କେନ୍ଦ୍ରାପଡ଼ା/ରାଜନଗର୦୯/୦୯: ଭିତରକନିକାର ଆଭ୍ୟନ୍ତର ଅଞ୍ଚଳକୁ ମାଛ ଓ କଙ୍କଡ଼ା ଧରିବାକୁ ଯାଇ ୫ ଦିନ ହେଲା ନିଖୋଜ ଥିବା ମା’-ପୁଅଙ୍କୁ ସୋମବାର ଉଦ୍ଧାର କରାଯାଇଛି । ରାଜନଗର ବନ ବିଭାଗର ଟିମ୍ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ସେମାନଙ୍କୁ ହାବୋଳ ରେଞ୍ଜ୍ ବ୍ଲକ୍ର ମାଙ୍କୁଆ ନାଳ ନିକଟରୁ ଠାବ କରାଯାଇଥିଲା । ଦୁହିଙ୍କୁ ଉଦ୍ଧାର କରିବା ପାଇଁ ରାଜନଗର ବନ ବିଭାଗର ୧୦ଟି ଟିମ୍ ନିୟୋଜିତ ହୋଇଥିଲେ ।
୫ ଦିନ ତଳେ ଭିତରକନିକା ଜଙ୍ଗଲ ଅଭ୍ୟନ୍ତରର ନଦୀକୁ କଙ୍କଡ଼ା ଧରିବାକୁ ଯାଇ ଦେବେନ୍ଦ୍ରନାରାୟଣପୁର(ଗର୍ତ୍ତଗଣ୍ଡିଆ) ଗ୍ରାମର ଦିଲ୍ଲୀପ ମିର୍ଦ୍ଧାଙ୍କ ସ୍ତ୍ରୀ ଅଞ୍ଜନା ମିର୍ଦ୍ଧା(୪୫) ଓ ପୁଅ ରତିନ୍ଦ୍ର ମିର୍ଦ୍ଧା(୨୨) ନିଖୋଜ ହୋଇଯାଇଥିଲେ । ସେମାନେ ଜଙ୍ଗଲ ଭିତରେ ବାଟବଣା ହୋଇ ଯାଇଥିଲେ । ୫ଦିନ କାଳ ଭୟରେ ଦିନ କାଟୁଥିଲେ । ଦିନବେଳା ରାସ୍ତା ଖୋଜୁଥିଲେ ଓ ସଞ୍ଜ ଗଡ଼ିବା ପୂର୍ବରୁ ପାଖରେ ଥିବା ଗଛ ଉପରକୁ ଚଢ଼ିଯାଇ ଆଶ୍ରୟ ନେଉଥିଲେ । ପାଖରେ ଥିବା ଖାଦ୍ୟ ସରି ଯାଇଥିବାରୁ ଚାରି ଦିନ କାଳ ନିକଟସ୍ଥ ଜଳାଶୟରୁ କେବଳ ପାଣି ପିଇ ଜୀବନ ବଞ୍ଚାଇଥିଲେ ।
ଉଭୟ ନିଖୋଜ ହୋଇଥିବା ନେଇ ବନ ବିଭାଗ ସହ ରାଜନଗର ଥାନାରେ ରବିବାର ଅଭିଯୋଗ ହୋଇଥିଲା । ଗୁପ୍ତି ରେଞ୍ଜର୍ ବିଭୂତି ଭୂଷଣ ତରାଇଙ୍କ ନେତୃତ୍ୱରେ ବନ ବିଭାଗର ୩ଟି ଦଳ ଗାଁ ଲୋକଙ୍କୁ ସାଙ୍ଗରେ ନେଇ ଖୋଜିବାକୁ ଯାଇଥିଲେ । ରାଜନଗର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦୁଇଜଣ ରେଞ୍ଜର ବିଭୂତି ଭୂଷଣ ତରାଇ ଓ ରଞ୍ଜନ ପାଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୦ଟି ଦଳ ଗଠନ କରାଯାଇଥିଲା । ଟିମ୍ ସଦସ୍ୟ ବୋଟ୍ରୁ ଓହ୍ଲାଇ ଜଙ୍ଗଲ ଭିତରେ ସେମାନଙ୍କ ନାଁ ଧରି ଡାକି ଡାକି ଚାଲିଥିଲା ବେଳେ ସେମାନେ ଉତ୍ତର ଦେଇଥିଲେ । ପରେ ବନ ବିଭାଗ ଟିମ୍ ସେମାନଙ୍କୁ ଉଦ୍ଧାର କରି ସାଙ୍ଗରେ ଆଣିଥିଲେ । ସେମାନେ ଚାରି ଦିନ ଉପାସ ରହିଥିବାରୁ ଅସୁସ୍ଥ ହୋଇପଡ଼ିଛନ୍ତି । ଠିକ୍ ଭାବରେ କଥାବାର୍ତ୍ତା ମଧ୍ୟ କରି ପାରୁନାହାନ୍ତି । ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।