ନୂଆଦିଲ୍ଲୀ,୦୮/୦୪: ଆକାଶରେ ସଂକଟ । ଆହ୍ୱାନ ଦେଇ ଗତି କରୁଛି ଦେଶର ବିମାନ ଶିଳ୍ପ । ଦୁଇ ବଡ଼ ବିମାନ କମ୍ପାନିଙ୍କ ସିଇଓ ଦେଇଛନ୍ତି ଇସ୍ତଫା । ଇଣ୍ଡିଗୋ ପରେ ଏବେ ଏୟାର୍ ଇଣ୍ଡିଆ ସିଇଓଙ୍କ ଏକ୍ଜିଟ୍ ସମଗ୍ର ବିମାନ ଶିଳ୍ପରେ ଆଶଙ୍କାର ମାହୋଲ ସୃଷ୍ଟି କରିଛି । ଇସ୍ତଫା ଦେଇଛନ୍ତି ଟାଟା ଗ୍ରୁପ୍ ଅଧିକୃତ ଏୟାର୍ ଇଣ୍ଡିଆ ସିଇଓ କ୍ୟାମ୍ପବେଲ ୱିଲ୍ସନ । ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା ପରେ ଏୟାର୍ ଇଣ୍ଡିଆ ପରିଚାଳନାଗତ, ଆଇନଗତ ଏବଂ ବିତ୍ତୀୟ ଆହ୍ୱାନର ସାମ୍ନା କରିବାର ବର୍ଷକ ପରେ କ୍ୟାମ୍ପବେଲ ୱିଲସନ୍ କମ୍ପାନିରୁ ବିଦାୟ ନେଇଛନ୍ତି ।
ତେବେ କ୍ୟାମ୍ପବେଲ୍ର ଇସ୍ତଫାନାମା ଏଭଳି ସମୟରେ ଆସିଛି, ଯେତେବେଳେ ଦେଶର ସର୍ବବୃହତ୍ ବିମାନ କମ୍ପାନି ଇଣ୍ଡିଗୋ ସିଇଓ ପିଟର ଏଲ୍ବର୍ସ ମଧ୍ୟ କମ୍ପାନିରୁ ବାହାରି ଯାଇଛନ୍ତି । ନିକଟରେ ବହୁ ସଂଖ୍ୟାରେ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଦେଶର ବିଭିନ୍ନ ବିମାନ ବନ୍ଦରରେ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ଏହା ପରେ ଏଲ୍ବର୍ସଙ୍କୁ ତଲବ କରାଯାଇଥିଲା । କିଛି ସପ୍ତାହ ତଳେ ସେ କମ୍ପାନିରୁ ଇସ୍ତଫା ନେଇଥିଲେ । ପୂର୍ବରୁ ହିଁ କମ୍ପାନିଗୁଡ଼ିକ ଅନେକ ପରିଚାଳନାଗତ ସମସ୍ୟାର ସାମ୍ନା କରୁଛନ୍ତି । ଚାପ ମଧ୍ୟରେ ବର୍ତ୍ତମାନ ବଡ଼ ମୁଣ୍ଡିଆଙ୍କ ପ୍ରସ୍ଥାନ ଶିଳ୍ପ ପାଇଁ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି । ଅନ୍ୟପକ୍ଷରେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ କମ୍ପାନିଗୁଡ଼ିକର ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ଏକତ୍ର ଭାବେ ଏୟାର୍ ଇଣ୍ଡିଆ ଏବଂ ଇଣ୍ଡିଗୋ ଭାରତର ବିମାନ ବଜାରରେ ପତିଆରା ରଖିଛନ୍ତି । କିନ୍ତୁ ଗତବର୍ଷ ଉଭୟ କମ୍ପାନିଙ୍କୁ ସବୁଠାରୁ ଖରାପ ସମୟ ଦେଇ ଗତି କରିବାକୁ ପଡ଼ିଛି ।
ଏୟାର୍ ଇଣ୍ଡିଆ ପାଇଁ ଦୁର୍ଦ୍ଦିନ ଆରମ୍ଭ ହୋଇଥିଲା ଯେତେବେଳେ ୨୦୨୫ ଜୁନ୍ରେ ଅହମ୍ମଦାବାଦରେ ଏକ ବୋଇଙ୍ଗ୍ ୭୮୭ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୨୬୦ ଜଣଙ୍କ ମୃତ୍ୟୁ ଘଟିଲା । ଏହା ପରେ କମ୍ପାନିର ଗତିବିଧି ଉପରେ ବିମାନ ନିୟାମକର ଯାଞ୍ଚକୁ କଡ଼ାକଡ଼ି କରାଗଲା । ଏହାର ପରବର୍ତ୍ତୀ ମାସଗୁଡ଼ିକରେ ଯାଞ୍ଚ ପରିସର ଦୁର୍ଘଟଣାରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲା । ସୁରକ୍ଷା