ନୂଆଦିଲ୍ଲୀ,୨୮/୧୨ : ବିଦାୟ ନେଲେ ମନମୋହନ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଅଶ୍ରୁଳ ବିଦାୟ ଦେଇଛି ଭାରତ । ପଞ୍ଚଭୂତରେ ବିଲୀନ ହୋଇଛି ମନମୋହନ ସିଂହଙ୍କ ପାର୍ଥିବ ଶରୀର । ଦିଲ୍ଲୀ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କଂଗ୍ରେସର ତୁଙ୍ଗ ନେତା ଉପସ୍ଥିତ ଥିଲେ । ଭୁଟାନ ରାଜା ମନମୋହନଙ୍କ ଶେଷ ଦର୍ଶନ କରିଛନ୍ତି । ମରିସସ୍ ବୈଦେଶିକ ମନ୍ତ୍ରୀ ମନମୋହନଙ୍କୁ ଅନ୍ତିମ ଦର୍ଶନ କରିଛନ୍ତି ।
#WATCH | Former Prime Minister #DrManmohanSingh laid to rest with full state honours after leaders and family paid last respects at Nigam Bodh Ghat in Delhi.
— ANI (@ANI) December 28, 2024
(Source: DD News) pic.twitter.com/Kk9RMgOMz1
ବାସଭବନରୁ ସକାଳ ୮ଟା ୩୦ରେ ଦିଲ୍ଲୀର ଏଆଇସିସିରେ ପହଞ୍ଚିଥିଲା ମନମୋହନଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା । ସେଠାରେ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଦର୍ଶନ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅନ୍ତିମ ଦର୍ଶନ କରିଥିଲେ । ଏହା ସହିତ ମନମୋହନଙ୍କ ଧର୍ମପତ୍ନୀ ଓ ଝିଅ ଶେଷ ଦର୍ଶନ କରିଥିଲେ । ସେଠାରୁ ୯ଟା୩୦ରେ ନିଗମବୋଧ ଘାଟ ଅଭିମୁଖେ ମହାନଯାତ୍ରାରେ ବାହାରିଥିଲେ ମନମୋହନ । ସେଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତା ଶେଷ ଦର୍ଶନ କରିଥିଲେ । ଏହାପରେ ତୋପ ସଲାମୀ ଦିଆଯାଇଥିଲା । ତିନି ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ପୂର୍ଣ୍ଣ ସେନା ସମ୍ମାନ ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।
କହିରଖୁଛୁ କି, ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଉଦାରୀକରଣର ସ୍ଥପତି ସଂସ୍କାର ସୁତ୍ରଧର ଦେଶର ଆର୍ଥିକ ସୁଧାରର ଜନନାୟକ ମନମୋହନ ସିଂହ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ମନମୋହନ ସିଂହଙ୍କ ବିୟୋଗରେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ସମସ୍ତ ସରକାରୀ କାର୍ଯ୍ୟକ୍ରମରୁ ବନ୍ଦ ରଖାଯାଇଛି । ଆଜି ତାଙ୍କୁ ବିଦାୟ ଦେଇଛନ୍ତି ଦେଶବାସୀ ।