ବାଲିଗୁଡ଼ା, ୧୯।୦୯: ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର । ରାୟଗଡ଼ା ଜିଲ୍ଲା କାଶୀପୁରର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଠିକଣାରେ ଭିଜିଲାନ୍ସ ​​​​​​ଟିମ୍‌ର ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ରେଡ୍ ବେଳେ ଅନ୍ତର୍ଯ୍ୟାମୀ ସାହୁଙ୍କ ନାଁରେ ୫ଟି କୋଠା ଏବଂ ୯ଟି ପ୍ଲଟ୍ ଠାବ ହୋଇଛି । ଜୟପୁର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ୧୩ ଜଣିଆ ଟିମ୍ ରେଡ୍‌ରେ ସାମିଲ ଥିଲେ ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଏକକାଳୀନ ୯ଟି ଠିକଣାରେ ଭିଜିଲାନ୍ସ ଟିମ୍ ରେଡ୍ ମାରିଛି। ଚଢ଼ାଉ ବେଳେ ବର୍ତ୍ତମାନ ସୁଦ୍ଧା ୫ଟି କୋଠା ସମେତ ୯ଟି ପ୍ଲଟ୍ ଠାବ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ୨୨୫୦ ସ୍କୋୟାର ଫୁଟ୍‌ ଏବଂ ହଜାରେ ସ୍କୋୟାର ଫୁଟର ଦୁଇଠି କୋଠା ରହିଛି । ସେହିପରି ଦାରିଙ୍ଗିବାଡ଼ିର ଶ୍ରାନିକେତଠାରେ ୧୬୦୦ ସ୍କୋୟାର ଫୁଟ୍‌ର ବିଲ୍ଡିଂ , ବ୍ରହ୍ମପୁରର ଟେକନୋ ପାର୍କରେ ୧୬୫୦ ସ୍କୋୟାର ଫୁଟ୍‌ର କୋଠା ଥିବା ଜଣାପଡ଼ିଛି । ​​​​​​​

 ଚଢ଼ାଉ ବେଳେ ବାଲିଗୁଡ଼ା ଟାଉନରେ ମୋଟ୍ ୬ଟି ପ୍ଲଟ୍, ଯୋଗିଆପଲିରେ ଗୋଟିଏ, ବ୍ରହ୍ମପୁରରେ ୨ଟି ଅନ୍ତର୍ଯ୍ୟାମୀ ସାହୁଙ୍କର ଥିବା ଜଣାପଡ଼ିଛି । କନ୍ଧମାଳ ଟାଉନ ବାଲିଗୁଡ଼ା, ସିମନବାଡ଼ି, ଦାଣ୍ଡିମା, ଦଳିବନ୍ଧ, ଗଞ୍ଜାମ କୋଡ଼ସିଂହରେ ଗୋଟିଏ ଓ ଅନ୍ୟ ଗୋଟିଏ ବ୍ରହ୍ମପୁରର ଯୋଗିଆପଲିରେ ରହିଛି । ଭିଜିଲାନ୍ସ ବର୍ତ୍ତମାନ ଠାବ ହୋଇଥିବା ସମସ୍ତ କୋଠା ଓ ପ୍ଲଟ୍‌ଗୁଡ଼ିକୁ ମାପିଚୁପ କରିବା ସହ ଏଗୁଡ଼ିକର ମୂଲ୍ୟ ନିରୂପଣ ପାଇଁ ନେଇ ଯାଞ୍ଚ ଚଳାଇଛି । ଏଥିସହ ବ୍ୟାଙ୍କ, ଡାକ ଏବଂ ବୀମା ଜମା ଉପରେ ମଧ୍ୟ ତନାଘନା ଜାରି ରହିଛି । ତାଙ୍କ ସ୍ତ୍ରୀଙ୍କ ନାଁରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବାଲିଗୁଡ଼ା ଶାଖାରେ ଥିବା ଲକ୍କର ଏ ପର୍ଯ୍ୟନ୍ତ ଯାଞ୍ଚ କରାଯାଇନାହିଁ ।