ନୂଆଦିଲ୍ଲୀ, ୦୧/୦୨ : ଆଗତ ହେଲା ବଜେଟ୍-୨୦୨୬। ସାଧାରଣ ଲୋକ ଠାରୁ ନେଇ ମହିଳା, କୃଷକ ଏବଂ ଯୁବକଙ୍କୁ ନେଇ ହେଲା ବଡ଼ ଘୋଷଣା। ୭ ନୂଆ ରେଲୱେ କରିଡର ନିର୍ମାଣ ଠାରୁ ନେଇ କ୍ୟାନସର ଔଷଧ ଶସ୍ତା ଯାଏଁ ବହୁ ଭେଟି ଦେଲେ ସରକାର। ତଥାପି ମଧ୍ୟବିତ୍ତଙ୍କ ମଉଳିଗଲା ଆଶା। ସେୟାର ନିବେଶକଙ୍କୁ ବି ଝଟକା। ଅଶାରେ ରହିଗଲା ୫ ଘୋଷଣା। ଯାହାକୁ ନେଇ ଆଶା ବାନ୍ଧି ବସିଥିଲେ ସାଧାରଣ ଲୋକ। ତେବେ ଜାଣନ୍ତୁ କଣ ସେହି ୫ ଘୋଷଣା-

ଆୟକର ରୁ ମିଳିଲାନି ଆଶ୍ଵସ୍ତି

ଗତ ବଜେଟ୍ ରେ ସାଧାରଣ ଆୟକରଦାତାଙ୍କୁ ୧୨ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟରେ ଜିରୋ ଟ୍ୟାକ୍ସ ଘୋଷଣା କରାଯାଇଥିଲା। ଏଥର ଏହାର ଲିମିଟ୍ କୁ ୧୪ ଲକ୍ଷ ପର୍ଯ୍ୟନ୍ତ ବଢାଯିବ ବୋଲି ମଧ୍ୟବିତ୍ତ ଆଶା ବାନ୍ଧି ବସିଥିଲେ। ହେଲେ ସରକାର ଏନେଇ କୌଣସି ଘୋଷଣା କଲେ ନାହିଁ।

ନୂଆ ଟ୍ୟାକ୍ସ ରିଜିମ୍ ରୁ ମିଳିଲାନି ଆଶ୍ଵସ୍ତି

ନୂଆ ଟ୍ୟାକ୍ସ ସିଷ୍ଟମ ଆଧାରରେ ପିପିଏଫ୍, ଏନପିଏସ୍ ଏବଂ ଇଏଲଏସଏସ୍ ଭଳି ଯୋଜନାରେ ନିବେଶ ଉପରେ କର ଛାଡ଼ ନେଇ ଆଶା ଥିଲା। ହେଲେ ସରକାର ଏଥିରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ପୁରୁଣା ଟିକସ ବ୍ୟବସ୍ଥାରେ, ଆୟକର ଧାରା ୮୦C ଅନୁଯାୟୀ ଏହି ଯୋଜନାଗୁଡ଼ିକରେ ନିବେଶ ଉପରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ଦିଆଯାଇଛି।

କୃଷକଙ୍କ ପାଇଁ ହେଲାନି ଘୋଷଣା

ଏଥର ପିଏମ୍ କିଷାନ ପ୍ରୋତ୍ସାହନ ବଢାଯିବ ବୋଲି କୃଷକଙ୍କ ଆଶା ଥିଲା। ୬ ହଜାର ଟଙ୍କାରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଅନୁମାନ ଥିଲା। ହେଲେ ଏଥର ସେଭଳି କିଛି ଘୋଷଣା ହେଲା ନାହିଁ। ସେହିପରି ଫସଲ ଏମଏସପିକୁ ନେଇ ମଧ୍ୟ କିଛି ଘୋଷଣା ହେଲାନି।

ବରିଷ୍ଠ ନାଗରିକଙ୍କ ପାଇଁ କିଛି ନାହିଁ

ବରିଷ୍ଠ ନାଗରିକଙ୍କ ପାଇଁ କିଛି ବୀମା ଯୋଜନା ସପୋର୍ଟ ଏବଂ ରେଲୱେ ଟ୍ରେନ୍ ଟିକଟରେ ଦର ହ୍ରାସ ଭଳି ଘୋଷଣା ଆଶା କରାଯାଉଥିଲା। ହେଲେ ବଜେଟ୍ ରେ କେବଳ ରେଳ କରିଡର ନେଇ ଘୋଷଣା କରାଯାଇଛି। ବରିଷ୍ଠ ନାଗରିକଙ୍କ ଟିଡିଏସ୍ କାଟ ନେଇ ସରକାର କୌଣସି ଘୋଷଣା କଲେନି।

ସେୟାର ବଜାରରେ ନିବେଶକଙ୍କୁ ଝଟକା

ବଜେଟ୍ ରେ ସେୟାର ବଜାରରେ ନିବେଶକଙ୍କୁ ଝଟକା ଲାଗିଛି। F&O ଟ୍ରେଡର୍ସ ପାଇଁ ଟ୍ରାଞ୍ଜାକ୍ସନ ଚାର୍ଜ ବୃଦ୍ଧି କରାଯାଇଛି। ଏଥିରେ ହ୍ରାସ କରାଯିବ ବୋଲି ଅନୁମାନ କରାଯାଉଥିଲା। ସେହିପରି ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଏବଂ ସର୍ଟ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଏହି ଖବରଟିକୁ ପଢନ୍ତୁ- ବଜେଟ୍ ୨୦୨୬ : ଖାଲି ହେବ ନିଶାଡିଙ୍କ ପକେଟ୍, ବଜେଟରେ ମଦ,ସିଗାରେଟ୍ ଏବଂ ପାନ ମସଲା ମହଙ୍ଗା