କ୍ଷେତ୍ରରେ ବିମାନ କମ୍ପାନିର ଅନେକ ତ୍ରୁଟି ଉପରେ ପ୍ରଶ୍ନ ଉଠାଇଥିଲେ ବିମାନ ନିୟାମକ । ପରେ ଏୟାର୍ ଇଣ୍ଡିଆ ଅନୁପାଳନ ଏବଂ ଆଭ୍ୟନ୍ତରୀଣ ପ୍ରକ୍ରିୟାରେ ସୁଧାର ଆଣିବାର ଆବଶ୍ୟକତାକୁ ସ୍ୱୀକାର କରିଥିଲା । ସମାନ ସମୟରେ ବାହ୍ୟ କାରଣଗୁଡ଼ିକ ଯୋଗୁ ଏୟାର୍ ଇଣ୍ଡିଆର ପୁନଃରୁଦ୍ଧାର ଚାପ ମଧ୍ୟକୁ ଆସିଥିଲା । ଭାରତୀୟ ବିମାନ କମ୍ପାନିଗୁଡ଼ିକ ପାଇଁ ପାକିସ୍ତାନ ଏହାର ଏୟାର୍ସ୍ପେସ ବନ୍ଦ କରିବା ଫଳରେ ଅନ୍ତର୍ଜାତୀୟ ରୁଟ୍ଗୁଡ଼ିକ ପାଇଁ ଲମ୍ବା ସମୟ ଲାଗିଲା । ଫଳରେ କମ୍ପାନିଗୁଡ଼ିକର ଇନ୍ଧନ ଖର୍ଚ୍ଚ ଏବଂ ପରିଚାଳନାଗତ ଖର୍ଚ୍ଚ ବଢ଼ିଲା । ଏହା ଏୟାର୍ ଇଣ୍ଡିଆ ସମେତ ଅନ୍ୟାନ୍ୟ ଏୟାର୍ଲାଇନ୍ସଗୁଡ଼ିକ ପାଇଁ ନୂଆ ସମସ୍ୟା ଉପୁଯାଇଥିଲା । ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଶିଳ୍ପ ପାଇଁ ନୂଆ ସମସ୍ୟା ଛିଡ଼ାକରିଛି । ଏଟିଏଫ୍ ଦର ବଢ଼ିବା ଫଳରେ ଖର୍ଚ୍ଚ ବହୁ ମାତ୍ରାରେ ବଢ଼ିଯାଇଛି ।
ଆହୁରି ପଢନ୍ତୁ-କାର୍ ଭିତରେ ହେବ ଅଫିସ୍ ମିଟିଂ ! କାର୍-ପ୍ଲେ ୟୁଜରଙ୍କ ପାଇଁ ଗୁଗୁଲ ମିଟ୍ ସର୍ଭିସ୍ ଆରମ୍ଭ
ମାର୍ଚ୍ଚରେ ଏକ ବୟାନରେ ୱିଲ୍ସନ କହିଥିଲେ ଯେ, ଯୁଦ୍ଧ ଯୋଗୁ ୩ ସପ୍ତାହ ମଧ୍ୟରେ ଏୟାର୍ ଇଣ୍ଡିଆର ୨୫୦୦ରୁ ଊଦ୍ଧ୍ୱର୍ ବିମାନ ବାତିଲ ହୋଇଛି ଏବଂ ମଧ୍ୟପ୍ରାଚ୍ୟକୁ ସ୍ୱାଭାବିକ ଦିନରେ ଯେତିକି ବିମାନ ଯାଇଥାଏ ତାହା ୩୦% ହ୍ରାସ ପାଇଛି । ଏହା କମ୍ପାନିର ବିତ୍ତୀୟ ସ୍ଥିତିକୁ ପ୍ରଭାବିତ କରିବ ବୋଲି ସେତେବେଳେ ୱିଲ୍ସନ କହିଥିଲେ । ଏୟାର୍ ଇଣ୍ଡିଆ ନିରାପତ୍ତା ଯାଞ୍ଚର ସାମ୍ନା କରୁଥିବା ସମୟରେ ଇଣ୍ଡିଗୋ ଗତବର୍ଷ ଶେଷ ଭାଗରେ ବଡ଼ ସମସ୍ୟା ମଧ୍ୟକୁ ଆସିଥିଲା । ଡିସେମ୍ବର ୨୦୨୫ର ପ୍ରଥମ ସପ୍ତାହଗୁଡ଼ିକରେ ଏହାର ପାଖାପାଖି ୪୫୦୦ ବିମାନ ବାତିଲ ହୋଇଥିଲା । ପରେ କମ୍ପାନି କହିଥିଲା ଯେ, କ୍ର୍ୟୁ ରୋଷ୍ଟରକୁ ଅପ୍ଡେଟ୍ କରିବାରେ ବିଫଳତା ଯୋଗୁ ଇଣ୍ଡିଗୋକୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଲା । ଏହି ଅବ୍ୟବସ୍ଥା ଯୋଗୁ କମ୍ପାନିକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି । ସିଇଓ ପଦରୁ ଏଲବର୍ସ ଇସ୍ତଫା ଦେଲେ । ଏହି ଦୁଇ କମ୍ପାନିରେ ଦେଖାଦେଇଥିବା ଚାପ ଶିଳ୍ପରେ ରହିଥିବା ସମସ୍ୟାଗୁଡ଼ିକୁ ଦର୍ଶାଉଛି । ବର୍ଦ୍ଧିତ ପରିଚାଳନାଗତ ଖର୍ଚ୍ଚ, ବିଭିନ୍ନ ନିୟମରେ ପରିବର୍ତ୍ତନ ଏବଂ ଭୁରାଜନୈତିକ ଅସ୍ଥିରତା ଯୋଗୁ ଏବେ ଦେଶର ବିମାନ ଶିଳ୍ପ ବଡ଼ ଆହ୍ୱାନର ସାମ୍ନା କରୁଛି ।