ଜଗତସିଂହପୁର, ୮/୯ : ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ଯୋଗୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ କୋଟକଣା ଆଦିବାସୀ ସାହି ବାହ୍ୟଜଗତରୁ ବିଛିନ୍ନ। ଗାଁକୁ ସଂଯୋଗ ହୋଇଥିବା ରାସ୍ତା ଉପର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ୨୦ରୁ ଉର୍ଦ୍ଧ୍ଵ ପରିବାର ଜଳବନ୍ଦୀ ହୋଇପଡିଛନ୍ତି। ଏମାନଙ୍କୁ ସ୍ଥାନନ୍ତର ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ବିପନ୍ନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  

ସେହିପରି ତିର୍ତ୍ତୋଲ ଆଦିବାସୀ ସାହି ଓ ମଣିଜଙ୍ଗା ଗୋପାଳ ସାହିରେ ସୋମବାର ରାତିରୁ ବନ୍ୟା ପାଣି ପଶିବା ଆରମ୍ଭ କରିଛି। ଫଳରେ ଏହି ଗାଁର ୫୦ରୁ ଉର୍ଦ୍ଧ୍ଵ ପରିବାର ଘର ଛାଡ଼ି ଆସି ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି । ଏଥି ସହିତ ବ୍ୟାପକ ଚାଷ ଜମି କ୍ଷତିଗ୍ରସ୍ତ ହେବା ସହ ଦୁଇ ହଜାରରୁ ଉର୍ଦ୍ଧ୍ଵ ଗୋରୁଗାଈ ମଧ୍ୟ ପାଣି ଘେରରେ ରହିଛନ୍ତି । ତୁରନ୍ତ ବନ୍ୟା ବିପନ୍ନଙ୍କୁ ପ୍ରଶାସନିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।