ନୂଆଦିଲ୍ଲୀ, ୮।୧୧: ମାଲିରେ ୫ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଛି । ମାଲିର ଏକ ସୁରକ୍ଷା ସଂସ୍ଥା ଏବଂ ଅପହୃତ ବ୍ୟକ୍ତି କମ୍ପାନୀର ପ୍ରତିନିଧିମାନେ ଫରାସୀ ସମାଚାର ଏଜେନ୍ସି ଏଏଫପିକୁ ଏହି ସୂଚନା ଦେଇଛନ୍ତି । ଏଏଫପି ରିପୋର୍ଟ ଅନୁଯାୟୀ, ଏହି ସମସ୍ତ ଭାରତୀୟ କୌବି ଅଞ୍ଚଳରେ କାମ କରୁଥିଲେ । ସମସ୍ତେ ଏକ ବିଦ୍ୟୁତ୍ ପ୍ରକଳ୍ପରେ କାମ କରୁଥିଲେ । କମ୍ପାନୀର ଜଣେ ମୁଖପାତ୍ର ୫ ଜଣ ଭାରତୀୟ ଇଞ୍ଜିନିୟରଙ୍କ ଅପହରଣର ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ, ଅବଶିଷ୍ଟ ଭାରତୀୟ କର୍ମଚାରୀଙ୍କୁ ତୁରନ୍ତ ରାଜଧାନୀ ବାମାକୋକୁ ସ୍ଥାନାନ୍ତର କରାଯାଇଛି । ଯଦିଓ ଅପହରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟିତ୍ୱ ନେଇନାହିଁ, ତଥାପି ଏ ଅପହରଣ  ପଛରେ ଅଲ୍-କାଏଦା ସହିତ ଜଡ଼ିତ ଆତଙ୍କବାଦୀମାନେ ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ମାଲିରେ ବର୍ତ୍ତମାନ ଏକ ସାମରିକ ଜୁଣ୍ଟା ଶାସନ ଚାଲିଛି, ଯାହା ଗତ କିଛି ବର୍ଷ ଧରି ଅନେକ ବିଦ୍ରୋହ ପରେ କ୍ଷମତା ନିୟନ୍ତ୍ରଣ କରିଛି ।

କହିରଖୁଛୁ ଯେ, ଅଲ-କାଏଦା ଏବଂ ଇସଲାମିକ୍ ଷ୍ଟେଟ୍ ସହ ଜଡ଼ିତ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଦୀର୍ଘ ଦିନ ଧରି ମାଲିରେ ଆକ୍ରମଣ କରିଆସୁଛନ୍ତି । ସମଗ୍ର ଦେଶ ହିଂସାରେ ଜଡ଼ିତ । ଏହି ଆତଙ୍କବାଦୀ ସଂଗଠନଗୁଡ଼ିକର କାର୍ଯ୍ୟକଳାପ ଏବେ ଧିରେ ଧିରେ ଦେଶର ପଶ୍ଚିମ ଏବଂ ଦକ୍ଷିଣ ଭାଗକୁ ବ୍ୟାପିଛି । ବିଶେଷକରି ଅଲ୍-କାଏଦା ସହିତ ଜଡିତ ଗ୍ରୁପ୍ ଫର୍ ଦି ସପୋର୍ଟ ଅଫ୍ ଇସଲାମ ଆଣ୍ଡ ମୁସଲିମ୍ସ ଗତ କିଛି ମାସ ମଧ୍ୟରେ ମାଲିର ଅନେକ ସ୍ଥାନରେ ଇନ୍ଧନ ଅବରୋଧ କରିଛି । ଟଙ୍କା ଆଦାୟ କରିବା ପାଇଁ ଲୋକଙ୍କୁ ବିଶେଷକରି ବିଦେଶୀମାନଙ୍କୁ ଅପହରଣ କରିବା ଆରମ୍ଭ କରିଛି ।  

ସୁରକ୍ଷା ସୂତ୍ରଗୁଡ଼ିକ କହିଛନ୍ତି ଯେ, ଏହି ଅଞ୍ଚଳରେ ବିଦେଶୀ ନାଗରିକଙ୍କ ଅପହରଣ ନୂଆ ନୁହେଁ । ୨୦୧୨ ମସିହାରୁ ମାଲି ନିରନ୍ତର ଅସ୍ଥିରତା ଏବଂ ଆତଙ୍କବାଦ ଦ୍ୱାରା କବଳିତ ହୋଇଛି । ଜିହାଦୀ ଗୋଷ୍ଠୀଗୁଡ଼ିକ ପ୍ରାୟତଃ ରାଜନୈତିକ ଚାପ ପାଇଁ ବିଦେଶୀ ଇଞ୍ଜିନିୟର ଏବଂ କର୍ମଚାରୀଙ୍କୁ ଟାର୍ଗେଟ୍ କରୁଛନ୍ତି । ସେପ୍ଟେମ୍ବରରେ, ଜେଏନ୍‌ଆଇଏମ୍ ଆତଙ୍କବାଦୀମାନେ ୨ ଜଣ ଏମିରେଟ୍ସ ନାଗରିକ ଏବଂ ଜଣେ ଇରାନୀ ଇଞ୍ଜିନିୟରଙ୍କୁ ଅପହରଣ କରିଥିଲେ । ଅତି କମରେ ୫୦ ମିଲିୟନ ଡଲାର ଦେବା ପରେ ସେମାନଙ୍କୁ ଗତ ସପ୍ତାହରେ ମୁକ୍ତ କରାଯାଇଥିଲା । ଏହି ଘଟଣାଗୁଡ଼ିକ ମାଲିରେ କାର୍ଯ୍ୟ କରୁଥିବା ବିଦେଶୀ କମ୍ପାନୀଗୁଡ଼ିକ ମଧ୍ୟରେ ସେମାନଙ୍କ କର୍ମଚାରୀଙ୍କ ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଛି ।