃତ ଖେଳାଳିଙ୍କ ନାମ ହରଜିତ ସିଂହ ବୋଲି କୁହାଯାଉଛି । ସେ ଫିରୋଜପୁରର ବାସିନ୍ଦା ଥିଲେ।
ଏହି ମ୍ୟାଚ୍ DAV ସ୍କୁଲ ପଡ଼ିଆରେ ଖେଳାଯାଉଥିଲା। ଏହି ଭିଡିଓରେ, ବ୍ୟାଟର ପ୍ରଥମେ ଛକା ମାରିଥିଲେ । ତା’ପରେ ସେ ତାଙ୍କ ସାଥୀ ବ୍ୟାଟରଙ୍କ ପାଖକୁ ଆସି ପିଚ୍ ମଝିରେ ଆଣ୍ଠୁ ମାଡ଼ି ବସିଥିଲେ। ମାତ୍ର କିଛି ମୁହୂର୍ତ୍ତ ପରେ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ବହୁ ଉଦ୍ୟମ କରାଯାଇଥିଲେ ବି ବିଫଳ ହୋଇଥିଲେ ।
୨୦୨୪ ମସିହାରେ ମଧ୍ୟ ସମାନ ଏକ ମାମଲା ସାମ୍ନାକୁ ଆସିଥିଲା । ପୁଣେରେ ଇମ୍ରାନ ପଟେଲ ନାମକ ଜଣେ ଖେଳାଳିଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଇମ୍ରାନ ଏହି ବିଷୟରେ ଅମ୍ପାୟାରଙ୍କୁ ମଧ୍ୟ କହିଥିଲେ । ସେ ପାଭିଲିୟନ ଆଡକୁ ଯାଉଥିବା ବେଳେ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଇମ୍ରାନ ପଟେଲ ବହୁତ ଫିଟ୍ ଥିବା ସତ୍ତ୍ୱେ ତାଙ୍କୁ ହୃଦଘାତ ହୋଇଥିଲା।
ନିକଟ ଅତୀତରେ ଖେଳାଳିଙ୍କ ଆକସ୍ମିକ ମୃତ୍ୟୁର ଖବର ସମସ୍ତଙ୍କୁ ବିଚଳିତ କରିଛି । ଏପରିକି ୩୦ ବର୍ଷରୁ କମ୍ ବୟସର ଲୋକମାନେ ମଧ୍ୟ ହୃଦଘାତରେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳୁଛି । ଜୁନ୍ ୨୦୨୪ରେ ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା । ମୁମ୍ବାଇରେ ଏକ କମ୍ପାନୀ ଦ୍ୱାରା ଆୟୋଜିତ ଏକ ମ୍ୟାଚ୍ରେ ରାମ ଗଣେଶ ତନୱାର ଛକା ମାରି ତଳେ ପଡ଼ି ଯାଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା ।