ବାଲେଶ୍ୱର, ୦୫/୦୮ : ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା। କ୍ରାଇମବ୍ରାଞ୍ଚ ହାତରେ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କ ଭିଡିଓ। ବଢିପାରେ ଗିରଫଦାରି ସଂଖ୍ୟା। କେତେବେଳେ ଯେ କାହାର ପାଳି ପଡ଼ିବ ତାହା କହିବା ମୁସ୍କିଲ୍। ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କ ଛାତି ଧଡଧଡ୍। ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୂର୍ବରୁ ଜ୍ୟୋତିପ୍ରକାଶ ଗଣମାଧ୍ୟମକୁ ମିଛ କଥା କହିଥିଲେ, ଭ୍ରମିତ କରିଥିଲେ। ବାସ୍ତବ ଚିତ୍ର କିଛି ଭିନ୍ନ ଥିଲା । ଘଟଣା ଘଟିବା ପୂର୍ବରୁ ପୀଡ଼ିତାଙ୍କୁ ୨ଜଣ ଛାତ୍ର ନେତା ପେଟ୍ରୋଲ ଆଣିବାକୁ ବାଧ୍ୟ କରିଥିଲେ । ଏମିତିକି ନିଜ ଦେହରେ ପେଟ୍ରୋଲ ଢାଳି ପୋଡ଼ିବାର ଅଭିନୟ ନ କଲେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରୁ ଦୂରେଇ ନେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଜ୍ୟୋତିପ୍ରକାଶ ଏବଂ ଶୁଭ୍ରସମ୍ବିତ ନାୟକଙ୍କୁ ଗିରଫ କରି ଏବେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ। ଜ୍ୟୋତିପ୍ରକାଶଙ୍କ ମୋବାଇଲ୍ ଫୋନ୍ ନିଜ ଅକ୍ତିଆରକୁ ନେବା ପରେ ଏହି ଘଟଣା ବାବଦରେ ଅନେକ ଭିଡିଓ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଏହି ଭିଡିଓ ଅନେକ ଗୁମର ଖୋଲିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
ଆତ୍ମାହୁତି ପୂର୍ବରୁ କାହା ସହ କଥା ହୋଇଥିଲେ ପୀଡ଼ିତା ?
ଏଭଳି ସମୟରେ ଆଉ ଏକ ଘଟଣା ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଆତ୍ମାହୁତି ପୂର୍ବରୁ ପୀଡ଼ିତା କିଛି ଲୋକଙ୍କୁ କଲ୍ କରିଥିବା ଜଣାପଡ଼ିଛି । ସେହି ଲୋକମାନେ କିଏ ଥିଲେ, ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି। ସେମାନେ ମଧ୍ୟ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ଅଛନ୍ତି । ଏହି ବ୍ୟକ୍ତିଙ୍କ ମଧ୍ୟରୁ କଲେଜର ଅଧ୍ୟାପକ ବି ଅଛନ୍ତି । ଏହି ଅଧ୍ୟାପକ ପୀଡ଼ିତାଙ୍କୁ କି ପରାମର୍ଶ ଦେଇଥିଲେ? କିମ୍ବା ଏହି ଅଧ୍ୟାପକ କାହାଠାରୁ ପରାମର୍ଶ ନେଇ ପୀଡ଼ିତାଙ୍କ ସହ ଆଲୋଚନା କରିଥିଲେ, ତାହାକୁ ନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ।
ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନ ଆବେଦନ ଖାରଜ
ଏହାରି ଭିତରେ ମଙ୍ଗଳବାର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଦିଲ୍ଲୀପଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଛି ବୋଲି ଦର୍ଶାଇ ତାଙ୍କର ବ୍ୟକ୍ତିଗତ ଆଇନଜୀବୀ ଗୁରୁପ୍ରସାଦ ବେହେରା ଜାମିନ ଆବେଦନ କରିଥିଲେ । ଦିଲ୍ଲୀପଙ୍କୁ କେଉଁ କାରଣରୁ ଗିରଫ କରାଯାଇଥିଲା ତାହା ଲିଖିତ ଭାବେ ଜଣାଇବା କଥା । ମାତ୍ର ତାହା ଜଣାଯାଇ ନ ଥିଲା ବୋଲି ଆଇନଜୀବୀ ଯୁକ୍ତି ବାଢ଼ିଥିଲେ । ମାତ୍ର ତାଙ୍କୁ ଏ ବାବଦରେ ଜଣାଇଥିବା ମାନ୍ୟବର ଏସ୍ଡିଜେଏମ କୋର୍ଟ କହିବା ସହ ଜାମିନ ଆବେଦନ ଖାରଜ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଆଗାମୀ ଦିନରେ ଉପର କୋର୍ଟରେ ଆବେଦନ କରାଯିବ ବୋଲି ଆଇନଜୀବୀ କହିଛନ୍ତି । ସେହିଭଳି ବୁଧବାର ଉଭୟ ଅଧ୍ୟକ୍ଷ ଓ ଏଚ୍ଓଡିଙ୍କୁ ଭିଡିଓ କନଫେରେନ୍ସିଂରେ ଅଦାଲତରେ ହାଜର କରାଯିବା ନେଇ ସୂଚନା ମିଳିଛି । ଏଭଳି ସମୟରେ ଏକ ବଡ଼ ଖବର ମଧ୍ୟ ଶୁଣିବାକୁ ମିଳୁଛି । ଏହି ଘଟଣାର ତଦନ୍ତ ଅଧିକାରୀ ବା ଆଇଓ ଥିବା ଇମୋନ କଲ୍ୟାଣ ନାୟକ ବଦଳିବା ନେଇ ସମ୍ଭାବନା ଉପୁଜିଛି। ଏନେଇ ଖୁବ୍ଶୀଘ୍ର ସୂଚନା ମିଳିବା ନେଇ ଆଶା କରାଯାଉଛି । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସେମିତି କିଛି ସୂଚନା ମିଳିନି । ହଠାତ କାହିଁକି ତାଙ୍କର ବଦଳି ହେବ ତାହା ମଧ୍ୟ ସ୍ପଷ୍ଟ କରାଯାଇନି।