ଆଠମଲ୍ଲିକ, ୧୫/୭(ଆପ୍ର): ରାଜ ରାସ୍ତାରେ ଦିନ ଦ୍ୱିପ୍ରହରରେ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ମାଡ ମାରି ଟଙ୍କା ଓ ମୋବାଇଲ ଲୁଟ କରିବା ଘଟଣାରେ ୪ ଜଣ ଯୁବକଙ୍କୁ ଆଠମଲ୍ଲିକ ପୋଲିସ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ୪ ଜଣ ଯାକ ଯୁବକ କିଶୋରନଗର ଓ ହାଣ୍ଡପ ଥାନା ଅଞ୍ଚଳର ବୋଲି ଜଣାପଡିଛି। ଅଭିଯୁକ୍ତ ମାନେ ହେଲେ କିଶୋରନଗର ଥାନା ଅନ୍ତର୍ଗତ କରର୍ଡିଙ୍ଗବହାଲ ଗ୍ରାମର ଟୁକୁନା ବେହେରା( ୨୬), ଅଙ୍ଗପଡ଼ା ଗ୍ରାମର ତାରିଣୀ ପ୍ରସାଦ ବିଶ୍ଵାଳ(୧୯), କିଶୋରନଗର ଆକାଶ ନାଏକ (୧୯) ଓ ହଣ୍ଡପା ଥାନା କୁରୁମ୍ ଟାପ୍ ଗ୍ରାମର ବଳରାମ ସାହୁ (୧୯)।

ଘଟଣାରୁ ପ୍ରକାଶ ଯେ ଗତ ୮ ତାରିଖ ଦିନ ଆଠମଲ୍ଲିକ ଥାନା ଅନ୍ତର୍ଗତ ରାଜିଙ୍ଗ ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁ ଓ ଦିବାକର ସାହୁ ମାଧପୁରରୁ କିଶୋରନଗର ଅଭିମୁଖେ ଯାଉଥିବା ବେଳେ ଦିନ ୧ ଟା ସମୟରେ ମାନଜୋର ଡ୍ୟାମ ଠାରୁ ୧.୫ କିଲୋମିଟର ଦୂର ମାଧପୁର-କିଶୋରନଗର ରାସ୍ତା ଉପରେ ଏହି ୪ ଜଣ ଅଭିଯୁକ୍ତ ଗୋବିନ୍ଦ ଓ ଦିବାକରଙ୍କୁ ଅଟକାଇ ମାଡ ମାରି ମୋବାଇଲ ସହିତ ୩୪ ହଜାର ଟଙ୍କା ଛଡାଇ ନେଇ ଫେରାର ହୋଇଯାଇଥିଲେ।

ଘଟଣା ସମ୍ପର୍କରେ ଗୋବିନ୍ଦ ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଆଠମଲ୍ଲିକ ପୋଲିସ ସୋମବାର ରାତିରେ ଅଭିଯୁକ୍ତ ମାନଙ୍କୁ ବାନ୍ଧିବା ସହିତ ଛଡାଇ ନେଇ ଥିବା ଓପୋ ମୋବାଇଲ ସହିତ ଅନ୍ୟ ୫ ଗୋଟି ମୋବାଇଲ, ବ୍ୟବହୃତ ମୋଟର ସାଇକେଲ ଏବଂ ୧୭ ଶହ ଟଙ୍କା ଜବତ କରିଛି।