• ବିଜେପିରେ ସାମିଲ ହେବା ପଛରେ ଗୋଟିଏ ଲକ୍ଷ୍ୟ, ଆଞ୍ଚଳିକ ବିକାଶ
  • ଗୋଟିଏ ଦଳ ଛାଡ଼ି ଆଉ ଗୋଟିଏ ଦଳରେ ମିଶିବା ଏକ ବଡ଼ ନିଷ୍ପତ୍ତି  
  • ଦୀର୍ଘ ୧୨ ବର୍ଷର ବିଜେଡି ସହ ସମ୍ପର୍କ, କେଉଁଠି ନା କୌଣସି ଇସ୍ୟୁ ରହିଲା, ସେଥିପାଇଁ ଦଳ ଛାଡ଼ିଲି

​​​​​​​ଭୁବନେଶ୍ବର, ୧୧।୩ : ପଦ୍ମ ଧରିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ରବିନ୍ଦ୍ର ଜେନା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ମିଶ୍ରଣ ବେଳେ ବାଲେଶ୍ୱର ଜିଲ୍ଲାର କିଛି ବିଧାୟକ ବି ଉପସ୍ଥିତ ଥିଲେ।

ମଙ୍ଗଳବାର ରବୀନ୍ଦ୍ର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। କେତେକ ବ୍ୟକ୍ତିଗତ କାରଣ ଏବଂ ପରିସ୍ଥିତି ନିମନ୍ତେ ବିଜେଡିରୁ ଅଲଗା ହେବାକୁ କଠିନ ନିଷ୍ପତ୍ତି ନେଇଛି I ବିଜେଡି ସହ ମୋର ଦୀର୍ଘ ଦିନର ସମ୍ପର୍କ ମୋ ପାଇଁ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ ବୋଲି ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ।

୨୦୧୪ ନିର୍ବାଚନରେ ରବୀନ୍ଦ୍ର ବାଲେଶ୍ବର ଲୋକସଭା ଆସନରୁ  ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। । ତେବେ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କୁ ଲୋକସଭା ଟିକେଟ ଦେଇ ନଥିଲା । କିନ୍ତୁ ତାଙ୍କ ପତ୍ନୀ ସୁବାସିନୀଙ୍କୁ ବସ୍ତା ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା। ଶ୍ରୀମତି ଜେନା ବିଜେଡି ଟିକଟରେ ବସ୍ତା ଆସନରେ ବିଜୟୀ ହୋଇଥିଲେ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ  ପ୍ରତିକ୍ରିୟା ରଖି କହିଛନ୍ତି ଯେ  ରବିନ୍ଦ୍ର ଜେନା ଓ ତାଙ୍କ ସମର୍ଥକ ବିଜେପିରେ ମିଶିବା ପରେ ବାଲେଶ୍ୱର ବିଜେପି ସହିତ ରାଜ୍ୟ ବିଜେପି ସୁଦୃଢ଼ ହୋଇଛି। ଉଚିତ୍ ସମୟରେ ଉଚିତ୍ ନିଷ୍ପତ୍ତି ନେଇଛନ୍ତି ରବିନ୍ଦ୍ର। ଯେଉଁମାନେ ଦଳରେ ମିଶିଛନ୍ତି ସମସ୍ତଙ୍କୁ ସମ୍ମାନ ମିଳିବ। ପରିବାର ସଦସ୍ୟ ଭଳି ରହିବେ। ବାଲେଶ୍ୱର ସବୁ ସମ୍ଭାବନାକୁ ପୁରା କରାଯିବ। ସମସ୍ତଙ୍କ ଭିତରେ ଭାତୃତ୍ୱ ଭାବ ବଜେଇ ରଖିବା। ରବିନ୍ଦ୍ର ଜେନା ଓ ତାଙ୍କ ସମର୍ଥକଙ୍କ ଖୁବ୍ ଦକ୍ଷତା ଅଛି। ଦଳ ସୁଦୃଢ଼ ହେବ। ବିଜେପି ପାଖରେ ବିଶ୍ୱାସ ଅଛି ଓ ବିଶ୍ୱ ସ୍ତରୀୟ ନେତା ଅଛନ୍ତି। ଯାହା ଅନ୍ୟ ଦଳରେ ନାହାଁନ୍ତି ବୋଲି କହିଛନ୍ତି।

