ବ୍ରହ୍ମପୁର, ୨୮/୦୯: ପିଏସ୍‌ଆର ସିନେମା ହଲ୍‌ରେ ଥ୍ରି-ଡି ସାଉଣ୍ଡ ସିଷ୍ଟମ୍‌ ଲଗାଇଲେ । ହେଲେ ଏଥି ବାବଦକୁ ହୋଇଥିବା ବିଲ୍‌ ୩୯ ଲକ୍ଷ ଟଙ୍କା ଦେଲେ ନାହିଁ । ମୁମ୍ବାଇ ରିୟଲ୍‌ ଫିଲ୍ମ ପ୍ରୋପାଇର୍ଟର ସରଜୁ ରମେଶ ଚନ୍ଦ୍ର ଶାହା ଏ ନେଇ ଟାଉନ୍‌ ଥାନାରେ ଏତଲା ଦେବା ପରେ ପୁଲିସ ପିଏସ୍‌ଆର୍‌ ସିନେମା ହଲ୍ ମାଲିକ ରାଜେଶ  ଶର୍ମା(୪୫ ବର୍ଷ)ଙ୍କୁ ରାଉରକେଲାରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବ୍ରହ୍ମପୁର ଏସ୍‌ପି ଡା.ସର୍‌ବଣା ବିବେକ ଏମ୍‌ ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି ।

ଏସ୍‌ପିଙ୍କ ସୂଚନା ପ୍ରକାରେ, ରାଜେଶ  ପୁରୁଣା ବସଷ୍ଟାଣ୍ଡ ରୋଡ୍ ଜନତା ସିଟି ସେଣ୍ଟରରେ ପିଏସ୍‌ଆର୍‌ ସିନେମା ହଲ୍‌ କରିଥିଲେ । ସେଠାରେ ସ୍କ୍ରିନ୍‌ ଓ ଥ୍ରି-ଡି ସାଉଣ୍ଡ ସିଷ୍ଟମ ଲଗାଇବା ପାଇଁ ମୁମ୍ବାଇ ରିୟଲ୍‌ ଫିଲ୍ମ ସହ ଚୁକ୍ତି କରିଥିଲେ ।  ଚୁକ୍ତିନାମା ଅନୁଯାୟୀ ସଂସ୍ଥାର କର୍ମଚାରୀ ୨୦୨୨ ମସିହାରେ  ସମସ୍ତ ସାମଗ୍ରୀ ଆଣି ସିନେମା ହଲରେ ଲଗାଇଥିଲେ । ଏହା  ବାବଦକୁ ୩୯ ଲକ୍ଷ ଟଙ୍କାର ଚେକ୍‌ ରାଜେଶ ଦେଇଥିଲେ । କିନ୍ତୁ ବ୍ୟାଙ୍କ୍‌ରେ ତାହା ବ୍ଲକ୍‌ (ଷ୍ଟପ୍‌) ପେମେଣ୍ଟ କରିଦେଇଥିଲେ ।  ରାଜେଶଙ୍କୁ ସଂସ୍ଥା ପକ୍ଷରୁ ଯୋଗାଯୋଗ କରିଥିଲେ ବି  କୌଣସି ଉତ୍ତର ଦେଇ ନଥିଲେ । ରିୟଲ୍‌ ଫିଲ୍ମ ପକ୍ଷରୁ ଟାଉନ୍‌ ଥାନାରେ  ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ରାଜେଶ ଶର୍ମାଙ୍କ ନାଁ ରେ ପୂର୍ବରୁ ୭ ଟି ଚେକ୍ ବାଉନ୍ସ ମାମଲା ଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ।