ଲକ୍ଷ୍ନୌ, ୧୭/୧୨ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା । ଭାରତ ୨-୧ରେ ଆଗୁଆ ରହିଛି । ଆଜି ଆଉ ଏକ ବିଜୟ ସହ ସିରିଜ କବ୍ଜା କରିବାକୁ ଦଳ ପ୍ରୟାସ କରିବ । ମାତ୍ର ଟେଷ୍ଟ ସିରିଜ ଆରମ୍ଭରୁ କଡ଼ା ଟକ୍କର ଦେଇ ଆସିଥିବା ଦକ୍ଷିଣ ଆଫ୍ରିକା ଏତେ ସହଜରେ ଭାରତ ହାତକୁ ବିଜୟ ଟେକି ଦେବାକୁ ପ୍ରସ୍ତୁତ ନୁହେଁ । ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ହେଲେ ଭାରତକୁ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ।

ଦକ୍ଷିଣ ଆଫ୍ରିକା ଚମତ୍କାର ଫର୍ମରେ ରହିଛି । ବିଶେଷ କରି ଦଳର ପେସ୍ ବାହିନୀ ଘାତକ ସାବ୍ୟସ୍ତ ହୋଇଛି । ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଶ୍ରେଷ୍ଠ ବ୍ୟାଟର ଭାବେ ଗଣା ହେଉଥିବା ଶୁଭମନ ଗିଲ୍ ଏପର୍ଯ୍ୟନ୍ତ ଅର୍ଦ୍ଧଶତକ ମଧ୍ୟ ଅର୍ଜନ କରିପାରି ନାହାନ୍ତି । ଦକ୍ଷିଣ ଆଫ୍ରିକା ପେସ ବୋଲିଂ ଅଲରାଉଣ୍ଡର ମାର୍କୋ ଜାନସେନ ଭାରତୀୟ ଦଳରେ ରହିଥିବା ବାମ ହାତି ବ୍ୟାଟରଙ୍କ ନିଦ ହଜାଇ ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ଦଳରେ ଏକାଧିକ ଅଲ୍ରାଉଣ୍ଡର ରହିଥିବାରୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ସୁଦୃଢ଼ । କେବଳ ଭାରତୀୟ ଜଳବାୟୁ ଓ ପିଚ୍ ସହ ଅଭ୍ୟସ୍ତ ନଥିବାରୁ ପରାଜୟର ସାମ୍ନା କରିବାକୁ ପଡ଼ୁଛି । ଦକ୍ଷିଣ ଆଫ୍ରିକା ଦଳର ଅନେକ ଖେଳାଳି ଆଇପିଏଲ୍ ଖେଳୁଛନ୍ତି । ମାତ୍ର ଭାରତରେ ମାର୍ଚ୍ଚ/ଏପ୍ରିଲର ଜଳବାୟୁ ଓ ଡିସେମ୍ବର ଜଳବାୟୁ ମଧ୍ୟରେ ଆକାଶ ପାତାଳ ଫରକ । ଆଇପିଏଲ୍ ଅଭିଜ୍ଞତା ଏଠାରେ କୌଣସି ଗୁରୁତ୍ୱ ରଖୁନାହିଁ । ମୋଟ୍ ଉପରେ କହିବାକୁ ଗଲେ ଉଭୟ ଦଳର ଶକ୍ତି ସମାନ । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ମ୍ୟାଚ୍ ଆରମ୍ଭ ହେବା ସହ ସୂର୍ଯ୍ୟକୁମାର ଓ ଗିଲଙ୍କୁ ନେଇ ପୁଣି ଥରେ ତର୍ଜମା ଆରମ୍ଭ ହେବ । ସୂର୍ଯ୍ୟକୁମାର ଗତ ବର୍ଷ ଅକ୍ଟୋବର ପରଠୁ ଅର୍ଦ୍ଧଶତକ ଅର୍ଜନ କରିନାହାନ୍ତି । ସେ ଏହି ସମୟ ମଧ୍ୟରେ ୨୧ଟି ମ୍ୟାଚ୍ ଖେଳି ୧୧୯.୫ ଷ୍ଟ୍ରାଇକ ରେଟ୍ରେ ମୋଟ୍ ୨୩୯ ରନ ସଂଗ୍ରହ କରିଛନ୍ତି । ତାଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ଗିଲ୍ ଏହି ଫର୍ମାଟ୍ରେ ବାରମ୍ବାର ବିଫଳ ହେଉଛନ୍ତି । ଅନ୍ୟ ପଟରେ ସଞ୍ଜୁ ସାମସନ ଫର୍ମରେ ଥାଇ ମଧ୍ୟ ଏକାଦଶରେ ସ୍ଥାନ ପାଉ ନାହାନ୍ତି । ଆଜି ମଧ୍ୟ ତାଙ୍କ ଖେଳିବା ସମ୍ଭାବନା ନାହିଁ । ଏକାନ୍ନା ଷ୍ଟାଡ଼ିୟମ୍ ପିଚ୍ ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା କରିଥାଏ । ମାତ୍ର ଦେଶ ସାରା ଶୀତ ଲହରି ଜାରି ରହିଥିବାରୁ ସ୍ପିନରଙ୍କୁ ସୁହାଇବା ଭଳି ପିଚ୍ ପ୍ରସ୍ତୁତ କରିବା କଷ୍ଟକର । ଆଜି ମଧ୍ୟ ପେସ୍ ବୋଲରମାନେ ପିଚ୍ରୁ ଫାଇଦା ଉଠାଇ ପାରିବେ । ସ୍ଥାନୀୟ ତାପମାତ୍ର ୧୦ଡିଗ୍ରୀ ଭିତରରେ ରହିବ ଓ ରାତ୍ରିରେ କାକର ପଡ଼ିବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ଭାରତ: ଶୁଭମନ ଗିଲ୍/ସଞ୍ଜୁ ସାମସନ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ/ୱାସିଂଟନ ସୁନ୍ଦର, ଅର୍ଶଦୀପ ସିଂହ/ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍, ଆଡେନ ମାରକ୍ରମ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ/ ରିଜା ହେଣ୍ଡରିକ୍ସ, ଡିୱାଲ୍ଡ ବ୍ରେଭିସ, ଡେଭିଡ ମିଲର, ଡୋନାଭାନ ଫେରେରା, ମାର୍କୋ ଜାନସେନ, ଜର୍ଜ ଲିଣ୍ଡେ/କେଶବ ମହାରାଜ, ଲୁଙ୍ଗି ଏନ୍ଗିଡ଼ି/କର୍ବିନ ବସ୍କ, ଓଟିନେଲ ବାର୍ଟମାନ, ଆନରିଚ ନର୍ଜ/ଲୁଥୋ ସିପମ୍ଲା ।