ସେହିପରି ବିଜେପିରେ ମିଶିବା ପରେ ରବୀନ୍ଦ୍ର ଜେନା ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛି। ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ବହୁ ନେତା ବିଜେପିରେ ସାମିଲ ହୋଇଛନ୍ତି | ଆଉ ଗୋଟିଏ ମିଶ୍ରଣ ପର୍ବରେ ଆହୁରି ନେତାଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସଭାପତିଙ୍କୁ ଅନୁରୋଧ କରିଛି ବୋଲି ରବୀନ୍ଦ୍ର କହିଛନ୍ତି।

ମଙ୍ଗଳବାର ମୁଁ ବିଜେଡିର ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲି | ଭାରତ ଓ ଓଡ଼ିଶାରେ ବିକାଶ ବିଜେପି ବିନା ସମ୍ଭବ ନୁହେଁ ତେଣୁ ଆମ ଅଞ୍ଚଳର ବିକାଶ ପାଇଁ ବିଜେପିରେ ମିଶିଲି  । ଗୋଟିଏ ଦଳ ଛାଡ଼ି ଆଉ ଗୋଟିଏ ଦଳରେ ମିଶିବା ଏକ ବଡ଼ ନିଷ୍ପତ୍ତି। ଦୀର୍ଘ ୧୨ ବର୍ଷର ବିଜେଡି ସହ ସମ୍ପର୍କ । କେଉଁଠି ନା କୌଣସି ଇସ୍ୟୁ ରହିଲା , ସେଥିପାଇଁ ଦଳ ଛାଡ଼ିଲି । ବିଜେଡ଼ି ଆଗାମୀ ଦିନରେ ଓଡିଶାବାସୀଙ୍କୁ ସୁଶାସନ ଦେବା ପାଇଁ ସମର୍ଥ ହୋଇପାରିବ ନାହିଁ । ଭରତର ଯେକୌଣସି ଆଞ୍ଚଳିକ ଦଳ ସେତେବେଳେ ସଫଳ ହୋଇଛି, ଯେତେବେଳେ ଜଣେ ଉତ୍ତରାଧିକାରୀ ଘୋଷଣା କରିଛି । ଉତ୍ତରପ୍ରଦେଶର ମାୟାବତୀ, ଅଖିଳେଶ ଯାଦବ, ତାମିଲନାଡୁର ଷ୍ଟାଲିନଙ୍କ ଉଦାହରଣ ଦେଲେ ରବୀନ୍ଦ୍ର । ଯେଉଁ ଦଳ ଉତ୍ତରାଧିକାରୀ ଦେବାରେ ସମର୍ଥ ହୋଇପାରିନାହିଁ, ସେ ଦଳ ରସାତଳକୁ ଯାଇଛି। ବିଜେପି ଶାସନରେ ଆଶା ଓ ଆଲୋକ ଦେଖିବା ପାଇଁ ମିଳୁଛି । ଆଶା ଓ ଆଲୋକ ବିଜେଡ଼ିରେ ଦେଖିବାକୁ ମିଳିଲା ନାହିଁ । ନବୀନ ବାବୁଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି କିନ୍ତୁ ତାଙ୍କର ବୟସ ହୋଇଗଲାଣି। ମୁଁ ଅନେକ ଥର ନବୀନ ବାବୁଙ୍କୁ କହିଛି, ଆପଣଙ୍କୁ ଘୋଷଣା କରିବାକୁ ପଡ଼ିବ କିଏ ଉତ୍ତରାଧିକାରୀ ହେବ। କିଏ ଦଳର ମଙ୍ଗ ଧରିବ ତାହା ସ୍ଥିର କରିବାକୁ ପଡ଼ିବ ବୋଲି ରବୀନ୍ଦ୍ର କହିଛନ୍ତି।

ଆଗକୁ  ରାଜ୍ୟସଭା ନିର୍ବାଚନ ରହିଛି। ଏହି ସମୟରେ ବିଜେଡି ଛାଡି ବିଜେପିରେ ରବୀନ୍ଦ୍ର ଯୋଗ ଦେବା ନିହାତି ଭାବେ ପ୍ରଭାବ ପକାଇବ। କାରଣ ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀ ଜେନା ଏବେ ବସ୍ତା ବିଧାନସଭା ଆସନରୁ ବିଧାୟକ ଅଛନ୍ତି ।   ବିଜେଡ଼ି ଏବଂ କଂଗ୍ରେସ ମିଳିତ ରାଜ୍ୟସଭା  ପ୍ରାର୍ଥୀ ଦତ୍ତେଶ୍ବର ହୋତା ହୋଇଛନ୍ତି । ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀ ଜେନା ଏବେ ଦଳୀୟ ନିଷ୍ପତ୍ତି ସହ ରହିବେ, ନା  ନିଜ ଇଚ୍ଛା ମୁତାବକ ଭୋଟ୍ ଦେବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।