ଅଯୋଧ୍ୟା : ଅଯୋଧ୍ୟାର ରାମ ମନ୍ଦିରରେ ୨୫ ନଭେମ୍ୱରରେ ଧ୍ୱଜାରୋହଣ ହେବ। ପିଏମ୍ ମୋଦି ରାମ ମନ୍ଦିରରେ ଧ୍ୱଜାରୋହଣ କରିବେ। ଏହା ପୂର୍ବରୁ ଶୁକ୍ରବାର ରାମ ମନ୍ଦିରରେ ପାଞ୍ଚ ଦିବସୀୟ ଅନୁଷ୍ଠାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଶ୍ରୀରାମ ଜନ୍ମଭୂମି ପରିସରରେ ଯଜ୍ଞ ମଣ୍ଡପରେ ତିଆରି ସଭାଗୃହରେ ସର୍ବ ପ୍ରଥମେ ପଞ୍ଚାଙ୍ଗ ପୂଜନ, ଗଣପତି ପୂଜନ ଓ ନବଗ୍ରହ ପୂଜନର ଉପରାନ୍ତ ଯଜ୍ଞମଣ୍ଡପ ପ୍ରବେଶ , ବେଦୀ ପୂଜନ ଓ ଆଚାର୍ଯ୍ୟ ବରଣର କର୍ମ କାଣ୍ଡ ସମାପନ କରାଯାଇ ଥିଲା। ଏହାପରେ ବୈଦିକ ଆଚାର୍ଯ୍ୟଙ୍କ ଦ୍ୱାରା ଚତୁର୍ବେଦ ବ୍ୟତୀତ ବିଭିନ୍ନ ଦିବ୍ୟଗ୍ରନ୍ଥ ଗୁଡ଼ିକର ପାରାୟଣ ଆରମ୍ଭ ହୋଇଥିଲା।
ମଧ୍ୟାହ୍ନରେ ଯଜ୍ଞକୁଣ୍ଡରେ ଅରଣି ମନ୍ଥନଙ୍କ ଦ୍ୱାରା ଅଗ୍ନି ପ୍ରଜ୍ୱଳିତ କରି ନୈବେଦ୍ଯ ଦେବାର କ୍ରମ ମଧ୍ୟ ଆରମ୍ଭ ହୋଇ ଯାଇଛି। ଏହି ଅନୁଷ୍ଠାନର ସବୁ କର୍ମକାଣ୍ଡ ବେଦ ମୂର୍ତ୍ତି ଆଚାର୍ଯ୍ୟ ଚନ୍ଦ୍ର ଭାନୁ ଶର୍ମା ଓ ଉପାଚାର୍ଯ୍ୟ ନାସିକ ମହାରାଷ୍ଟ୍ରର ବେଦ ମୂର୍ତ୍ତି ଆଚାର୍ଯ୍ୟ ରବିନ୍ଦ୍ର ପୈଠାଢେଙ୍କ ମାର୍ଗଦର୍ଶନରେ ବୈଦିକ ଆଚାର୍ଯ୍ୟଙ୍କ ଦ୍ୱାରା କରାଯାଇ ଥିଲା।
ସେଠାରେ ରାମଲଲ୍ଲାଙ୍କ ପୂଜନ ସହ , ରାମ ଦରବାର ଓ ଶେଷାବତାର ମନ୍ଦିର ସମେତ ଦୁର୍ଗର ସମସ୍ତ ଛଅଟି ମନ୍ଦିର , ମା ଦୁର୍ଗା ,ମା ଅନ୍ନପୂର୍ଣ୍ଣ , ଭଗବାନ ଶିବ , ଗଣପତି , ସୂର୍ଯ୍ୟଦେବ ଏବଂ ହନୁମାନ ଜୀଙ୍କ ସମ୍ମୁଖରେ ପୃଥକ ପୂଜା ମଧ୍ୟ କରାଯାଇ ଥିଲା। ଏହି ରୀତିର ଉପାଧ୍ୟକ୍ଷ, ମହାରାଷ୍ଟ୍ରର ନାସିକର ବେଦ ମୂର୍ତ୍ତି ଆଚାର୍ଯ୍ୟ ରବିନ୍ଦ୍ର ପୈଠାଢେ କହିଛନ୍ତି ଯେ, ଧ୍ୱଜାରୋହଣ ଅର୍ଥ ମନ୍ଦିରର ସମାପ୍ତି। ବୈଦିକ ସ୍ତୁତି ସହ ଧ୍ୱଜ ପୂଜା କରାଯିବ ଏବଂ ବିଭିନ୍ନ ଔଷଧରେ ସ୍ନାନ କରାଯିବ। ଏହାପରେ ଯଜମାନଙ୍କୁ ଆରୋହଣ ପାଇଁ ଧ୍ୱଜ ପ୍ରଦାନ କରାଯିବ।