ଶ୍ରୀନଗର: ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲାଙ୍କୁ ଶନିବାର (ଅକ୍ଟୋବର ୪) ଶ୍ରୀନଗରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ୮୭ ବର୍ଷୀୟ ଫାରୁକ ଅବଦୁଲ୍ଲା ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ପେଟରେ ସଂକ୍ରମଣ ହୋଇଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି ବୋଲି ଦଳୀୟ ନେତାମାନେ କହିଛନ୍ତି । ଦଳର ଜଣେ ନେତା କହିଛନ୍ତି, ‘ସେ (ଅବଦୁଲ୍ଲା) ଗତ କିଛି ଦିନ ଧରି ଅସୁନ୍ଥ ଅନୁଭବ କରୁଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି ଏବଂ ତାଙ୍କୁ ଆଜି କିମ୍ବା କାଲି ଡିସଚାର୍ଜ କରାଯିବାର ସମ୍ଭାବନା ଅଛି।’
ଫାରୁକ ଅବଦୁଲ୍ଲାଙ୍କ ଜନ୍ମ ୨୧ ଅକ୍ଟୋବର ୧୯୩୭ରେ ଶ୍ରୀନଗରରେ ହୋଇଥିଲା । ସେ ଜମ୍ମୁକାଶ୍ମୀରର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଅନ୍ୟତମ । ୮୭ ବର୍ଷ ବୟସରେ ମଧ୍ୟ ସେ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ଅଛନ୍ତି ଏବଂ ବିଭିନ୍ନ ପ୍ରସଙ୍ଗରେ ମନ୍ତବ୍ୟ ଦେଉଛନ୍ତି । ସେ ଇଂଲଣ୍ଡରେ ତାଙ୍କର ଶିକ୍ଷା ସମାପ୍ତ କରିଥିଲେ। ୧୯୭୫ ମସିହାରେ, ସେ ଭାରତ ଫେରିଆସି ତାଙ୍କ ପିତା ଶେଖ ଅବଦୁଲ୍ଲାଙ୍କ ରାଜନୈତିକ ଉତ୍ତରାଧିକାର ଗ୍ରହଣ କରିଥିଲେ। ଯଦିଓ ତାଙ୍କର ବ୍ରିଟିଶ ନାଗରିକତା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା, ପରେ ସେ ଭାରତୀୟ ନାଗରିକତା ପାଇଥିଲେ । ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ।
୧୯୮୦ ମସିହାରେ ଫାରୁକ ଅବଦୁଲ୍ଲା ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିଲେ। ଏହା କୌଣସି ନିର୍ବାଚନରେ ତାଙ୍କର ପ୍ରଥମ ବିଜୟ ଥିଲା। ଏହା ପରେ ଅବଦୁଲ୍ଲା ଆଉ ପଛକୁ ଫେରି ଚାହିଁନଥିଲେ। ସେ ୧୯୮୨ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ପାଞ୍ଚ ଥର ନିର୍ବାଚିତ ହୋଇଥିଲେ। ସେ ୧୯୮୨ ରୁ ୧୯୮୩ ପର୍ଯ୍ୟନ୍ତ ଜମ୍ମୁକାଶ୍ମୀରର ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
୧୯୮୩ ମସିହାରେ ଫାରୁକ ଅବଦୁଲ୍ଲା ଜମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ତିନି ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ। ଫେବୃଆରୀ ୨୦୦୯ରେ ସେ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେହି ବର୍ଷ ସେ ଲୋକସଭା ନିର୍ବାଚନରେ ମଧ୍ୟ ବିଜୟୀ ହୋଇଥିଲେ। ୩୧ ମେ ୨୦୦୯ ରୁ ମେ’ ୨୦୧୪ ପର୍ଯ୍ୟନ୍ତ ଫାରୁକ ଅବଦୁଲ୍ଲା କେନ୍ଦ୍ର ସରକାରରେ ଶକ୍ତି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଫାରୁକ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ବର୍ତ୍ତମାନ ଜମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ଅଛନ୍ତି।