ଭୁବନେଶ୍ୱର, ୭/୦୬:  ସହର ବିକାଶ ପାଇଁ ଲମ୍ବା ନକ୍ସା ପ୍ରସ୍ତୁତ ହୋଇଛି । ଭିତ୍ତିଭୂମି ବିକାଶ ସହ ସହରାଞ୍ଚଳ ପାଇଁ ରାଜସ୍ୱ ସଂଗ୍ରହର ନୂଆ ମଡେଲ୍‌ କାର୍ଯ୍ୟକାରୀ ହେବ । ଖାଲି  ସେତିକି ନୁହେଁ, ଲୋକଙ୍କୁ ରୋଜଗାର  ମିଳିବ । ସହରୀ ପରିବେଶରେ  ସବୁଜିମା ବି ଭରିବ । ଏଥିପାଇଁ ରାଜ୍ୟ  କ୍ୟାବିନେଟରେ ‘ମୁଖ୍ୟମନ୍ତ୍ରୀ ସହରୀ  ବିକାଶ ଯୋଜନା’କୁ ମିଳିଛି ମଞ୍ଜୁରି ।  ୫ ବର୍ଷରେ ଏହି ଯୋଜନାରେ ଖର୍ଚ୍ଚ  ହେବ ୬ ହଜାର କୋଟି ଟଙ୍କା । ଚଳିତ ଆର୍ଥିକ ବର୍ଷ ୨୦୨୫- ୨୬ରେ ଏହି ଯୋଜନା କାର୍ଯ୍ୟକାରୀ  କରିବା ପାଇଁ ୧୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।  

ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର  ଅନୁଷ୍ଠିତ କ୍ୟାବିନେଟ ବୈଠକରେ  ୫ଟି ପ୍ରସ୍ତାବ ଆଗତ ହୋଇଥିଲା ।  ଏଥିରୁ ୪ଟି ପ୍ରସ୍ତାବକୁ ମିଳିଲା  ଅନୁମୋଦନ । ସରକାରଙ୍କ ନୂଆ  ଯୋଜନା ‘ମୁଖ୍ୟମନ୍ତ୍ରୀ ସହରୀ  ବିକାଶ ଯୋଜନା’କୁ କ୍ୟାବିନେଟ  ସବୁଜ ସଙ୍କେତ ଦେଖାଇଛି ।  ବିକଶିତ ଓଡ଼ିଶା-୨୦୩୬ ଲକ୍ଷ୍ୟ  ସହିତ ସହରୀ ବିକାଶ ପାଇଁ ଏକ  ସମନ୍ୱିତ ଆଭିମୁଖ୍ୟ ସହିତ ସହରୀ  ଭିତ୍ତିଭୂମିକୁ ସୁଦୃଢ଼ କରାଯିବ । 

ସହରୀ ଭିତ୍ତିଭୂମି ଓ ରାଜସ୍ୱ  ବୃଦ୍ଧି ପାଇଁ କଲ୍ୟାଣ ମଣ୍ଡପ, ବହୁମୁଖୀ ସଭାଗୃହ, ଟାଉନ ହଲ୍‌, ଶ୍ମଶାନ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ କମ୍ପେ୍ଲକ୍ସ, ରାସ୍ତା,  ଡ୍ରେନ, ପାର୍କ, ବହୁ ବ୍ୟବହାର୍ଯ୍ୟ ବାଣିଜ୍ୟିକ କମ୍ପେ୍ଲକ୍ସ, ଭେଣ୍ଡିଂ  ଜୋନ୍‌, କ୍ଷୁଦ୍ର ଶୀତଳଭଣ୍ଡାର, ବୈଦ୍ୟୁତିକ ମୋଟଯାନ (ଇଭି)  ଚାର୍ଜିଂ ଷ୍ଟେସନ, ପାର୍କିଂ ସ୍ଥାନ, କ୍ଷୁଦ୍ର ପର୍ଯ୍ୟଟନୀସ୍ଥଳୀର ନିର୍ମାଣ କରାଯିବ ।  ସେହିପରି ସହରାଞ୍ଚଳରେ ଲୋକଙ୍କୁ ରୋଜଗାର ଦେବାକୁ ଛୋଟ ପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ କ୍ରୀଡ଼ା ଉଦ୍ୟାନ, ଚଲା ରାସ୍ତା, ଖେଳ  ପଡ଼ିଆ, ଖୋଲା ସ୍ଥାନର ବିକାଶ, ବନୀକରଣ ପ୍ରକଳ୍ପ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ, ସାଂସ୍କୃତିକ କେନ୍ଦ୍ର ପରି ଧାର୍ମିକ ସ୍ଥାନର ବିକାଶ ଓ ବର୍ଷା ଜଳ ଅମଳ ସରଞ୍ଚନା ପ୍ରକଳ୍ପ ହାତକୁ ନିଆଯିବ । ଜଳାଶୟର ଉନ୍ନତିକରଣ ସହ ସହର ଦେଇ ଯାଇଥିବା ବିଭିନ୍ନ ପ୍ରମୁଖ ନଦୀ  କୂଳର (ରିଭର ଫ୍ରଣ୍ଟ) ସୌନ୍ଦର୍ଯ୍ୟକରଣ କରାଯିବ ।




ପଶୁ ସମ୍ପଦ  ପାଇଁ କାଞ୍ଜିଆହୁଦା, ଗୋଶାଳା ସହ ବିଭିନ୍ନ ସ୍ଥାନରେ କୁକୁର,  ବିଲେଇ ଆଦି ପାଇଁ ପେଟ୍‌ କେୟାର ସେଣ୍ଟର ରହିବ । ୨୦୨୫- ୨୬ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ  ହେବ । ଏହି ଯୋଜନାରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ୫ ବର୍ଷ  ଭିତରେ ପ୍ରାୟ ୫୦ ହଜାର ସହରୀ ଭିତ୍ତିଭୂମି ପ୍ରକଳ୍ପର ନିର୍ମାଣ  ଓ ଆରମ୍ଭ ହେବ । ଏହା ପ୍ରାୟ ୫ ଲକ୍ଷରୁ ଅଧିକ କୁଶଳୀ ଏବଂ  ଅଣକୁଶଳୀ ଶ୍ରମିକଙ୍କୁ ରୋଜଗାର ଦେବ । ପରିବେଶ ସୁରକ୍ଷା ଓ  ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଏହି ଯୋଜନାରେ ୫ ହଜାରରୁ  ଅଧିକ ବନୀକରଣ ପ୍ରକଳ୍ପ ସୃଷ୍ଟି କରାଯିବ । ଜୈବ ପ୍ରଯୁକ୍ତି ବିଜ୍ଞାନ ନୀତି-୨୦୨୪ ପୂର୍ବରୁ ଲାଗୁ ହୋଇ  ସାରିଥିବାବେଳେ କ୍ୟାବିନେଟରେ ଓଡ଼ିଶା ଜୈବ ପ୍ରଯୁକ୍ତି ବିଜ୍ଞାନ ବିକାଶ ଯୋଜନାକୁ ମଞ୍ଜୁରି ମିଳିଛି । ଏହି ଯୋଜନାରେ ଉତ୍ପାଦ,  ସେବା ବିକାଶ ପାଇଁ ଉନ୍ନତ ଭିତ୍ତିଭୂମିର ବିକାଶ ପାଇଁ ପ୍ରୋତ୍ସାହନ  ପ୍ରଦାନ କରାଯିବ । ଏହି ଯୋଜନା ୧୭ଟି କାର୍ଯ୍ୟକ୍ରମକୁ ନେଇ  ଗଠିତ । 

