ନୂଆଦିଲ୍ଲୀ, ୨୫।୨: ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି । ସର୍ଭାଇକାଲ୍ କ୍ୟାନ୍ସର ବା ଗର୍ଭାଶୟ ମୁଖ କର୍କଟରୁ ଦେଶର ଝିଅମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଖୁବଶୀଘ୍ର ସାରା ଭାରତରେ HPV ଅର୍ଥାତ୍ ହ୍ୟୁମାନ ପାପିଲୋମା ଭାଇରସ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ଅଭିଯାନ ଅଧୀନରେ ସରକାର ପ୍ରତିବର୍ଷ ପ୍ରାୟ ୧.୧୫ କୋଟି ୧୪ ବର୍ଷର କିଶୋରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଏହି ଟିକା ପ୍ରଦାନ କରିବେ । ସରକାରୀ ଡାକ୍ତରଖାନାରେ ଏହି ଟିକା ଉପଲବ୍ଧ ହେବ । ସ୍ୱେଚ୍ଛାକୃତ ଭାବେ ଦିଆଯାଉଥିବା ଏହି ଟିକାକରଣ 'ସ୍ୱସ୍ଥ ନାରୀ, ସଶକ୍ତ ରାଷ୍ଟ୍ର' ସଂକଳ୍ପକୁ ଆହୁରି ମଜବୁତ କରିବ ।
ଏହା ବି ପଢ଼ନ୍ତୁ... ମେଟ୍ରୋରେ ୩ ବର୍ଷରେ ୩ ଗୁଣ ବଢ଼ିଛି ଛାଡ଼ପତ୍ର, ୫୮% ମାମଲାରେ ମହିଳା ଛାଡ଼ପତ୍ର ଚାହୁଁଛନ୍ତି
କାହିଁକି ଜରୁରୀ ଏହି ଟିକା ?
ଭାରତରେ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ମଧ୍ୟରେ ଅଧିକାଂଶ ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ । ଦେଶରେ ପ୍ରତିବର୍ଷ ପ୍ରାୟ ୮୦ ହଜାର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ୪୨ ହଜାରରୁ ଅଧିକ ମହିଳାଙ୍କ ମୃତ୍ୟୁ ଘଟୁଛି । ଡାକ୍ତରଙ୍କ ଅନୁଯାୟୀ, HPV ଭାଇରସ ବିଶେଷ କରି ଟାଇପ୍ ୧୬ ଏବଂ ୧୮ ଯୋଗୁଁ ଏହି କର୍କଟ ହୋଇଥାଏ । ସଠିକ୍ ସମୟରେ ଟିକାକରଣ ଏବଂ ଯାଞ୍ଚ ଦ୍ୱାରା ଏହି ମାରାତ୍ମକ ରୋଗକୁ ରୋକାଯାଇପାରିବ ।
କେଉଁ ଟିକା ଦିଆଯିବ ?
ସରକାର ଏହି କାର୍ଯ୍ୟକ୍ରମରେ 'ଗାର୍ଡାସିଲ' (Gardasil) ନାମକ HPV ଟିକା ବ୍ୟବହାର କରିବେ ।
ଏହା ଏକ କ୍ୱାଡ୍ରିଭାଲେଣ୍ଟ ଟିକା, ଯାହା HPV-୧୬, ୧୮, ୬ ଏବଂ ୧୧ ପ୍ରକାରରୁ ସୁରକ୍ଷା ଦେଇଥାଏ ।
ଏହା ସମ୍ପୂର୍ଣ୍ଣ ନିରାପଦ ଏବଂ ବିଶ୍ୱର ପ୍ରାୟ ୧୬୦ଟି ଦେଶ ଏହାକୁ ଆପଣେଇ ସାରିଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ସର୍ଭାଇକାଲ କ୍ୟାନ୍ସର ନିର୍ମୂଳ ପାଇଁ ଏହି ଟିକାକୁ ଗୁରୁତ୍ୱ ଦେଇଛି ।
କେଉଁଠି ମିଳିବ ସେବା ?
୧୪ ବର୍ଷର ଝିଅମାନଙ୍କୁ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଯଥା- ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜରେ ଟିକା ଦିଆଯିବ । ପ୍ରଶିକ୍ଷିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ତତ୍ତ୍ୱାବଧାନରେ ଏହି ପ୍ରକ୍ରିୟା ସମ୍ପନ୍ନ ହେବ । ସରକାର ଦେଶର ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ଅଭିଯାନ ଆରମ୍ଭ ହେବା ମାତ୍ରେ ନିଜ ଝିଅମାନଙ୍କୁ ଏହି ଟିକା ନିଶ୍ଚିତ ଦିଅନ୍ତୁ । ଏହି ଟିକା କେବଳ ଏକ ଇଞ୍ଜେକ୍ସନ ନୁହେଁ, ବରଂ ଜୀବନ ବଞ୍ଚାଇବା ପାଇଁ ଏକ ଶକ୍ତିଶାଳୀ ଢାଲ ।