ୱାଶିଂଟନ,୧୦/୦୧ : ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର ଲସ୍‌ ଏଞ୍ଜେଲ୍‌ସରେ ଥିବା ଜଙ୍ଗଲଗୁଡ଼ିକରେ ଭୟଙ୍କର ନିଆଁ ଲାଗିଛି । ଗତ ୭ ତାରିଖରୁ ଲାଗିଥିବା ଏହି ନିଆଁ ୩ ଦିନରେ ୨୮ ହଜାର ଏକରକୁ ମାଡ଼ିଗଲାଣି । ଏହାର ରୂପ କ୍ରମେ ଅଧିକ ଭୟାନକ ହେବାରେ ଲାଗିଛି । ଏମିତି କି ଆମେରିକାର ପ୍ରସିଦ୍ଧ ହଲିଉଡ୍‌ ହିଲ୍‌କୁ ଏହା ଗ୍ରାସିବା ଆରମ୍ଭ କରିଛି । ଏହା ସମ୍ପୂର୍ଣ୍ଣ ଜଳିଯିବା ଆଶଙ୍କା ରହିଛି । ସେଲିବ୍ରିଟିଙ୍କ ଗୋଟିଏ ପରେ ଗୋଟିଏ ବଙ୍ଗଳା ପୋଡ଼ିବାରେ ଲାଗିଛି । ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କ ଘର ବି ଖାଲି କରିବାକୁ ପଡ଼ିଛି । 

ଏହି ନିଆଁରେ ଏ ପର୍ଯ୍ୟନ୍ତ ୧୦ ଜଣ ପ୍ରାଣ ହରାଇଲେଣି । ପ୍ରାୟ ୫୦ ହଜାର ଲୋକଙ୍କୁ ତୁରନ୍ତ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ କୁହାଯାଇଛି । ନିଆଁ ଲାଗିଥିବା ଅଞ୍ଚଳରେ ଘଣ୍ଟା ପିଛା ପ୍ରାୟ ୧୬୦ କିଲୋମିଟର ବେଗରେ ପବନ ବହୁଥିବାରୁ ନିଆଁକୁ ଆୟତ୍ତ କରିବା ଅସମ୍ଭବ ହୋଇପଡ଼ିଛି । ପବନର ବେଗ ଅଧିକ ଥିବାରୁ ନିଆଁ ‘ଫାୟାରନାଡୋ (ଫାୟାର୍ମଟରନାଡୋ)’ରେ ପରିଣତ ହୋଇଛି । ଏ ପର୍ଯ୍ୟନ୍ତ ପ୍ରାୟ ୨ ହଜାର ଘର ପୋଡ଼ି ପାଉଁଶ ହୋଇଗଲାଣି । ଲସ୍‌ ଏଞ୍ଜେଲ୍‌ସର ପ୍ୟାସିଫିକ ପ୍ୟାଲିସେଡ୍‌ସ ଅଞ୍ଚଳରେ ଅନେକ ଘର ଆଖିପିଛୁଳାକେ ପୋଡ଼ି ପାଉଁଶ ହୋଇଯାଉଛି । ଜଙ୍ଗଲରେ ଲାଗିଥିବା ନିଆଁ ଜନବସତି ଆଡ଼କୁ ଦ୍ରୁତ ଗତିରେ ଦୌଡୁଛି । ଲୋକମାନେ ପ୍ରାଣ ବିକଳରେ ଘରଦ୍ୱାର ଛାଡ଼ି ପଳାଉଛନ୍ତି । ଗୃହପାଳିତ ପ୍ରାଣୀ ଓ ଜଙ୍ଗଲୀ ଜୀବଜନ୍ତୁ ମଧ୍ୟ ଏଣେତେଣେ ବୁଲି ଜୀବନ ବଞ୍ଚାଇବାକୁ ରାହା ଖୋଜୁଥିବା ଦେଖିବାକୁ ମିଳିଛି । 

ନିଆଁ ଯୋଗୁ ପ୍ରବଳ ଧୂଆଁ ସୃଷ୍ଟି ହୋଇଛି । ମହାକାଶରେ ବି ଏହି ଧୂଆଁ ଦୃଶ୍ୟମାନ ହୋଇଛି । ଶକ୍ତିଶାଳୀ ‘ଆଣ୍ଟା ଆନା’ ବାୟୁ ହିଁ ନିଆଁର ବେଗକୁ ଅତ୍ୟଧିକ ମାତ୍ରାରେ ବଢ଼ାଇ ଦେଇଛି । କାଲିଫର୍ଣ୍ଣିଆ ଗଭର୍ନର ଗେଭିନ୍‌ ନ୍ୟୁସମ୍‌ ବୁଧବାର ସମଗ୍ର ଲସ୍‌ ଏଞ୍ଜେଲ୍‌ସରେ ଜରୁରି ପରିସ୍ଥିତି ଘୋଷଣା କରିଥିଲେ । ଗଭର୍ନର ନ୍ୟୁସମ୍‌ଙ୍କ ମୁତାବକ, ନିଆଁ ଲିଭାଇବା ପାଇଁ ୧୪୦୦ରୁ ଅଧିକ ନିଆଁଲିଭାଳି ମୁତୟନ ହୋଇଛନ୍ତି । ଓରେଗନ୍‌ରୁ ଅତିରିକ୍ତ ଅଗ୍ନିଶମ ବାହିନୀ କର୍ମଚାରୀ ଆସୁଛନ୍ତି । ୬୦ଟି ଇଞ୍ଜିନ୍‌ ଧରି ସେମାନେ ପହଞ୍ଚିବା ଆରମ୍ଭ କରିଛନ୍ତି । ଏହି ଜଙ୍ଗଲ ନିଆଁ ଯୋଗୁ ଏ ପର୍ଯ୍ୟନ୍ତ ୫୨ରୁ ୫୭ ବିଲିୟନ ଡଲାରର ଆର୍ଥିକ କ୍ଷତି ହେଲାଣି । ଏକାକୀ ପାଲିସେଡ୍‌ସରେ ଲାଗିଥିବା ନିଆଁ ୧୫ ହଜାର ୮୦୦ ଏକରକୁ ବ୍ୟାପିଲାଣି । ଆମେରିକାର ବିଶିଷ୍ଟ ଅରବପତି ଏଲନ୍‌ ମସ୍କ ‘ଏକ୍ସ’ରେ ଜଙ୍ଗଲ ନିଆଁର କିଛି ଭିଡିଓ ସେୟାର କରିଛନ୍ତି । ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍‌ ଏହି ନିଆଁ ପାଇଁ କାଲିଫର୍ଣ୍ଣିଆ ଗଭର୍ଣ୍ଣର ନ୍ୟୁସମ୍‌ଙ୍କୁ ଦାୟୀ କରିଛନ୍ତି । 

ପ୍ରଦେଶର କୃଷିପ୍ରଧାନ ସେଣ୍ଟ୍ରାଲ ଭ୍ୟାଲିକୁ ଅଧିକ ଜଳ ପଠାଇବା ସଂକ୍ରାନ୍ତ ଏକ ଯୋଜନାକୁ ନ୍ୟୁସମ୍‌ ପ୍ରତ୍ୟାଖ୍ୟାନ କରିଦେବାରୁ ଏଭଳି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ଅଗ୍ନି ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ଇଟାଲୀ ଗସ୍ତ ବାତିଲ କରିଛନ୍ତି । ଲସ୍‌ ଏଞ୍ଜେଲ୍‌ସରେ ରହୁଥିବା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଜଙ୍ଗଲ ନିଆଁର ଭିଡିଓ ସେୟାର କରିଛନ୍ତି । ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହୀଙ୍କୁ ବି ଘର ଖାଲି କରିବା ପାଇଁ କୁହାଯିବା ପରେ ସେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ସୋସିଆଲ ମିଡିଆରେ ସେ ଏହି ଜଙ୍ଗଲ ନିଆଁକୁ ଭୟାନକ ଦର୍ଶାଇଛନ୍ତି । ସେ ନିଆଁର ଏଭଳି ରୂପ ପୂର୍ବରୁ ଦେଖି ନ ଥିବା କହିଛନ୍ତି ।