ଜୈବ ପ୍ରଯୁକ୍ତି ବିଜ୍ଞାନର ସବୁଠାରୁ ଆଶାଜନକ କ୍ଷେତ୍ରରେ  ଉଚ୍ଚଶିକ୍ଷା, ଗବେଷଣା, ଭିତ୍ତିଭୂମି ବିକାଶକୁ ଏହା ପ୍ରୋତ୍ସାହନ  ଯୋଗାଇବ । ଉଦ୍ୟୋଗ ନିର୍ମାଣ ପାଇଁ ନବସୃଜନ, ଇନକ୍ୟୁବେସନ,  ନିବେଶ, ଆୟ ଓ ପ୍ରଭାବ ପାଇଁ ଏହା ଜୀବନ୍ତ ଇକୋ ସିଷ୍ଟମକୁ  ବିକଶିତ କରିବ । ଏହି ନୂଆ ଯୋଜନା ଶିକ୍ଷା, ଶିଳ୍ପ, ଗବେଷଣାକୁ  ପ୍ରୋତ୍ସାହିତ କରିବ । ଏହି ଯୋଜନାରେ ଫଲୋସିପ୍‌ ପ୍ରଦାନ  କରାଯିବା ସହ ଉତ୍କର୍ଷ କେନ୍ଦ୍ର ସ୍ଥାପନ ହେବ । ଓଡ଼ିଶା ମେରାଇନ  ବାୟୋଟେକ୍ନୋଲୋଜି ଗବେଷଣା ଓ ନବସୃଜନ କରିଡର ସୃଷ୍ଟି  କରାଯିବ । ୨୦୨୫-୨୬ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୧୧୧୩  କୋଟି ଟଙ୍କା ବ୍ୟୟ ହେବ । 




କ୍ୟାବିନେଟରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପରେ କଂକ୍ରିଟ  ଡ୍ୟାମ ଓ ସ୍ପିଲ୍‌ୱେ ନିର୍ମାଣ ପାଇଁ ଟେଣ୍ଡରକୁ ଅନୁମୋଦନ ମିଳିଛି ।  ଗଜପତି ଜିଲ୍ଲାର ଆର୍‌.ଉଦୟଗିରି ବ୍ଲକର ଛେଳିଗଡ଼ ଗାଁ ନିକଟରେ  ବଂଶଧାରା ନଦୀର ବଡଜୋର ଉପନଦୀରେ ଜଳାଶୟ ନିର୍ମାଣ ପାଇଁ  ୨୬୬ ମିଟର କଂକ୍ରିଟ ଡ୍ୟାମ ଓ ୭ଟି ରାଡିଆଲ ଗେଟ୍‌ ନିର୍ମାଣ ହେବ ।  ୧୫୧ କୋଟି ୭୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଦେଢ଼ ବର୍ଷରେ ପ୍ରକଳ୍ପ ସରିବ। ଗଜପତିର ୫୦୦ ହେକ୍ଟର ଓ ଗଞ୍ଜାମର ୫୭୬୦ ହେକ୍ଟର  ଜମିକୁ ଏହା ପାଣି ଯୋଗାଇବ । ବ୍ରହ୍ମପୁର ସହରରେ ୩୧.୫୪ ମିଲିଅନ କ୍ୟୁବିକ ମିଟର ଜଳ ଯୋଗାଣ କରିବ । ଏହାବାଦ୍‌ ଏହି  ପ୍ରକଳ୍ପ ୩୬ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ କରିବ ।  

ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ମୌଜାରେ ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଆବଣ୍ଟିତ ୬୪୪ ଡିସିମିଲ ଜମି ବାବଦକୁ  ଆଉ ଅତିରିକ୍ତ ୨ କୋଟି ୬୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବନି । ଅତିରିକ୍ତ ମୂଲ୍ୟ ଛାଡ଼ କରିଛନ୍ତି ସରକାର। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ  ସୂଚନା ଦେଇଥିଲେ।